ଦୁଷ୍କର୍ମ ପୀଡ଼ିତାଙ୍କୁ ‘ନିର୍ଭୟା ପାଣ୍ଠି’ରୁ ସହାୟତା ଦେଉନି ଓଡ଼ିଶା: ୬ ବର୍ଷରେ ମାତ୍ର ୨୦% ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ନିଜର ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ବିଜେଡି ସରକାର ରାଜ୍ୟର ଦୁଷ୍କର୍ମ ପୀଡ଼ିତାମାନଙ୍କୁ ‘ନିର୍ଭୟା ପାଣ୍ଠି’ରୁ ସହାୟତା ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଗତ ୪ବର୍ଷ ମଧ୍ୟରେ ମୋଟ ୧୧୭୬୩ଜଣ ମହିଳା ଦୁଷ୍କର୍ମ ବା ବଳାତ୍କାରର ଶିକାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଦେଉଥିବା ‘ନିର୍ଭୟା ପାଣ୍ଠି’କୁ ଏହି ଦୁଷ୍କର୍ମ ପୀଡ଼ିତାଙ୍କ ସହାୟତାରେ ଖର୍ଚ୍ଚ କରିବାକୁ ଓଡ଼ିଶା ସରକାର ଆନ୍ତରିକତା ଦେଖାଇ ନାହାନ୍ତି। ଯେଉଁଥିପାଇଁ ୨୦୧୬-୧୭ରୁ ୨୦୨୧-୨୨ ମସିହା ମଧ୍ୟରେ କେନ୍ଦ୍ର […]

Smriti-Irani

Ordigital Desk
  • Published: Wednesday, 06 April 2022
  • , Updated: 06 April 2022, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ନିଜର ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଥିବା ବିଜେଡି ସରକାର ରାଜ୍ୟର ଦୁଷ୍କର୍ମ ପୀଡ଼ିତାମାନଙ୍କୁ ‘ନିର୍ଭୟା ପାଣ୍ଠି’ରୁ ସହାୟତା ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଗତ ୪ବର୍ଷ ମଧ୍ୟରେ ମୋଟ ୧୧୭୬୩ଜଣ ମହିଳା ଦୁଷ୍କର୍ମ ବା ବଳାତ୍କାରର ଶିକାର ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଦେଉଥିବା ‘ନିର୍ଭୟା ପାଣ୍ଠି’କୁ ଏହି ଦୁଷ୍କର୍ମ ପୀଡ଼ିତାଙ୍କ ସହାୟତାରେ ଖର୍ଚ୍ଚ କରିବାକୁ ଓଡ଼ିଶା ସରକାର ଆନ୍ତରିକତା ଦେଖାଇ ନାହାନ୍ତି। ଯେଉଁଥିପାଇଁ ୨୦୧୬-୧୭ରୁ ୨୦୨୧-୨୨ ମସିହା ମଧ୍ୟରେ କେନ୍ଦ୍ର ସରକାର ନିର୍ଭୟା ପାଣ୍ଠି ବାବଦରେ ମୋଟ ୯୭.୫୪କୋଟି ଟଙ୍କାର ସହାୟତା ଦେଇଥିଲେ ମଧ୍ୟ ଏଥିରୁ ହାରାହାରି ପ୍ରାୟ ୨୦ ପ୍ରତିଶତ ଅର୍ଥାତ୍ ୧୯.୨୬କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି।

