ମୋଦିଙ୍କ ଫୋକସରେ ଓଡ଼ିଶା, କ’ଣ ରହିଛି ବିଜେପିର ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସକ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ଆସିବାକୁ ନେଇ ଚର୍ଚ୍ଚା ଜାରି ରହିଛି। ଡିସେମ୍ବର ୨୪ରେ ଖୋର୍ଦ୍ଧାରେ ବିଜେପିର ସ୍ୱାଭିମାନ ସମାବେଶରେ ଓଡ଼ିଶାରେ ବିଜେପିର କଟ୍ଟରବିରୋଧୀ ବିଜେଡି ଓ ନବୀନଙ୍କ ନାଁ ନେଇ ମୋଦି ପଦୁଟିଏ କହିନଥିବାବେଳେ ଜାନୁୟାରୀ ୫ ଓ ୧୬ରେ ପ୍ରସ୍ତାବିତ ଓଡ଼ିଶା ଗସ୍ତରେ ମୋଦିଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ତାଙ୍କର ଏଭଳି ଲଗାତାର ଗସ୍ତ ପଛରେ ବିଜେପିର କ’ଣ ରଣନୀତି […]

bjppppp

Manoranjan Sial
  • Published: Friday, 28 December 2018
  • , Updated: 28 December 2018, 09:03 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସକ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ଆସିବାକୁ ନେଇ ଚର୍ଚ୍ଚା ଜାରି ରହିଛି। ଡିସେମ୍ବର ୨୪ରେ ଖୋର୍ଦ୍ଧାରେ ବିଜେପିର ସ୍ୱାଭିମାନ ସମାବେଶରେ ଓଡ଼ିଶାରେ ବିଜେପିର କଟ୍ଟରବିରୋଧୀ ବିଜେଡି ଓ ନବୀନଙ୍କ ନାଁ ନେଇ ମୋଦି ପଦୁଟିଏ କହିନଥିବାବେଳେ ଜାନୁୟାରୀ ୫ ଓ ୧୬ରେ ପ୍ରସ୍ତାବିତ ଓଡ଼ିଶା ଗସ୍ତରେ ମୋଦିଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ତାଙ୍କର ଏଭଳି ଲଗାତାର ଗସ୍ତ ପଛରେ ବିଜେପିର କ’ଣ ରଣନୀତି ରହିଛି ତାକୁ ନେଇ ରାଜନୀତିକ ମହଲରେ ନାନା ମତ ପ୍ରକାଶ ପାଇଛି। ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଆରଏସଏସର ଫିଡବ୍ୟାକ୍ ଆଧାରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ କରାଯାଇଛି ।
ସୂଚନା ଅନୁସାରେ ଓଡ଼ିଶାରେ ଦଳର ସ୍ଥିତି ସୁଦୃଢ଼ କରିବା ପାଇଁ ବିଜେପି ଓ  ସଂଘ ପରିବାର ଗତ କିଛିମାସ ହେଲା ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଓଡ଼ିଶା ରହଣି ଓ ନିର୍ବାଚନୀ ରଣନୀତି ଉପରେ ବିଚାରବିମର୍ଶ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିସେମ୍ବର ୨୪ରୁ ଜାନୁୟାରୀ ୧୬ ତାରିଖ ମଧ୍ୟରେ ୩ଥର ଓଡ଼ିଶା ଗସ୍ତ, ଜାନୁୟାରୀ ଶେଷ ଭାଗ ଓ ଫେବୃୟାରୀ ମାସରେ ବିଜେପି ସଭାପତି ଅମିତ୍ ଶାହଙ୍କ ଦୁଇଥର ସମ୍ଭାବ୍ୟ ଗସ୍ତ ଏବଂ ଶେଷରେ ମୋଦି-ଶାହ ଟିମର ଆଗଧାଡ଼ିର ସଦସ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାତୀୟସ୍ତରରେ ସାଂଗଠନିକ ଦାୟିତ୍ୱମୁକ୍ତ (ମଧ୍ୟପ୍ରଦେଶ ପ୍ରଭାରୀ ପଦରୁ ଅପସାରଣ) ଓ ସୌଦାନ ସିଂଙ୍କୁ ଓଡ଼ିଶା ବ୍ୟାପାରରୁ ଦୂରେଇ ରଖାଯିବା ଆଦି ସମସ୍ତ ପଦକ୍ଷେପ ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରଣନୀତିର ଅଂଶବିଶେଷ ବୋଲି ଜଣାପଡ଼ିଛି।
୧୨ରୁ ୧୫ଟି ଲୋକସଭା ଆସନ ହାତେଇବା ଲକ୍ଷ୍ୟ  
ବିଜେପିର ସୂତ୍ର ଅନୁସାରେ ଆରଏସଏସର ପରାମର୍ଶରେ ବିଜେପି ଏବେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦଳର ଚେହେରା କରିବା ଉପରେ ଗୁରୁତ୍ୱ ଦେଉଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଦଳ ଭିତରେ ରହିଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ମୋଦିଙ୍କ ମାଧ୍ୟମରେ ବିଜେପି ରାଜ୍ୟରେ ଅତିକମରେ ୧୨ରୁ ୧୫ଟି ଲୋକସଭା ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି। ଗତ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ସିଟ୍ (ସୁନ୍ଦରଗଡ଼) ଜିତିଥିବାବେଳେ ଅନ୍ୟ ଦୁଇଟି ସିଟ୍ ବାଲେଶ୍ୱର ଓ ଭୁବନେଶ୍ୱରରେ ଦ୍ୱିତୀୟ ନମ୍ବରରେ ରହିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ରାଜ୍ୟର ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଆୟୋଜନ କରିଥିବା ବିଜେପି ମାର୍ଚ୍ଚ ମାସରେ ପୁନର୍ବାର ମୋଦିଙ୍କୁ ରାଜ୍ୟ ଗସ୍ତରେ ଆଣିବାକୁ ନିଷ୍ପତ୍ତି ନେଇଛି। ଦଳ ବିଧାନସଭା ତୁଳନାରେ ଲୋକସଭା ଆସନରେ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଛି ଓ ଆରଏସଏସର ପରାମର୍ଶରେ ଦଳ ଏବେ ବିଜେଡି ସହ ଚେକ୍ ଆଣ୍ଡ ବାଲାନ୍ସ ଫର୍ମୂଲାରେ କାର୍ଯ୍ୟ କରୁଛି। ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବିଜେଡି ସରକାର ପ୍ରତି ରହିଥିବା ଆକ୍ରୋଶରୁ ଫାଇଦା ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜର ଗସ୍ତବେଳେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ କରିପାରନ୍ତି ବୋଲି କୁହାଯାଉଛି।
ସୂତ୍ର ଅନୁସାରେ ଆରଏସଏସ୍ ଏବେ ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀର ଅନୁଧ୍ୟାନ ପାଇଁ ନିଜର ନେତା ଓ କ୍ୟାଡରଙ୍କୁ ନିଯୁକ୍ତି ଦେଇଛି। ସେମାନେ ଗ୍ରାଉଣ୍ଡଜିରୋରେ ରହି କେଉଁସବୁ ପ୍ରସଙ୍ଗ ଜନମତକୁ ପ୍ରଭାବିତ କରିବ ଓ ବିଜେପିର ଭୋଟ ହାର ବଢ଼ାଇବାରେ ସହାୟକ ତା’ର ରିପୋର୍ଟ ପ୍ରଦାନ କରିଛନ୍ତି। ଏପରିକି ଆରଏସଏସର ଏହି କ୍ୟାଡର ଓ ନେତାଙ୍କ ମତାମତ ହିଁ ବିଜେପିର ଲୋକସଭା ପ୍ରାର୍ଥୀ ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତା’ଛଡ଼ା ଧର୍ମେନ୍ଦ୍ରଙ୍କ ଯୋଗୁ ପଞ୍ଚାୟତ ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବା ପରେ ଦଳ ଏବେ ବି କଂଗ୍ରେସ ତୁଳନାରେ ଭଲ ସ୍ଥିତିରେ ଥିବା ଆରଏସଏସ ଆକଳନ କରିଛି। କିନ୍ତୁ ରାଜ୍ୟ ନେତାମାନଙ୍କ ମଧ୍ୟରେ ଏକତା ଓ ଆନ୍ତରିକତା ଅଭାବ ଯୋଗୁ ତା’ର ସୁଫଳ ଦଳକୁ ମିଳିପାରୁନଥିବା ବିଜେପି ନେତୃତ୍ୱଙ୍କୁ ଅବଗତ କରାଯାଇଛି।
ଏହି କାରଣରୁ ବିଜେପି ଖୁବଶୀଘ୍ର ରାଜ୍ୟରେ ୪ଜଣ ନେତାଙ୍କୁ ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ଜୋନ୍ ଦାୟିତ୍ୱ ଦେଇ ସେମାନଙ୍କ ମାଧ୍ୟମରେ ନିର୍ବାଚନୀ କାର୍ଯ୍ୟକୁ ପରିଚାଳନା କରିବ। ସମ୍ଭବତଃ ଅମିତ୍ ଶାହଙ୍କ ଗସ୍ତବେଳେ ଏହି ନେତୃତ୍ୱ ଚୟନ ସ୍ଥିରୀକୃତ ହେବ। ତେବେ ଆରଏସଏସର ପରାମର୍ଶରେ ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀ ଦାୟିତ୍ୱରୁ ହଟାଇ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ କୁହାଯାଇଛି।
ସୂତ୍ର ଅନୁସାରେ, ଏବେ ବଲାଙ୍ଗିର, କଳାହାଣ୍ଡି, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ବିଜେଡିର ସ୍ଥିତି ଭଲ ନଥିବାରୁ ବିଜେପି ତା’ର ଫାଇଦା ଉଠାଇବାକୁ ଚାହୁଁଛି। ସେଥିପାଇଁ ବାରିପଦାରେ ମୋଦିଙ୍କ ଜନସଭା କରାଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ନିଜର ସ୍ଥିତିକୁ ଅପେକ୍ଷାକୃତ ସୁଦୃଢ଼ କରିବାକୁ ଚାହୁଁଛି। ଉପକୂଳରେ ବିଜେଡି ଅପେକ୍ଷାକୃତ ଭଲ ସ୍ଥିତିରେ ଥିବାରୁ ମୋଦିି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିକୁ ଟାର୍ଗେଟ୍ କରିନଥିଲେ। ମୋଦି ପଶ୍ଚିମ ଓ ଉତ୍ତର ଓଡ଼ିଶା ଗସ୍ତରେ ଆସିବାବେଳେ ରାଜ୍ୟ ସରକାର ପ୍ରତି ନିଜର ଆଭିମୁଖ୍ୟକୁ କଠୋର କରିବେ।

Related story