ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁକ୍ରେନ୍ ଓ ରୁଷ ଯୁଦ୍ଧ ଯୋଗୁ ଖାଇବା ତେଲର ଦର, ବିଶେଷ କରି ସୂର୍ଯ୍ୟମୁଖୀ ତେଲ ଦର ଅହେତୁକ ବଢିବାର ଆଶଙ୍କା ରହିଛି। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ କରିଛି। ଦୁଇଦିନ ତଳେ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ଫେସ୍ବୁକ୍ ପୋଷ୍ଟରେ ଏପରି ଲେଖିଥିଲେ। କିନ୍ତୁ ଆଜି ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ଅଲଗା କଥା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଓଡ଼ିଶାରେ ପର୍ଯ୍ୟାନ୍ତ ପରିମାଣର ତେଲ ମହଜୁଦ୍ ରହିଛି। ଭୟ କରିବାର ନାହିଁ। କିନ୍ତୁ ରାଜ୍ୟ ସରକାର ଆମକୁ ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତାହାହେଲେ ମନ୍ତ୍ରୀ କ’ଣ ଅଯଥାରେ ରାଜ୍ୟବାସୀଙ୍କୁ ଭୟଭୀତ କରାଉଛନ୍ତି କି?
ରାଜ୍ୟରେ ତେଲ ବୃଦ୍ଧି ନେଇ ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ଅଯଥା ଭୟ ସୃଷ୍ଟି କରନ୍ତୁ। ଘରେ ଅଯଥାରେ ତେଲ ଗଚ୍ଛିତ ରଖନ୍ତୁ ନାହିଁ। ବର୍ତ୍ତମାନ ସେମିତି କିଛି ପରିସ୍ଥିତି ଆସିନାହିଁ। ଲୋକଙ୍କୁ ଚାହିଦା ମୁତାବକ ତେଲ ଯୋଗାଇ ଦେବା ପାଇଁ ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ଉଦ୍ୟମ କରାଯାଉଛି।”
ସେ ଆହୁରି କହିଛନ୍ତି, “ଆମେ ରାଜ୍ୟ ସରକାରଙ୍କୁ ୧୫ରୁ ୨୦ ଦିନ ହେଲା ଅନୁରୋଧ କରିଛୁ। ହେଲେ ସରକାରଙ୍କ ତରଫରୁ କୌଣସି ଉଦ୍ୟମ ହୋଇନାହିଁ। ରାଜ୍ୟ ସରକାର କୌଣସି ପ୍ରକାର ସୂଚନା ଦେଉନାହାନ୍ତି। ଆମେ ପୁଣି ଥରେ ସରକାରଙ୍କୁ ଅନୁରୋଧ କରୁଛୁ, ଯେତେ ଶୀଘ୍ର ପାରୁଛନ୍ତି- ବ୍ୟବସାୟୀ ସଂଘ ସହିତ ଆଲୋଚନା କରନ୍ତୁ। ଆଗାମୀ ଦିନରେ ହେବାକୁ ଯାଉଥିବା ଖାଉଟିଙ୍କ ସମସ୍ୟା ସାମାଧାନ କରନ୍ତୁ।”
ଶ୍ରୀ ପଣ୍ଡା ଆହୁରି କହିଛନ୍ତି, “ଆମ ଚାହିଦାର ୭୦ ପ୍ରତିଶତ ତେଲ ଦେଶ ବାହାରୁ ଆମଦାନୀ କରୁଛୁ। ସେଥିରୁ ମାତ୍ର ୨୦ ପ୍ରତିଶତ ହେଉଛି ସୂର୍ଯ୍ୟମୁଖୀ ତେଲ। ଆମଦାନୀ ହେଉଥିବା ସୂର୍ଯ୍ୟମୁଖୀର ୯୦% ଆମେ ୟୁକ୍ରେନ୍ ଓ ରୁଷରୁ ଆଣୁଛୁ। ସୂର୍ଯ୍ୟମୁଖୀ ତେଲ ନଆସିଲେ ବିକଳ୍ପ ଭାବେ ସୋରିଷ ତେଲକୁ ବ୍ୟବହାର କରାଯାଇପାରିବ। କାରଣ ଚଳିତବର୍ଷ ପ୍ରଚୁର ପରିମାଣର ସୋରିଷ ଚାଷ ହୋଇଛି। ତେଣୁ ସୂର୍ଯ୍ୟମୁଖୀ ତେଲର ଅଭାବ ସୋରିଷ ତେଲ ମାଧ୍ୟମରେ ତୁଲାଇ ହୋଇପାରିବ। କିନ୍ତୁ ଇଣ୍ଡୋନେସିଆରୁ ଆସୁଥିବା ପାମୋଲିନ୍ ତେଲର ଆମଦାନୀ ଯୁଦ୍ଧ ଯୋଗୁ କିଛି ସମସ୍ୟା ଦେଖାଦେଇଛି। ଆମଦାନୀ ବ୍ୟାଘାତ ଘଟିଛି। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି, ଲ୍ୟାଣ୍ଡିଂ କଷ୍ଟ କଣ ପଡ଼ୁଛି? ତାହା ଉପରେ ସରକାର ନଜର ରଖିବା ଦରକାର।”