ରଥଚଢ଼ା କଟକଣା ବାବଦରେ ଦଇତାପତିଙ୍କୁ ୭କୋଟି ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଉପରେ ଚଢ଼ାଇବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କଟକଣାର ଆର୍ଥିକ ବୋଝ ଏବେ ରାଜ୍ୟ ସରକାର ବହନ କରିବେ। ୨୦୧୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ରଥଚଢ଼ା କଟକଣା ବାବଦରେ ଦଇତାପତିଙ୍କୁ ରାଜ୍ୟ ସରକାର ୭.୨୨୨କୋଟି ଟଙ୍କା ଦେବେ। ମାତ୍ର ଏହି ବକେୟା ବାବଦ ଅର୍ଥ ଦେବାକୁ ଅର୍ଥ ବିଭାଗ ବିଶେଷ ଗୁରୁତ୍ୱ ଦେଇନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆଇନ ବିଭାଗର ବିଭାଗୀୟ ଷ୍ଟାଣ୍ଡିଂ […]

jagannath

Manoranjan Sial
  • Published: Wednesday, 29 January 2020
  • , Updated: 29 January 2020, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଉପରେ ଚଢ଼ାଇବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କଟକଣାର ଆର୍ଥିକ ବୋଝ ଏବେ ରାଜ୍ୟ ସରକାର ବହନ କରିବେ। ୨୦୧୪ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ରଥଚଢ଼ା କଟକଣା ବାବଦରେ ଦଇତାପତିଙ୍କୁ ରାଜ୍ୟ ସରକାର ୭.୨୨୨କୋଟି ଟଙ୍କା ଦେବେ। ମାତ୍ର ଏହି ବକେୟା ବାବଦ ଅର୍ଥ ଦେବାକୁ ଅର୍ଥ ବିଭାଗ ବିଶେଷ ଗୁରୁତ୍ୱ ଦେଇନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଇନ ବିଭାଗର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର କଟକଣା ଓ ଦଇତାପତିମାନଙ୍କ ସୁବିଧାସୁଯୋଗ ଉପରେ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ରଥ ଚଢ଼ା ଉପରେ ଶ୍ରଦ୍ଧାଳୁଙ୍କ କଟକଣା ଜାରି ହୋଇଥିବାରୁ ଦଇତାପତିମାନଙ୍କୁ ଏଥିପାଇଁ ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ମୋଟ ୭.୨୨୨କୋଟି ଟଙ୍କା ବକେୟାର ବ୍ୟବସ୍ଥା ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ପ୍ରଦାନ ନିମନ୍ତେ ଷ୍ଟାଣ୍ଡିଂ କମିଟି ସୁପାରିସ୍ କରିଥିଲେ। କିନ୍ତୁ ଅର୍ଥ ବିଭାଗ ଏନେଇ କୌଣସି ଅର୍ଥ ବରାଦ କରିନଥିବା ଆଇନ ବିଭାଗ ପକ୍ଷରୁ ରାଜ୍ୟ ବିଧାନସଭା ସଚିବାଳୟକୁ ଅବଗତ କରାଯାଇଛି।

ସେହିପରି ଶ୍ରୀମନ୍ଦିର ପ୍ରଶାସନର ନିୟମିତ କର୍ମଚାରୀଙ୍କୁ ୨୦୧୬ ଜାନୁୟାରୀ ପହିଲାରୁ ସପ୍ତମ ବେତନ କମିଶନ ହାରରେ ଦରମା ଓ ଭତ୍ତା ବାବଦରେ ବାକି ଥିବା ୪.୫୪କୋଟି ଟଙ୍କା ୨୦୧୯-୨୦ ମସିହାର ଅତିରିକ୍ତ ବଜେଟରେ ବ୍ୟବସ୍ଥା ନିମନ୍ତେ ଷ୍ଟାଣ୍ଡିଂ କମିଟି ସୁପାରିସ୍ କରିଛନ୍ତି। ମାତ୍ର ଏହି ପ୍ରସ୍ତାବ ଉପରେ ଅର୍ଥ ବିଭାଗ କୌଣସି ପଦକ୍ଷେପ ନେଇନାହିଁ କିମ୍ବା ଅର୍ଥବରାଦ ମଧ୍ୟ କରିନଥିବା ଆଇନ ବିଭାଗ ଜଣାଇଛି।

ସେହିପରି ଶ୍ରୀମନ୍ଦିର ପ୍ରଶାସନର ବିକାଶମୂଳକ କାର୍ଯ୍ୟ ପାଇଁ ୧୫କୋଟି ଟଙ୍କା ବ୍ୟୟବରାଦ ପାଇଁ ଷ୍ଟାଣ୍ଡିଂ କମିଟି କରିଥିବା ସୁପାରିସ୍ ଆଧାରରେ ଅର୍ଥ ବିଭାଗ ଦ୍ୱାରା ୨୦୨୦-୨୧ ବଜେଟରେ ଆବଶ୍ୟକ ବ୍ୟୟବରାଦ ହୋଇଛି। ଏହାସହିତ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବକ(ଗରିବ ତଥା ଆର୍ଥିକ ଦୁର୍ବଳବର୍ଗର)ଙ୍କ ପାଇଁ ଗୃହନିର୍ମାଣ ଯୋଜନା, ବୀମା ଯୋଜନା, ସେମାନଙ୍କ ପିଲାଙ୍କ ପାଠପଢ଼ା ନିମନ୍ତେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତିମାନଙ୍କ ପିଲାଙ୍କୁ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢ଼ାଇବା ଖର୍ଚ୍ଚ ବହନ କରାଯିବା ପ୍ରସ୍ତାବ ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି କୌଣସି ପ୍ରତିକ୍ରିୟା ଦେଇନଥିବା ଆଇନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Related story