କେନ୍ଦୁଝର (ପ୍ରଣୟ କୁମାର ପାଣି): ନିଜ ଜମିରେ ମୁଗ, ବିରି, ରାଶି, ମାଣ୍ଡିଆ, ଧାନ ଓ ପନିପରିବା କରି ଚଳୁଥିଲେ। ହେଲେ ସେହି ଜମି ଉପରେ ପଡ଼ିଲା ଓଡ଼ିଶା ମାଇନିଂ କର୍ପୋରେଶନ୍(ଓଏମ୍ସି) ନଜର। ସୁନେଲୀ ସ୍ୱପ୍ନ ଦେଖାଇ ହାତେଇ ନେଲା ଗରିବ ଆସିବାସୀଙ୍କ ଜମିକୁ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଠକିଦେଲା। ନିଜର ଜମି ଗଲା ପରେ ଖାଇବାକୁ ନପାଇ ଗରିବ ଆଦିବାସୀମାନେ ଏବେ ଗାଈ ଚରାଇ ପରିବାର ପୋଷଣ କରୁଛନ୍ତି। ଏପରି ଅଭିଯୋଗ ଆସିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ।
ବାଂଶପାଳ ବ୍ଳକ୍ ଶୁଆକାଟୀ ଗାଁରେ ରହିଛି ଓଏମ୍ସି ଖଣି। ଏହି ଖଣିର ଖନନ ଓ ଡମ୍ପିଙ୍ଗ ୟାର୍ଡକୁ ହାତେଇବା ପାଇଁ ଗ୍ରାମସଭାରେ ବଡବଡ ସ୍ଵପ୍ନ ଦେଖାଇଥିଲା ଓଏମ୍ସି। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଓଏମ୍ସି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାତ ଦୂରର କଥା, ନିଜର ଡମ୍ପିଙ୍ଗ ୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ। ଯେଉଁ ଜମି ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡାଙ୍କ ନାଁରେ ରହିଛି।
[caption id="attachment_662803" align="aligncenter" width="650"]
ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡା ହେଉଛନ୍ତି ବହୁ ଗରିବ। ନିଜର ଏକର ଏକର ଜମିରେ ବିଭିନ୍ନ ଚାଷ କରି ଖୁସିରେ ଚଳୁଥିଲେ। ସ୍ୱପ୍ନରେ କେବେ ଭାବି ନଥିବା ନିଜର ଜମିକୁ ଏମିତି ଓଏମ୍ସି ହାତେଇ ନେବ ବୋଲି। ଯେଉଁ ଜମିକୁ ଚାଷ କରି ପରିବାର ଭରଷ ପୋଷଣ କରୁଥିଲେ, ସେଠାରେ ଏବେ ଡମ୍ପିଙ୍ଗୟାର୍ଡ ନିର୍ମାଣ କରାଯାଉଛି। ପେଟ ଚାଖଣ୍ଡକ ପାଇଁ ଏବେ ଏହି ଦୁଇ ଜଣ ଗାଈ ଚରାଉଛନ୍ତି। ଖାଲି ଏହି ଦୁଇ ଜଣ ନୁହଁନ୍ତି, ସେହି ଗାଁର ସୁନାରାମ ମୁଣ୍ଡା, ଭାଗିରଥି ମୁଣ୍ଡା, ମହୁର ବେହେରା, ମଦନ ମୋହନ ନାଏକ, ସୁନ୍ଦରୀ ବେହେରା, ନାରଦ କାର୍ଜୀ, ଫଗୁ ବେହେରା ଇତ୍ୟାଦିଙ୍କ ଜମିକୁ ଓଏମ୍ସି ହଡ଼ପ୍ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ କଲେ ନାଲି ଆଖି ଦେଖାଯାଉଛି। ସବୁଆଡୁ ନିରାଶ ହେବା ପରେ ଜମି ହରାମାନେ ବାଂଶପାଳ ତହସିଲଦାର ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
୨୦୧୮ ଏପ୍ରିଲ ମାସରେ ଯେତେବେଳେ ଓଏମ୍ସି ଜୋର ଜବରଦସ୍ତ ଡମ୍ପିଙ୍ଗୟାର୍ଡର ପାଚେରୀ କାମ ଆରମ୍ଭ କଲା, ସେତେବେଳେ ଜମିହରାମାନେ ବାରମ୍ୱାର ବାଂଶପାଳ ତହସିଲଦାରଙ୍କ ଦ୍ଵାରସ୍ଥ ହୋଇଥିଲେ। ହେଲେ ତହସିଲଦାର କୌଣସି ପଦକ୍ଷେପ ନେଲେନାହିଁ। ତେଣୁ ଏମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେସ କ୍ରମେ ତହସିଲଦାର ଜମି ଚିହ୍ନଟ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍ କରିଥିଲେ। ଇତି ମଧ୍ୟରେ ଓଏମସି ତା’ର ପାଚେରୀ କାମ ସମ୍ପୂର୍ଣ୍ଣ କରି ଡ଼ମ୍ପିଙ୍ଗ ୟାର୍ଡ ଚାଲୁ ମଧ୍ୟ କରିଦେଲା। ହେଲେ ଆଜି ଯାଏ ଜମି ଚିହ୍ନଟ ହେଲାନାହିଁ।
ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ ନାଏକ ଦିନେ ସେହି ଗ୍ରାମକୁ ପରିଦର୍ଶନରେ ଯାଇଥିଲେ। ଗାଁ ଲୋକଙ୍କଠାରୁ ଅଭିଯୋଗ ପାଇ ତହସିଲଦାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସନ୍ତୋଷ ନାଏକ।