ରାଜ୍ୟସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଜି ବିଜେଡି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଓଡ଼ିଶା ସରକାରଙ୍କ ‘ନିର୍ଭୟା ପାଣ୍ଠି’ ଖର୍ଚ୍ଚ କରିବାରେ ବିଫଳତାକୁ ଉଜାଗର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ନିଭର‌୍ୟା ପାଣ୍ଠିରୁ ଓଡ଼ିଶାକୁ ୨୦୧୬-୧୭ ଆର୍ଥିକ ବର୍ଷରେ ୨୦.୨୪କୋଟି ଟଙ୍କା, ୨୦୧୭-୧୮ରେ ୪.୧୨କୋଟି ଟଙ୍କା, ୨୦୧୮-୧୯ରେ ୮.୭୪କୋଟି ଟଙ୍କା, ୨୦୧୯-୨୦ରେ ୨୪.୮୭କୋଟି ଟଙ୍କା, ୨୦୨୦-୨୧ରେ ୧୫.୭୭କୋଟି ଟଙ୍କା ଓ ୨୦୨୧-୨୨ରେ ୨୩.୮୦କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ସେଥିରୁ ମାତ୍ର ୧୯.୨୬କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି । ସେହିପରି ରାଜ୍ୟରେ ୱାନଷ୍ଟପ୍ ସେଣ୍ଟର ସ୍ଥାପନ ଓ ପରିଚାଳନା ପାଇଁ ମଧ୍ୟ ନିର୍ଭୟା ପାଣ୍ଠିରୁ ୨୬.୫୪କୋଟି ଟଙ୍କା ଓଡ଼ିଶାକୁ ଦିଆଯାଇଛି ବୋଲି ସେ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ପ୍ରତ୍ୟେକ ବର୍ଷ ମହିଳାଙ୍କ ସହ ଦୁଷ୍କର୍ମ ମାମଲା ବଢ଼ି ଚାଲିଥିଲେ ମଧ୍ୟ ସେମାନଙ୍କୁ ନିର୍ଭୟା ପାଣ୍ଠିରୁ ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଇ ନାହାନ୍ତି । ଦୁଷ୍କର୍ମ ପୀଡ଼ିତାଙ୍କ ଆଇନଗତ ଓ ଆର୍ଥିକ ସହାୟତା ବାବଦରେ ନିର୍ଭୟା ପାଣ୍ଠିରୁ ସହାୟତା ଦିଆଯାଇଥାଏ ତଥା ସେମାନଙ୍କ ପରିଚୟକୁ ଗୋପନ ରଖିବାର ପ୍ରାବଧାନ ରହିଛି । ଓଡ଼ିଶାରେ ଦୈନିକ ୮ଜଣ ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡ଼ୁଥିବାବେଳେ ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାରେ ଦଣ୍ଡବିଧାନ ହାର ମାତ୍ର ୯.୨% ରହିଛି। ଦୁଷ୍କର୍ମ ଶିକାର ମହିଳା କିଭଳି ନିର୍ଭୟା ପାଣ୍ଠିରୁ ତ୍ୱରିତ୍ ସହାୟତା ପାଇବ, ସେ ନେଇ ମଧ୍ୟ ରାଜ୍ୟରେ ସରକାରୀ ସ୍ତରରେ ବିଶେଷ ତତ୍ପରତା କିମ୍ବା ସଚେତନତା ସୃଷ୍ଟି ହେଉନାହିଁ । ଯେଉଁଥିପାଇଁ ରାଜ୍ୟରେ ଦୁଷ୍କର୍ମ ମାମଲା ବଢ଼ି ଚାଲିଥିଲେ ମଧ୍ୟ ନିର୍ଭୟା ପାଣ୍ଠି ଖର୍ଚ୍ଚ ହୋଇପାରୁନି ।

ସୂଚନାଯୋଗ୍ୟ, ରାଜ୍ୟରେ ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ମୋଟ ୧୧୭୬୩ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ିଛି । ୨୦୧୮ ମସିହାରେ ୨୫୦୨ଜଣ ମହିଳା ବଳାତ୍କାରର ଶିକାର ହୋଇଥିବାବେଳେ ୨୦୧୯ ମସିହାରେ ୨୯୫୦ଜଣ, ୨୦୨୦ ମସିହାରେ ୨୯୮୪ଜଣ ଓ ୨୦୨୧ ମସିହାରେ ୩୩୨୭ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହୋଇଛନ୍ତି ।

Related story