ପୁଣି କୋହଳ ହେଲା ଲକଡାଉନ୍ ନିୟମ, କଣ ଅଛି ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ରୁତ ଗତିରେ ବୃଦ୍ଧି ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାତିରୁ ଭୁବନେଶ୍ୱର,କଟକ,ରାଉରକେଲା ସହର ସମେତ ମୋଟ ୫ଟି ଜିଲ୍ଲାରେ ୧୪ଦିନିଆ ଲକଡାଉନ୍ ଆରମ୍ଭ ହେଉଛି। ତେବେ ଏହି ଲକଡାଉନ୍ ଅବଧିରେ ଆଉ କେତେକ ସେବାକୁ ଜାରି ରଖିବା ନିମନ୍ତେ ରାଜ୍ୟ ସରକାର ନିୟମକୁ କୋହଳ କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏନେଇ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସଆରସିଙ୍କ ନିର୍ଦ୍ଦେଶନାମା ଅନୁସାରେ, ଟେଲିକମ୍ ଓ ଇଣ୍ଟରନେଟ […]

lockdown

Manoranjan Sial
  • Published: Friday, 17 July 2020
  • , Updated: 17 July 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ରୁତ ଗତିରେ ବୃଦ୍ଧି ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାତିରୁ ଭୁବନେଶ୍ୱର,କଟକ,ରାଉରକେଲା ସହର ସମେତ ମୋଟ ୫ଟି ଜିଲ୍ଲାରେ ୧୪ଦିନିଆ ଲକଡାଉନ୍ ଆରମ୍ଭ ହେଉଛି। ତେବେ ଏହି ଲକଡାଉନ୍ ଅବଧିରେ ଆଉ କେତେକ ସେବାକୁ ଜାରି ରଖିବା ନିମନ୍ତେ ରାଜ୍ୟ ସରକାର ନିୟମକୁ କୋହଳ କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏନେଇ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏସଆରସିଙ୍କ ନିର୍ଦ୍ଦେଶନାମା ଅନୁସାରେ, ଟେଲିକମ୍ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀର କର୍ମଚାରୀଙ୍କ ସମେତ ମରାମତି ଦାୟିତ୍ୱରେ ଅଫିସର ଓ କର୍ମଚାରୀମାନେ ନିଜର ପରିଚୟ ପତ୍ର ଦେଖାଇ ଲକଡାଉନ୍ ଅବଧିରେ ଯାତାୟତ କରିପାରିବେ। ଡାଟା ଓ କଲ୍ ସେଣ୍ଟର କର୍ମଚାରୀଙ୍କୁ ମଧ୍ୟ ଲକଡାଉନରୁ ବାଦ୍ ଦିଆଯାଇଛି। ବ୍ୟାଙ୍କ, ବୀମା, ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ ୨୫% କର୍ମଚାରୀଙ୍କ ମାଧ୍ୟମରେ ବ୍ୟାଙ୍କିଂ ଓ ଇଣ୍ଟରନେଟ ସେବା ପ୍ରଦାନ କରିବେ।

ସେବି ଦ୍ୱାରା ପଞ୍ଜିକୃତ କ୍ୟାପିଟାଲ ଓ ଡେବ୍‌ଟ ମାର୍କେଟ ସର୍ଭିସ୍ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବ । ଭାରତ ସରକାରଙ୍କ ସିଏଜି ଅଫିସ୍ ଓ ସେମାନଙ୍କର କ୍ଷେତ୍ରୀୟ ଅଫିସ୍ ସର୍ବନିମ୍ନ କର୍ମଚାରୀରେ କାର୍ଯ୍ୟ କରିବ। ରାଜ୍ୟ ସରକାରଙ୍କର କେଉଁ ଅଫିସ୍ କେତେ କର୍ମଚାରୀଙ୍କୁ ନେଇ ଖୋଲିବ ତାହା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଆକାରରେ ଜାରି ହେବ। ଜାତିସଂଘର ଅଫିସ୍ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବ । ସେହିପରି ଖଣି ଗତିବିଧିକୁ ମଧ୍ୟ ଲକଡାଉନ୍ କଟକଣାରୁ ବାଦ୍ ଦିଆଯାଇଛି।

ଏସବୁ ବ୍ୟତୀତ ଫଳ, ମାଛ, ମାଂସ, ଚିକେନ୍ ଓ ଅଣ୍ଡା ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ୍ ପାଳନ କରି ଖୋଲିପାରିବେ। ମାଛ ଓ ମାଂସ ଦୋକାନ ବା ହାଟକୁ ଯେକୌଣସି ନୂଆ ସ୍ଥାନରେ ସ୍ଥାନୀୟ କର୍ତ୍ତୃପକ୍ଷ ଖୋଲିପାରିବେ। ଶୀତଳ ଭଣ୍ଡାର, ଗୋଦାମଘର ଓ ପ୍ୟାକେଜିଂ ୟୁନିଟଗୁଡ଼ିକୁ ପରିବହନ ସମେତ ଲକଡାଉନ୍ କଟକଣାରୁ ଦୂରେଇ ରଖାଯାଇଛି। ଘରୋଇ ସୁରକ୍ଷା କର୍ମଚାରୀମାନଙ୍କୁ ମଧ୍ୟ କଟକଣାରୁ ବାଦ୍ ଦିଆଯାଇଛି। ସେହିପରି ଅଫ୍ ଓ ଅନ୍ ମଦ ଦୋକାନୀଗୁଡ଼ିକୁ ହୋମ୍ ଡେଲିଭରି ପାଇଁ ଅନୁମତି ମିଳିବ ବୋଲି ସଂଶୋଧିତ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ରାତି ୯ଟାରୁ ଜୁଲାଇ ୩୧ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ରାଉରକେଲା ସହର ଓ ଅନ୍ୟ ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଓ ଗଞ୍ଜାମରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି।

Related story