ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଜର୍ମାନୀରୁ ଆସିଲା ଉଚ୍ଚ ଶକ୍ତିସଂପନ୍ନ ବ୍ରେଲ୍‌ ମେଶିନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ୍‌ ଜର୍ମାନୀରୁ ଆସିଛି। ଏହା ଦ୍ୱାରା ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନେ ପର୍ଯ୍ୟାପ୍ତ ସଂଖ୍ୟାରେ ପାଠ୍ୟପୁସ୍ତକ ପାଇପାରିବେ। ଆସନ୍ତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ବ୍ରହ୍ମପୁରସ୍ଥିତ ବ୍ରେଲ୍‌ ପ୍ରେସ୍‌ରେ ଏହି ମେଶିନ୍‌ ସ୍ଥାପନ କରଯିବ। ପ୍ରଥମ ପର୍ଯ୍ୟାୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଠ୍ୟପୁସ୍ତକ ପ୍ରଣୟନ ପାଇଁ ଦୁଇଟି ମାନୁଆଲ୍‌ ବା ହସ୍ତଚାଳିତ ମେଶିନ୍‌ ଥିଲା। ମାରବର୍ଗ ଷ୍ଟେରୋଟାଇପ୍‌ ମେଶିନ୍‌ ଓ ହେଡେଲ୍‌ବର୍ଗ ପ୍ଲାଟେନ୍‌ ଜରିଆରେ ପ୍ରଥମେ ଆଲୁମିନିୟମ୍‌ […]

ODISHA-IMPORTS-LATEST-BRAILLE-MACHINE-FOR-PRINTING-TEXTBOOKS-FOR-VISUALLY-IMPAIRED-STUDENTS

Manoranjan Sial
  • Published: Tuesday, 06 August 2019
  • , Updated: 06 August 2019, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ୍‌ ଜର୍ମାନୀରୁ ଆସିଛି। ଏହା ଦ୍ୱାରା ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନେ ପର୍ଯ୍ୟାପ୍ତ ସଂଖ୍ୟାରେ ପାଠ୍ୟପୁସ୍ତକ ପାଇପାରିବେ। ଆସନ୍ତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ବ୍ରହ୍ମପୁରସ୍ଥିତ ବ୍ରେଲ୍‌ ପ୍ରେସ୍‌ରେ ଏହି ମେଶିନ୍‌ ସ୍ଥାପନ କରଯିବ।

ପ୍ରଥମ ପର୍ଯ୍ୟାୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଠ୍ୟପୁସ୍ତକ ପ୍ରଣୟନ ପାଇଁ ଦୁଇଟି ମାନୁଆଲ୍‌ ବା ହସ୍ତଚାଳିତ ମେଶିନ୍‌ ଥିଲା। ମାରବର୍ଗ ଷ୍ଟେରୋଟାଇପ୍‌ ମେଶିନ୍‌ ଓ ହେଡେଲ୍‌ବର୍ଗ ପ୍ଲାଟେନ୍‌ ଜରିଆରେ ପ୍ରଥମେ ଆଲୁମିନିୟମ୍‌ ଫର୍ଦ୍ଦରେ ମାଷ୍ଟର କପି ଓ ପରେ ମୋଟା କାଗଜରେ ବ୍ରେଲ୍‌ କପି ପ୍ରସ୍ତୁତ ହେଉଥିଲା। ୨୦୦୫ରେ ରାଜ୍ୟର ସମସ୍ତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲ ପାଠ୍ୟପୁସ୍ତକ ପ୍ରସ୍ତୁତିକୁ ବ୍ୟାପକ କରାଯାଇଥିଲା। ୨୦୧୩ରେ ରାଜ୍ୟ ସରକାର ୧.୫୫ କୋଟି ଖର୍ଚ୍ଚ କରି ଦୁଇଟି ବ୍ରେଲ୍‌ ମେଶିନ୍‌ ଆଣିଥିଲେ। ସେଥିରୁ ମାଷ୍ଟରପ୍ଲେଟ୍‌ ପ୍ରସ୍ତୁତ କରୁଥିବା ଯନ୍ତ୍ରଟିର କ୍ଷମତା କମ୍‌ ଥିଲା। ଫଳରେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ବିଳମ୍ବ ହେଉଥିଲା।

ରାଜ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ରହିଥିବା ଶତାଧିକ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଓ ସାଧାରଣ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଜର୍ମାନୀରୁ ଏହି ଅତ୍ୟାଧୁନିକ ବ୍ରେଲ୍‌ ମେଶିନ୍‌ ଅଣାଯାଇଛି। ବିଭାଗ ଏଥିପାଇଁ ୧.୧୮ କୋଟି ଟଙ୍କା ବ୍ୟୟ କରିଛି। ଅଣାଯାଇଥିବା ନୂତନ ମେଶିନ୍‌ ଦ୍ୱାରା କମ୍ପ୍ୟୁଟର ସହାୟତାରେ ଆଲୁମିନିୟମ୍‌ ପ୍ଲେଟ୍‌ରେ ପ୍ରତି ସେକେଣ୍ଡରେ ୧୬ଟି ଅକ୍ଷର ଛପା ଯାଇପାରିବ ଓ ପରେ ମୋଟା କାଗଜରେ ଘଣ୍ଟା ପ୍ରତି ୧୦ ହଜାର ବ୍ରେଲ୍‌ ପୃଷ୍ଠା ଛପା ଯାଇପାରିବ। ନୂତନ ମେଶିନ୍‌ରେ ବ୍ରେଲ୍‌ ଛାପା କାର୍ଯ୍ୟ ନିର୍ଭୁଲ ମଧ୍ୟ ହୋଇପାରିବ।

ଉଲ୍ଲେଖଯୋଗ୍ୟ ଯେ ୧୯୭୪ରେ ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ରେଡ୍‌କ୍ରସ୍‌ ଦୃଷ୍ଟିହୀନ ବିଦ୍ୟାଳୟରେ ୧୯୮୬ ନଭେମ୍ବରରେ ବ୍ରେଲ ପ୍ରେସ୍‌ ଆରମ୍ଭ କରାଯାଇଥିଲା। ରାଜ୍ୟର ଏକମାତ୍ର ବ୍ରେଲ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଭାବରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ଭବିଷ୍ୟତରେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ପୁସ୍ତକଗୁଡ଼ିକ ସମେତ ଉଚ୍ଚ ମାଧ୍ୟମିକ ସ୍ତରର ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବ୍ରେଲ ପୁସ୍ତକ ପ୍ରକାଶ କରାଯିବାର ଯୋଜନା ରହିଛି।

Related story