ବିଶ୍ୱାସ ହରାଉଛି ଓଡ଼ିଶା ପୁଲିସ୍ : ପ୍ରତାପ-ଦିବ୍ୟଶଙ୍କର-ସମୀରଙ୍କୁ କଲାନି ଜେରା, ତଦନ୍ତ ବାଟବଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଇନ ତା’ ବାଟରେ ଯିବ, ଦୋଷୀଙ୍କୁ ଛଡ଼ାଯିବନି” ଟ୍ୟାଗଲାଇନକୁ ନିଜ ପାଇଁ ଢ଼ାଲ ଭାବେ ବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଏବେ ଅପରାଧୀ ଓ ଅପରାଧକରଣ ଆଡ଼େ ମୁହାଁଇଥିବାବେଳେ ରାଜ୍ୟ ପୁଲିସର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ଏଫଆଇଆରରେ ନାଁ ଥାଇ ମଧ୍ୟ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ ଥରୁଟିଏ ବି ଜେରା କରିନଥିବା ରାଜ୍ୟ ପୁଲିସ […]

Odisha-Police

Ordigital Desk
  • Published: Tuesday, 20 December 2022
  • , Updated: 20 December 2022, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଇନ ତା’ ବାଟରେ ଯିବ, ଦୋଷୀଙ୍କୁ ଛଡ଼ାଯିବନି” ଟ୍ୟାଗଲାଇନକୁ ନିଜ ପାଇଁ ଢ଼ାଲ ଭାବେ ବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଏବେ ଅପରାଧୀ ଓ ଅପରାଧକରଣ ଆଡ଼େ ମୁହାଁଇଥିବାବେଳେ ରାଜ୍ୟ ପୁଲିସର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ଏଫଆଇଆରରେ ନାଁ ଥାଇ ମଧ୍ୟ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ ଥରୁଟିଏ ବି ଜେରା କରିନଥିବା ରାଜ୍ୟ ପୁଲିସ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ବି ଛୁଇଁପାରିନି ।

ସେହିପରି ବର୍ତ୍ତମାନର ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବିରୁଦ୍ଧରେ ପୁଳାପୁଳା ସଙ୍ଗୀନ ଅଭିଯୋଗ ଓ ପାରିପାଶ୍ୱିର୍କ ତଥ୍ୟପ୍ରମାଣ ଥାଇ ମଧ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୁଲିସ ତାଙ୍କୁ ପଦୁଟିଏ ପଚାରିବାକୁ ବି ସାହାସ କରିପାରିନି । ଏହି ୩ଟି ସଙ୍ଗୀନ ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ସାକ୍ଷୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେଉଥିବାବେଳେ ପୁଲିସର ସମସ୍ତ ପ୍ରକାରର ତଦନ୍ତ କେବଳ ଯେ ଧର୍ମକୁ ଆଖିଠାର ତାହା ଏବେ ସାଧାରଣରେ ପ୍ରମାଣିତ ହୋଇଛି। ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ଆଜି ଦିନତମାମ ସରକାର ଓ ପ୍ରଶାସନ ଯେଭଳି ତତ୍ପରତା ଦେଖାଉଛି ତାହା ପରୋକ୍ଷରେ ବିଜେଡି ସରକାରର ଭାବମୂର୍ତ୍ତି ବଂଚାଇବା ପାଇଁ ତାଳିପକା ଉଦ୍ୟମକୁ ପଦାରେ ପଡ଼ିଛି । ଯେଉଁ ପୁଲିସ୍ ଏହି ବିଜେଡି ନେତାମାନଙ୍କ ବିରୁଦ୍ଧରେ ପୁଳାପୁଳା ଅଭିଯୋଗ ପରେ ବି ସାମାନ୍ୟ ପଚରାଉଚୁରା କରିପାରିନି, ଏବେ ଗୋବିନ୍ଦ ସାହୁ ହତ୍ୟାର କ୍ରାଇମବ୍ରାଂଚ ତଦନ୍ତ କରିବା କେବଳ ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ।

