ନାବାଳିକା ପ୍ରେମିକା ଏବେ ସାବାଳିକା ମା’, ତଥାପି ପୁରୁଣା ଅଭିଯୋଗରେ ସ୍ୱାମୀ ଗିରଫ

ଫୁଲବାଣୀ(ତ୍ରିନାଥ ସାହୁ): ଆଖିରେ ଆଖି ମିଶିବା ପରେ ଦୁନିଆ ପର ଲାଗିଥିଲା। ଯାହାକୁ ଭଲ ପାଉଥିଲା, ତା ହାତ ଧରି ବର୍ଷେ ତଳେ ଘର ଛାଡ଼ିଥିଲା ନାବାଳିକା। କନ୍ଧମାଳର ଆଦିବାସୀ ମୁଲକରୁ ଯାଇ ମଧ୍ୟପ୍ରଦେଶରେ ପହଞ୍ଚିଥିଲା। ଇତି ମଧ୍ୟରେ ସାବାଳିକା ହୋଇ ଯାଇଥିବା ନାବାଳିକା ଜଣକ ହସଖୁସିରେ ସଂସାର କରିଥିବା ବେଳେ ଗର୍ଭବତୀ ବି ହୋଇଥିଲା। ହେଲେ ପୂର୍ବ ଅଭିଯୋଗ ଭିତ୍ତିରେ ତା’ର ସ୍ୱାମୀଙ୍କୁ ଏବେ ପୁଲିସ ଗିରଫ କରିବା ପରେ ପ୍ରେମିକାରୁ ମା’ ହେବାକୁ ଯାଉଥିବା […]

hand

  • Published: Friday, 04 November 2022
  • , Updated: 04 November 2022, 10:48 AM IST

ଫୁଲବାଣୀ(ତ୍ରିନାଥ ସାହୁ): ଆଖିରେ ଆଖି ମିଶିବା ପରେ ଦୁନିଆ ପର ଲାଗିଥିଲା। ଯାହାକୁ ଭଲ ପାଉଥିଲା, ତା ହାତ ଧରି ବର୍ଷେ ତଳେ ଘର ଛାଡ଼ିଥିଲା ନାବାଳିକା। କନ୍ଧମାଳର ଆଦିବାସୀ ମୁଲକରୁ ଯାଇ ମଧ୍ୟପ୍ରଦେଶରେ ପହଞ୍ଚିଥିଲା। ଇତି ମଧ୍ୟରେ ସାବାଳିକା ହୋଇ ଯାଇଥିବା ନାବାଳିକା ଜଣକ ହସଖୁସିରେ ସଂସାର କରିଥିବା ବେଳେ ଗର୍ଭବତୀ ବି ହୋଇଥିଲା। ହେଲେ ପୂର୍ବ ଅଭିଯୋଗ ଭିତ୍ତିରେ ତା’ର ସ୍ୱାମୀଙ୍କୁ ଏବେ ପୁଲିସ ଗିରଫ କରିବା ପରେ ପ୍ରେମିକାରୁ ମା’ ହେବାକୁ ଯାଉଥିବା ସାବାଳିକା ମୁଣ୍ଡରେ ବଜ୍ର ପଡ଼ିଛି।

ନାବାଳିକାର ମା’ ବର୍ଷେ ପୂର୍ବେ ଝିଅ ଅପହରଣ ଅଭିଯୋଗ କରିଥିବା ବେଳେ ବର୍ଷେ ପରେ ପୁଲିସ୍‌ ନେଇଛି ଆକ୍ସନ। କନ୍ଧମାଳ ପୁଲିସ୍‌ ମଧ୍ୟପ୍ରଦେଶରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ମା’ର ଅଭିଯୋଗ ପାଇଁ ମୋ ଘର ଉଜୁଡ଼ି ଗଲା ବୋଲି ଯୁବତୀ ଜଣକ କୋହ ଭରା କଣ୍ଠରେ କହିଛନ୍ତି।

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କର ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ନାବାଳିକାଙ୍କ ଗାଁରେ ଟ୍ରାକ୍ଟର ଚଳାଉଥିବା ବେଳେ ସେଠାରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଅଭିଯୁକ୍ତ ଜଣକ ନାବାଳିକାକୁ ମଧ୍ୟପ୍ରଦେଶସ୍ଥିତ  ନିଜ ଘରକୁ ନେଇଯାଇଥିