ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଓଡ଼ିଶା ରସଗୋଲା’କୁ ଗତକାଲି ଜିଆଇ ଟ୍ୟାଗ୍ ମିଳିଛି। ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିବା ଏହା ରାଜ୍ୟର ପ୍ରଥମ। ଏହି ଜିଆଇ ଟ୍ୟାଗ୍ ଆମ ରାଜ୍ୟ ପାଇଁ ଗୌରବ ଆଣିଛି। ଓଡ଼ିଶା ରସଗୋଲା ପରେ ଏବେ ରାଜ୍ୟ ସରକାର ଆରିସା, ଛେନାପୋଡ଼ ଓ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ କସରତ ଆରମ୍ଭ କରିଛନ୍ତି। ଏଥିପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ ଉଦ୍ୟମ ଆରମ୍ଭ କଲେଣି। ଆରିସା, ଛେନାପୋଡ଼ ଓ ରସାବଳି ପାଇଁ ତଥ୍ୟ ସଂଗ୍ରହ କରାଯିବା ପରେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରାଯିବ। ଏନେଇ ସୂଚନା ଦେଇଛନ୍ତି ଏମ୍ଏସ୍ଏମ୍ଇ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।
ଅନ୍ୟ ସାମଗ୍ରୀ ମଧ୍ୟରେ ୨୦୦୮-୦୯ରେ କୋଣାର୍କ ଷ୍ଟୋନ୍ କାର୍ଭିଙ୍ଗ୍, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ତିଆରି କାର୍ଯ୍ୟ, ୨୦୧୦-୧୧ ମସିହାରେ ଖଣ୍ଡୁଆ ଶାଢ଼ୀ ଓ ପରିଧାନ, ୨୦୧୧-୧୨ରେ ଗୋପାଳପୁର ଟସର ଓ ପରିଧାନ, ଗଞ୍ଜାମ କିଆଫୁଲ ତେଲ, ଗଞ୍ଜାମ କିଆ ଫୁଲକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଛି। ସେହିପରି ୨୦୧୨-୧୩ରେ ଧଳାପଥର ପରଦା ଓ ପରିଧାନ, ସମ୍ବଲପୁରୀ ବାନ୍ଧ ଶାଢ଼ୀ ଓ ପରିଧାନ, ବୋମକାଇ ଶାଢ଼ୀ ଓ ପରିଧାନ, ହବସପରୀ ଶାଢ଼ୀ ଓ ପରିଧାନ, ବ୍ରହ୍ମପୁର ପାଟ ( ଫୋଡ଼ ଓ କୁମ୍ଭ) ଶାଢ଼ୀ ଓ ଯୋଡ଼, ୨୦୧୩-୧୪ରେ ଓଡ଼ିଶା ପଟ୍ଟଚିତ୍ର(ଲୋଗୋ), ଆରାକୁ ଭ୍ୟାଲି ଆରବିକ୍ କଫିକୁ ଜିଆଇ ଟ୍ୟାଗ୍ ମିଳିଛି।