୧- ମମିତା ମେହେର ହତ୍ୟା ଓ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ

କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ଇଂରାଜୀ ମିଡିୟମ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଅଚାନକ ନିଖୋଜ ହେବାର ୧୧ଦିନ ପରେ ୨୦୨୧ ଅକ୍ଟୋବର ୧୯ରେ ତାଙ୍କର ଖଣ୍ଡବିଖଣ୍ଡ ଶରୀର ମାଟିତଳୁ ମିଳିଥିଲା । ଏହି ହତ୍ୟା ଘଟଣାରେ ପ୍ରଥମରୁ ସନ୍ଦେହରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କୁ ପୁଲିସ ଗିରଫ କରିଥିଲା । ତତକାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ଗୋବିନ୍ଦ ସାହୁ ଜଣାଶୁଣା ଥିଲା । ଏପରିକି ହତ୍ୟା ପୂର୍ବରୁ ରାୟପୁରରେ ମମିତା ଓ ଗୋବିନ୍ଦଙ୍କ ସହ ଦିବ୍ୟଶଙ୍କର ଦେଖାଦେଇଥିବା ଓ ଉକ୍ତ ହତ୍ୟାଘଟଣା ପରେ ମଧ୍ୟ ଦିବ୍ୟଶଙ୍କରଙ୍କ ସହ ଗୋବିନ୍ଦ ଫୋନ୍ ଯୋଗେ କଥା ହେବାର ପୁଳାପୁଳା ଅଭିଯୋଗ ହୋଇଥିଲା ।

ମମିତା ମେହେର ହତ୍ୟା ମାମଲାରେ ପୁଲିସ ଆଇପିସିର ୩୦୨,୩୦୭,୧୨୦(ବି),୩୪, ୩୫ରେ ଦଫାରେ ମାମଲା ରୁଜୁ କରିବା ସହ ପ୍ରାୟ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏପରିକି ସିଆରପିସିର ୧୬୪ ଧାରାରେ ୧୩ଜଣ ସାକ୍ଷୀ ଓ ସିଆରପିସିର ୧୬୨ ଧାରାରେ ୧୦୦ଜଣଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ପାରିପାଶ୍ୱିର୍କ ସ୍ଥିତି ଜୁନାଗଡ଼ ବିଜେଡି ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିବାଦୀୟ ଭୂମିକା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଏପର୍ଯ୍ୟନ୍ତ ଛୁଇଁନାହିଁ କିମ୍ବା ପଚରାଉଚୁରା ବି କରିନି । ବିରୋଧୀ ଦଳ ଓ ବିଭିନ୍ନ ସଂଗଠନର ଦାବି ପରେ ବି ଦିବ୍ୟଶଙ୍କରଙ୍କ ନାଁରେ ମାମଲା ରୁଜୁ ତ ଦୂରର କଥା ତାଙ୍କର ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିନଥିବା ଜଣାପଡ଼ିଛି । ପୁଲିସର ଏହି ଅପାରଗତା ପାଇଁ ଏବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୁହଁକୁ ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଆଉ ମମିତା ମେହେର ହତ୍ୟାର ତଦନ୍ତ ବି ବାଟବଣା ହୋଇଛି ।

୨- ମାହାଙ୍ଗା ଡବଲ ମର୍ଡର ଓ ବିଧାୟକ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ

୨୦୨୦ ଜାନୁୟାରୀ ୨ ତାରିଖରେ ମାହାଙ୍ଗା ଅଂଚଳର ଦୁଇଜଣ ବରିଷ୍ଠ ବ୍ୟକ୍ତି କୁଳମଣି ବିଶ୍ୱାଳ ଓ ଦିବ୍ୟସିଂହ ବରାଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା ଓ ପରେ ସେମାନେ ମୃତ୍ୟୁ ସହ ସଂଗ୍ରାମ କରି ଆଖିବୁଜିଲେ । ଏହି ଘଟଣାରେ କୁଳମଣିଙ୍କ ପୁଅ ଥାନାରେ ଏତଲା ଦେଲେ ଓ ପୁଲିସ ଆଇପିସିର ଧାରା ୧୪୭, ୧୪୮, ୧୨୦(ବି),୩୦୨, ୧୪୯ ଓ ଆର୍ମସ ଆକ୍ଟର ଧାରା ୨୭ ଓ ୨୯ରେ ମାମଲା ରୁଜୁ କଲା । ପ୍ରଥମରୁ ଏହି ମାମଲାରେ ସ୍ଥାନୀୟ ବିଧାୟକ ତଥା ତତକାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ଥିବା ସତ୍ୱେ ତାଙ୍କ ନାଁକୁ ଏତଲାରେ ସାମିଲ କରିନଥିବା ପୁଲିସ ପରେ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଅଭିଯୁକ୍ତ ଭାବେ ସାମିଲ କଲା । ଯେଉଁ ୧୩ଜଣଙ୍କ ନାଁରେ ମାମଲା ରୁଜୁ ହେଲା ସେଥିରେ ବିଧାୟକ ପ୍ରତାପ ଜେନା ସାମିଲ ଅଛନ୍ତି । କିନ୍ତୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ହେଲା । ଅନ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଥିବା ତଥ୍ୟପ୍ରମାଣକୁ ନଷ୍ଟ ପାଇଁ ବି ଉଦ୍ୟମ ହୋଇଛି । କିନ୍ତୁ ଏଫଆଇଆରରେ ନାଁ ଥିବା ସତ୍ତ୍ୱେ ବିଜେଡି ବିଧାୟକ ଶ୍ରୀ ଜେନାଙ୍କୁ ଏହି ମାମଲାରେ ସାମାନ୍ୟ ପଚରାଉଚୁରା ବି ପୁଲିସ କଲାନି । ଯାହାକି ଏହି ସଙ୍ଗୀନ ହତ୍ୟା ମାମଲାର ତଦନ୍ତକୁ ବାଟବଣା କରିଛି ।

୩- ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗ

ପୁରୀ ଜିଲ୍ଲାର ବିଜେଡି ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତଦେହ ରହସ୍ୟଜନକ ଭାବେ ୨୦୨୨ ସେପ୍ଟେମ୍ବର ୨୪ତାରିଖରେ ତାଙ୍କ ଭୁବନେଶ୍ୱରର ଲକ୍ଷ୍ମୀ ବିହାରସ୍ଥିତ ବାସଭବନ ନିକଟରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତାଙ୍କ ମୃତ୍ୟୁ ପୂର୍ବରୁ ସେ ସୋସିଆଲ ମିଡିଆରେ ଦେଇଥିବା ଅଡିଓରେ ତାଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ଜଣଙ୍କୁ ଦାୟୀ କରିଥିଲେ । ଏପରିକି ମୃତ୍ୟୁ ପୂର୍ବରୁ ସେ ନିଜର ଜଣେ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କୁ ମଧ୍ୟ ଫୋନ୍ କରି ଅନେକ କିଛି ରହସ୍ୟ ଉଜାଗର କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କଲା । ଅକ୍ଷୟଙ୍କୁ ଜେରା କଲା ଓ ତାଙ୍କଠୁ ଅନେକ ତଥ୍ୟ ସଂଗ୍ରହ କଲା । ମୃତ ଧର୍ମେନ୍ଦ୍ରଙ୍କ ଦୁଇଟି ଫୋନରୁ ତଥ୍ୟ ସଂଗ୍ରହ ପାଇଁ ତାକୁ ଲ୍ୟାବକୁ ପଠାଇଲା । କିନ୍ତୁ ସେହି ଫୋନରୁ ଯେଉଁ ତଥ୍ୟ ମିଳିଲା, ତାକୁ ଚାପି ଦେଲା । ଏହି ମାମଲାରେ ପୁଲିସ ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ, ସାମ୍ବାଦିକ ଅକ୍ଷୟ ନାୟକ ଓ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁଙ୍କ ପଚରାଉଚୁରା କଲା । କିନ୍ତୁ ଏପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଡାକିଲାନି କି ତାଙ୍କ ଭୂମିକାକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଅଡିଓର ବାସ୍ତବତାକୁ ବି ଯାଂଚ କରିବାକୁ ଆଗ୍ରହ ଦେଖାଇଲା ନାହିଁ । ଯଦିଓ ବିଜେପି ଓ କଂଗ୍ରେସ ପକ୍ଷରୁ ଧର୍ମେନ୍ଦ୍ରଙ୍କ ହତ୍ୟା ପଛରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମ୍ପୃକ୍ତିର ବାରମ୍ବାର ଅଭିଯୋଗ ଆଣିଲେ । କିନ୍ତୁ ପୁଲିସ ଏହି ତଦନ୍ତକୁ ଦିଗହରା କରିଦେଲା ।

ତେଣୁ ପୁଲିସର ଏଭଳି ଆଭିମୁଖ୍ୟ ହିଁ ପରୋକ୍ଷରେ ରାଜ୍ୟ ପୁଲିସର ଭୂମିକାକୁ ସନ୍ଦେହଘେରକୁ ଟାଣିବା ସହ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ନେତାମାନଙ୍କ ବିରୁଦ୍ଧରେ ଏତେ ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ସେମାନଙ୍କୁ ଡାକି ପଚାରଉଚୁରା କରିବା ଭଳି ପଦକ୍ଷେପ ନେବାକୁ ପୁଲିସ ସାହାସ ବି କରିନି। ୯୦ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ରାଜନୀତିକ ବ୍ୟକ୍ତିମାନଙ୍କ ଅପରାଧକୁ ପ୍ରଶୟ ଦେଇ କଂଗ୍ରେସ ରାଜ୍ୟରୁ ଅସ୍ତିତ୍ୱ ହରାଇଥିବା ବେଳେ ବିଜେଡି ଏବେ ସେହି ନୀତି ଆପଣାଇ ନିଜ ଗୋଡ଼ରେ କୁରାଢ଼ୀ ମାରୁଥିବା ସାଧାରଣରେ ଚର୍ଚ୍ଚା ।

Related story