ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିବା ସହ ବିଷ୍ଟା ଖୁଆଇଲେ

ଫୁଲବାଣୀ (ତ୍ରିନାଥ ସାହୁ): ଗୁଣିଗାରେଡ଼ି ସନ୍ଦେହରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ କଲୋନୀ ସାହିର ଏକ ବୃଦ୍ଧ ଦମ୍ପତିଙ୍କୁ ସ୍ଥାନୀୟ ଲୋକେ ପିଟିବା ସହିତ ସେମାନଙ୍କୁ ବିଷ୍ଟା ଖୁଆଇଥିବା ଅଭିଯୋଗ ହୋଇଛି। ବୃଦ୍ଧ ଦମ୍ପତି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଏହି ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଛି।

ଏହି ବୃଦ୍ଧ ଦମ୍ପତି ହେଲେ ମେରସନ ଦିଗାଲ ଓ ପେଟି ଦିଗାଲ। ମାଡ଼ ଖାଇ ଲହୁଲୁହାଣ ହୋଇଥିବା ମେରସନଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି।

ଗତକାଲି ସନ୍ଧ୍ୟାରେ ମେରସନ ସାରଙ୍ଗଡ଼ ବଜାରରୁ ରୁଟ ନେଇ ଫେରୁଥିବା ବେଳେ ବିଦ୍ୟୁତ୍ ଚାଲି ଯାଇଥିବାରୁ ଭୁଲ୍‌ରେ ଅନ୍ୟ ଜଣଙ୍କ ଘରେ ପଶି ଯାଇଥିଲେ। ଏହା ପରେ ସେହି ଘରର ମହିଳାଙ୍କ ସହ ସାହିର ଅନ୍ୟମାନେ ମିଶି ତାଙ୍କୁ ନିସ୍ତୁକ ପିଟି ଥିଲେ। ଗୁଣିଗାରେଡ଼ି କରୁଥିବା କହି ମେରସନଙ୍କୁ ସେମାନେ ପିଟିଥିଲେ।

ଏହି ଖବର ପାଇ ପତ୍ନୀ ପେଟି ଦିଗାଲ ସେଠାରେ ପହଞ୍ଚିଥିଲେ। ସେ ବି ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା। ପିଟିବା ପରେ ଲୋକେ ସେମାନଙ୍କୁ ବିଷ୍ଟା ଖୁଆଇ ଥିଲେ। ମେରସନ ଓ ପେଟିଙ୍କୁ ଆମ୍ବୁଲାନ୍ସରେ ଆଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ସାରଙ୍ଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ତେବେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।