କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ୧୮ ଦିନ ଭିତରେ ୧୩ଟା ପିଲା ମରିବା ଏମିତି କିଛି ବଡ଼ ଭୁଲ ନୁହେଁ। ଆଜି ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଖୋଦ୍ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ସୁଜାତା ରାଣୀ ମିଶ୍ର। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁଁ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିବା (କେବଳ ୨୪ ଘଣ୍ଟାରେ ୪ ମୃତ୍ୟୁ) ଅଭିଯୋଗ ଉପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।
ସେପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCU ରେ ୨୪ ଘଣ୍ଟାରେ ୪ ଜଣ ନବଜାତକଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ତଦନ୍ତ ପାଇଁ ପହଞ୍ଚିଛି ଏକ ରାଜ୍ୟ ଡାକ୍ତରୀ ଟିମ୍। ଏହି ଟିମ୍ରେ ଡ. ଆରଏନ୍ ପଣ୍ଡା ଓ ଡ. ରଶ୍ମିରଞ୍ଜନ ଶତପଥୀ ରହିଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିଡିଏମ୍ଓ ଘଟଣା ସମ୍ପର୍କରେ ଏକ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବଙ୍କୁ ପଠାଇଥିବା କହିଛନ୍ତି।
ସିଡିଏମ୍ଓ ଗଣମାଧ୍ୟମ ଆଗରେ ଯୁକ୍ତି ବାଢ଼ିଛନ୍ତି, ଯେଉଁ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ସ୍ୱାସ୍ଥ୍ୟ ଅତିମାତ୍ରାରେ ଖରାପ ଥିଲା। ସେମାନଙ୍କ ଭିତରୁ ୨ ଜଣ ଜିଲ୍ଲା ମେଡିକାଲରେ ଜନ୍ମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ବାହାର ଡାକ୍ତରଖାନାରୁ ସ୍ଥାନାନ୍ତର ହୋଇ ଏଠାକୁ ଆସିଥିଲେ। ଜିଲ୍ଲା ଡାକ୍ତରଖାନାରେ ଜନ୍ମ ହୋଇଥିବା ଗୋଟିଏ ଶିଶୁର ଓଜର ଖୁବ୍ କମ୍ ଥିଲା। ଏହି ଶିଶୁର ଓଜର ପ୍ରାୟ ୧ କେଜି ୨୦୦ ଗ୍ରାମ ଥିଲା। ଅନ୍ୟ ଶିଶୁର ନ୍ୟୁରୋ ସମସ୍ୟା ଥିଲା। ଯୋଡ଼ାରୁ ଆସିଥିବା ଶିଶୁର ସ୍ୱାସ୍ଥ୍ୟ ଅତି ଖରାପ ଥିଲା। ସ୍ୱାସ୍ଥ୍ୟ ଭଲ ନ ଥିବା ଦର୍ଶାଇ ଡାକ୍ତର ଶିଶୁକୁ ସ୍ଥାନାନ୍ତର ନିମନ୍ତେ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ମା’, ବାପାଙ୍କୁ ଏ ବାବଦରେ ବୁଝାଇବା ପରେ ସେମାନେ ବୁଝିଥିଲେ। କିନ୍ତୁ ପରେ କୌଣସି ପରିସ୍ଥିତି ପାଇଁ ଉତ୍କ୍ଷିପ୍ତ ହୋଇ ଉଠିଥିଲେ। ଅନ୍ୟ ଶିଶୁଟି ଏକ ନର୍ସିଂହୋମ୍ରୁ ଗୁରୁତର ଅବସ୍ଥାରେ ଆସିଥିଲା। ଯେହେତୁ ଗୋଟିଏ ପାଖାପାଖି ସମୟରେ ୪ ଶିଶୁଙ୍କ ମୃତ୍ୟୁ ହୋଇଛି, ତେଣୁ ଘଟଣାଟି ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ଗ୍ରହଣ କରାଯାଇପାରୁନି। କିନ୍ତୁ ଏଥିରେ କିଛି ବି କରାଯାଇପାରିବ ନାହିଁ।
୧୮ ଦିନରେ ୧୨୨ ଶିଶୁ ଜିଲ୍ଲା ମେଡିକାଲରେ ଆଡମିଶନ ହୋଇଥିଲେ। ଏହା ଭିତରୁ ୧୩ଟା ପିଲା ମରିବା ଏମିତି କିଛି ବଡ଼ ଭୁଲ ନୁହେଁ। କାରଣ SNCUରେ ଭର୍ତ୍ତି ଶିଶୁଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କ ମୃତ୍ୟୁ ହେଉଛି ସ୍ୱାଭାବିକ। କାରଣ SNCU ହେଉଛି ଏକ ଗୁରୁତର ରୋଗୀ ଯତ୍ନ କେନ୍ଦ୍ର। ଏଠାକୁ ଯେଉଁମାନେ ଆସନ୍ତି, ସେମାନଙ୍କ ଅବସ୍ଥା ଅତି ଖରାପ ହୋଇଥାଏ। ତା’ମାନେ ନୁହେଁ ଯେ, ସମସ୍ତଙ୍କୁ ମାରିଦେବା। ଯେହେତୁ ପିଲାମାନେ ଅତି ଖରାପ ଅବସ୍ଥାରେ ଅସୁଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା କରାଯାଉଛି। ତେଣୁ ଯେଉଁ ୧୩ ଶିଶୁଙ୍କ ମୃତ୍ୟୁ ହୋଇଛି, ତାହା ଡାକ୍ତରଖାନା ଲିମିଟ୍ ଭିତରେ ରହୁଛି ବୋଲି ସିଡିଏମ୍ କହିଛନ୍ତି।
ଅନ୍ୟପଟେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କେନ୍ଦୁଝର ମ୍ୟୁନିସିପାଲଟି ଚେୟାରମ୍ୟାନ ନିକୁ ସାହୁ। ସେ କହିଛନ୍ତି, ଡାକ୍ତରଖାନା ଭିତରେ ହୋଇଥିବା ଛୋଟବଡ଼ ଭୁଲକୁ ରାଜ୍ୟ ସ୍ତରୀୟ ଟିମ୍ କେବେ ହେଲେ ଉପସ୍ଥାପିତ କରିବ ନାହିଁ। ତେଣୁ ବିଚାର ବିଭାଗୀୟ ତଦନ୍ତ ହେଲେ ପ୍ରକୃତ କଥା ସାମ୍ନାକୁ ଆସିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।