ଶାସନରେ ସବୁଠୁ ତଳେ ଓଡ଼ିଶା!

ଦେଶର ୧୭ ବଡ଼ ରାଜ୍ୟରୁ ଶାସନରେ ସବୁଠାରୁ ତଳେ ଓଡ଼ିଶା ‘କେୟାରଏଜ୍’ ରିପୋର୍ଟ ପୁଣି ଥରେ ଦେଖାଇଲା ଓଡ଼ିଶାର ସ୍ଥାନ ସବୁ ଦୃଷ୍ଟିରୁ ୧ ନମ୍ବରରେ ମହାରାଷ୍ଟ୍ର, ୧୧ ନମ୍ବରରେ ଓଡ଼ିଶା ଆର୍ଥିକ ସମୃଦ୍ଧ ରାଜ୍ୟରେ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆର୍ଥିକ ଶୃଙ୍ଖଳାରେ ଓଡ଼ିଶା ୧ ନମ୍ବର, ସବୁଠାରୁ ତଳେ ପଞ୍ଜାବ ସମସ୍ତଙ୍କ ଆର୍ଥିକ ବିକାଶରେ ମହାରାଷ୍ଟ୍ର-୧, ଓଡ଼ିଶା-୧୧ ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ଓଡ଼ିଶାର ଶାସନ ପୁଣି ଥରେ ଦେଶର ସବୁ ବଡ଼ ରାଜ୍ୟ ଭିତରେ […]

CM

  • Published: Friday, 13 January 2023
  • , Updated: 13 January 2023, 06:27 PM IST
  • ଦେଶର ୧୭ ବଡ଼ ରାଜ୍ୟରୁ ଶାସନରେ ସବୁଠାରୁ ତଳେ ଓଡ଼ିଶା
  • ‘କେୟାରଏଜ୍’ ରିପୋର୍ଟ ପୁଣି ଥରେ ଦେଖାଇଲା ଓଡ଼ିଶାର ସ୍ଥାନ
  • ସବୁ ଦୃଷ୍ଟିରୁ ୧ ନମ୍ବରରେ ମହାରାଷ୍ଟ୍ର, ୧୧ ନମ୍ବରରେ ଓଡ଼ିଶା
  • ଆର୍ଥିକ ସମୃଦ୍ଧ ରାଜ୍ୟରେ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର
  • ଆର୍ଥିକ ଶୃଙ୍ଖଳାରେ ଓଡ଼ିଶା ୧ ନମ୍ବର, ସବୁଠାରୁ ତଳେ ପଞ୍ଜାବ
  • ସମସ୍ତଙ୍କ ଆର୍ଥିକ ବିକାଶରେ ମହାରାଷ୍ଟ୍ର-୧, ଓଡ଼ିଶା-୧୧

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ଓଡ଼ିଶାର ଶାସନ ପୁଣି ଥରେ ଦେଶର ସବୁ ବଡ଼ ରାଜ୍ୟ ଭିତରେ ତଳେ ରହିଛି। ଦେଶର ଏକ ଅଗ୍ରଣୀ ରେଟିଂ କମ୍ପାନୀ ‘କେୟାରଏଜ୍’ ପକ୍ଷରୁ ପ୍ରଥମ ଥର ପାଇଁ ବିଭିନ୍ନ ରାଜ୍ୟକୁ ନେଇ ଏକ ରାଙ୍କିଙ୍ଗ୍ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ଦେଶର ୨୮ଟି ରାଜ୍ୟରୁ ୧୭ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାର ଶାସନ ସବୁଠାରୁ ତଳେ ରହିଥିବା ଦେଖାଯାଇଛି।

୧୦୦ ମାର୍କରୁ ଓଡ଼ିଶା ଶାସନ କ୍ଷେତ୍ରରେ ମାତ୍ର ୧୧.୫ ମାର୍କ ରଖି ସବୁଠାରୁ ତଳେ ଥିବାବେଳେ ଆନ୍ଧ୍ରପ୍ରଦେଶ ୬୭ ମାର୍କ ରଖି ୧-ନମ୍ବରରେ ରହିଛି। ମୁଖ୍ୟତଃ ଆଇନ, ପୁଲିସ୍, ଇ-ସେବା ଭଳି କ୍ଷେତ୍ରରେ ଓଡ଼ିଶା ଭଲ କରୁନଥିବାରୁ ପୁଞ୍ଜି ଆକର୍ଷଣରେ ବି ପଛରେ ରହୁଛି। ଯାହା ବିକାଶର ଗତିକୁ କମାଇ ଦେଉଥିବା ରିପୋର୍ଟରେ ଦର୍ଶାଯାଇଛି।

ଶାସନରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ। ନିକଟରେ ଘରୋଇ ମାଗାଜିନ୍ ‘ଇଣ୍ଡିଆ ଟୁଡେ’ ରିପୋର୍ଟରେ ମଧ୍ୟ ଓଡ଼ିଶାର ଶାସନ ୨୦ଟି ବଡ଼ ରାଜ୍ୟ ଭିତରେ ଲଗାତାର ଦ୍ୱିତୀୟ ଥର ପାଇଁ ୧୯ତମ ସ୍ଥାନରେ ରହିଥିବା ଦେଖାଯାଇଥିଲା।

ତେବେ ଆର୍ଥିକ ଶୃଙ୍ଖଳାରେ ବଡ଼ ରାଜ୍ୟ ଭିତରେ ୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ବିତ୍ତୀୟ ପରିଚାଳନା ଆଇନ ଭିତରେ ରହି ଓଡ଼ିଶା ସରକାର ଖର୍ଚ୍ଚ କରୁଥିବାରୁ ଏଭଳି ପ୍ରଦର୍ଶନ ଦେଖିବାକୁ ମିଳିଛି। ତେବେ ଏହି ଅର୍ଥ ସମସ୍ତଙ୍କ ବିକାଶରେ ଲାଗୁଛି କି ନାହିଁକୁ ଦେଖିଲେ ସମସ୍ତଙ୍କ ଆର୍ଥିକ ବିକାଶରେ ମହାରାଷ୍ଟ୍ର ୧ ନମ୍ବର ସ୍ଥାନରେ ଥିବା ବେଳେ ଓଡ଼ିଶା ୧୧ ନମ୍ବରରେ ରହିଛି।

ଆର୍ଥିକ ସମୃଦ୍ଧି, ଆର୍ଥିକ ଶୃଙ୍ଖଳା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଭିତ୍ତିଭୂମି, ସାମାଜିକ କ୍ଷେତ୍ର, ଶାସନ ଓ ପରିବେଶ ଭଳି ୭ଟି କ୍ଷେତ୍ରରୁ ମିଳିଥିବା ଅଧିକାଂଶ ସରକାରୀ ତଥ୍ୟକୁ ନେଇ ରାଜ୍ୟଗୁଡ଼ିକର ଏଭଳି ରାଙ୍କିଙ୍ଗ୍ କରିଛି ରେଟିଂ ଏଜେନସି ‘କେୟାରଏଜ୍’।

ସାମଗ୍ରିକ ବିକାଶ ବା କମ୍ପୋଜାଇଟ ରାଙ୍କିଗରେ ପ୍ରଥମ ତିନିଟି ସ୍ଥାନରେ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁ ଥିବାବେଳେ ଓଡ଼ିଶା ୧୧ ତମ ସ୍ଥାନରେ ରହିଛି।

ସାମାଜିକ କ୍ଷେତ୍ରର ବିକାଶରେ କେରଳ ୯୬.୪ ମାର୍କ ପାଇ ୧ ନମ୍ବରରେ ଥିବାବେଳେ ଓଡ଼ିଶା ୨୮.୨ ମାର୍କ ରଖି ୧୨ ତମ ସ୍ଥାନରେ ରହିଛି। ପଂଜାବର ଆର୍ଥିକ ଶୃଙ୍ଖଳା ସବୁଠାରୁ ଖରାପ ହେଲେ ସୁଦ୍ଧା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏହା ୧ ନମ୍ବର ସ୍ଥାନରେ ରହିଛି। ଆଉ ଓଡ଼ିଶାରେ ଭିତ୍ତିଭୂମିର ବିକାଶ ୧୫ତମ ସ୍ଥାନରେ ରହିଛି। ପରିବେଶ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ୧ ନମ୍ବର ସ୍ଥାନରେ ଥିବାବେଳେ ଓଡ଼ିଶା ୧୧ ନମ୍ବର ସ୍ଥାନରେ ରହିଛି।

Related story