ସୀମା ଖୋଜୁଛନ୍ତି ଦୁଇ ରାଜ୍ୟର କର୍ମଚାରୀ

ଜଳେଶ୍ୱର (ଅଜିତ କୁମାର ଦାସ): ସୀମା ବିବାଦରେ ଛନ୍ଦି ହୋଇପଡ଼ିଛି ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଅନେକ ଗାଁ। ଏହି ବିବାଦର ସମାଧାନ ପାଇଁ ଆଜି ଦୁଇ ରାଜ୍ୟର କର୍ମଚାରୀମାନେ ସୀମାରେ ପହଞ୍ଚିଛନ୍ତି। ସେମାନେ ସୀମାରେ ପୋତା ଯାଇଥିବା ଖୁଣ୍ଟିକୁ ଅନୁଧ୍ୟାନ କରି ସୀମା ନିର୍ଦ୍ଧାରଣ କରିଛନ୍ତି। ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ପାଇଁ ୨୦୧୮ ମସିହାରେ ଏନଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ଅର୍ଥାତ ଗତ ଫେବୃଆରୀ ୨୫ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର […]

balasore

Manoranjan Sial
  • Published: Monday, 01 March 2021
  • , Updated: 01 March 2021, 05:21 PM IST

ଜଳେଶ୍ୱର (ଅଜିତ କୁମାର ଦାସ): ସୀମା ବିବାଦରେ ଛନ୍ଦି ହୋଇପଡ଼ିଛି ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଅନେକ ଗାଁ। ଏହି ବିବାଦର ସମାଧାନ ପାଇଁ ଆଜି ଦୁଇ ରାଜ୍ୟର କର୍ମଚାରୀମାନେ ସୀମାରେ ପହଞ୍ଚିଛନ୍ତି। ସେମାନେ ସୀମାରେ ପୋତା ଯାଇଥିବା ଖୁଣ୍ଟିକୁ ଅନୁଧ୍ୟାନ କରି ସୀମା ନିର୍ଦ୍ଧାରଣ କରିଛନ୍ତି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ପାଇଁ ୨୦୧୮ ମସିହାରେ ଏନଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ଅର୍ଥାତ ଗତ ଫେବୃଆରୀ ୨୫ ତାରିଖରେ ପଶ୍ଚିମବଙ୍ଗ ରାଜ୍ୟର ପଶ୍ଚିମ ମେଦିନୀପୁରଠାରେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମାତ୍ର ଏହାର କୌଣସି ନିଷ୍କର୍ଷ ବାହାରି ପାରିନଥିଲା।

ଆଜି ଉଭୟ ରାଜ୍ୟର ପଦାଧିକାରୀମାନଙ୍କ ୮ ଜଣିଆ ଟିମ୍‌ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ପହଞ୍ଚିଛନ୍ତି। ସେମାନେ ସୀମା ଚିହ୍ନଟ ପାଇଁ ଲାଗିଥିବା ଖୁଣ୍ଟି ଗୁଡ଼ିକୁ ତଦାରଖ କରିଛନ୍ତି। ଆଲୋଚନା ପରେ ସୀମା ନିର୍ଦ୍ଧାରଣ କରାଯାଇଥିବା ଜଣାପଡ଼ିଛି।

ସୀମା ବିବାଦରେ ଓଡ଼ିଶାର ୯ଟି ଓ ପଶ୍ଚିମବଙ୍ଗର ୧୩ ଗାଁ ବିବାଦରେ ଛନ୍ଦି ହୋଇପଡ଼ିଥିଲା।

୨୦୨୦ ନଭେମ୍ୱର ମାସରେ ପଶ୍ଚିମବଙ୍ଗର ଦୀଘା ଡେଭ୍‌ଲପ୍‌ମେଣ୍ଟ ଅଥରିଟିର କର୍ମକର୍ତ୍ତାମାନେ ଅଚାନକ ଭୋଗରାଇ ବ୍ଲକ୍‌ର ସାହାବାଜିପୁର ଓ ପଦିମା ଗାଁରେ ପହଞ୍ଚି ବୁଲଡୋଜରରେ ବହୁ ମୂଲ୍ୟବାନ ଗଛ ଭାଙ୍ଗି ପକାଇଥିଲେ। ଏପରିକି କେତେକ ଲୋକଙ୍କ ପାନ ବରଜ ବାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଏହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିବାରୁ ସେମାନେ ଫେରି ଯାଇଥିଲେ। ଏହାକୁ ନେଇ ସାହାବାଜିପୁର ଓ ପଦିମା ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାରୁ ପ୍ରକାଶ, ଦୀଘାର ସମୁଦ୍ର କୂଳିଆ କିଛି ଲୋକଙ୍କୁ ବିବାଦୀୟ ସାହାବାଜିପୁର ଓ ପଦିମା ଗାଁ ଲୋକଙ୍କ ଜମିରେ ଥଇଥାନ କରିବାକୁ ପଶ୍ଚିମବଙ୍ଗ ସରକାର ଯୋଜନା କରୁଛି। ସେଥିପାଇଁ ଗତ ଦୁଇ ଦିନରେ ଗାଁରେ ବୁଲ୍‌ଡୋଜର ବୁଲୁଛି।

Related story