ସରକାରୀ ମେଡିକାଲ କଲେଜ ଅଧ୍ୟାପକଙ୍କ ଦରମା ଦ୍ୱିଗୁଣ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଠିକାରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କ ଦରମାକୁ ଦ୍ୱିଗୁଣ ବୃଦ୍ଧି କରିଛନ୍ତି । ରାଜ୍ୟର ସରକାରୀ ମେଡିକାଲ କଲେଜରେ ଶିକ୍ଷାଦାନ କରୁଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସରଙ୍କ ଦରମା ବୃଦ୍ଧି ସହ ବାର୍ଷିକ ୩ରୁ ୫ ପ୍ରତିଶତ ଇନକ୍ରିମେଂଟ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସରକାରୀ […]

doctors

Ordigital Desk
  • Published: Wednesday, 04 January 2023
  • , Updated: 04 January 2023, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଠିକାରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କ ଦରମାକୁ ଦ୍ୱିଗୁଣ ବୃଦ୍ଧି କରିଛନ୍ତି । ରାଜ୍ୟର ସରକାରୀ ମେଡିକାଲ କଲେଜରେ ଶିକ୍ଷାଦାନ କରୁଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସରଙ୍କ ଦରମା ବୃଦ୍ଧି ସହ ବାର୍ଷିକ ୩ରୁ ୫ ପ୍ରତିଶତ ଇନକ୍ରିମେଂଟ ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସରକାରୀ ମେଡିକାଲ କଳେଜରେ ଠିକାରେ ନିଯୁକ୍ତି ପାଇଥିବା ସମସ୍ତ ପ୍ରଫେସରଙ୍କ ମାସିକ ଦରମା ୧.୨୫ଲକ୍ଷ ଟଙ୍କା ପରିବର୍ତ୍ତେ ୨.୩୦ଲକ୍ଷ ଟଙ୍କା ହେବ । ଏହାସହିତ ବାର୍ଷିକ ୫% ହାରରେ ଏହି ଦରମା ବୃଦ୍ଧି ପାଇବ । ସେହିପରି ଆସୋସିଏଟ ପ୍ରଫେସରଙ୍କ ମାସିକ ଦରମା ୧ଲକ୍ଷରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି ସହ ବାର୍ଷିକ ୩% ହାରରେ ଏହା ବୃଦ୍ଧି ହେବ । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦରମା ୭୫ହଜାର ଟଙ୍କାରୁ ୧.୨୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ତଥା ବାର୍ଷିକ ୩% ହାରରେ ଏହି ଦରମା ବଢ଼ିବ । ଅର୍ଥ ବିଭାଗର ଅନୁମୋଦନ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ବର୍ଦ୍ଧିତ ଦରମା ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି । ଶେଷଥର ପାଇଁ ସରକାରୀ ମେଡିକାଲ କଲେଜର ଠିକା ଅଧ୍ୟାପକମାନଙ୍କ ଦରମା ୨୦୧୮ ଜାନୁୟାରୀ ୧୨ତାରିଖରେ ବୃଦ୍ଧି ପାଇଥିଲା । ୨୦୨୨ ଏପ୍ରିଲ ୨୫ତାରିଖରେ ସ୍ୱାସ୍ଥ୍ୟ ବିଭାଗର ସର୍କୁଲାର ଅନୁସାରେ ଠିକା ଅଧ୍ୟାପକମାନେ ମେଡିକାଲ କଲେଜରେ ନିଯୁକ୍ତି ପାଇବେ ।

ସେହିପରି ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ସରକାରୀ ଅଧ୍ୟାପକମାନଙ୍କୁ ସେମାନଙ୍କର ଦରମା ଓ ଭତ୍ତା ବାଦ୍ ପ୍ରୋତ୍ସାହନ ରାଶି ଭାବେ ମାସିକ ୨୦ହଜାରରୁ ୧.୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ । ଜୋନ୍ -ଏରେ ଥିବା ଜିଲ୍ଲା କୋରାପୁଟ, ନବରଙ୍ଗପୁର,ମାଲକାନଗିରି, ରାୟଗଡ଼ା,ବଲାଙ୍ଗିର,ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ କାର୍ଯ୍ୟରତ ସରକାରୀ ମେଡିକାଲ କଲେଜର ନିୟମିତ ପ୍ରଫେସରଙ୍କୁ ଦରମା ଓ ଭତ୍ତା ବାଦ ୧.୫୦ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି, ଆସୋସିଏଟ ପ୍ରଫେସରଙ୍କୁ ୧.୨୫ଲକ୍ଷ ଟଙ୍କା ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମାସିକ ୭୫ହଜାର ଟଙ୍କା ଅଧିକ ମିଳିବ ।

ସେହିପରି ଜୋନ୍‌-ବି ବର୍ଗରେ ଥିବା ଜିଲ୍ଲା କେନ୍ଦୁଝର, ବୌଦ୍ଧ,ବାଲେଶ୍ୱର, ଗଜପତି, ସୋନପୁର,ଦେଗଡ଼, ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ମେଡିକାଲ କଲେଜରେ କାର୍ଯ୍ୟରତ ସରକାରୀ ପ୍ରଫେସରଙ୍କୁ ଯଥାକ୍ରମେ ୩୦ହଜାର, ୫୦ହଜାର ଓ ୭୦ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ସେହିପରି ଜୋନ-ସି ରେ ଥିବା ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସରକାରୀ ପ୍ରଫେସରମାନଙ୍କୁ ୨୦ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପ୍ରୋତ୍ସାହନ ରାଶି ଦରମା ବାଦ୍ ମିଳିବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ ୧୩ଟି ସରକାରୀ ମେଡିକାଲ କଲେଜ ରହିଛି ।

Related story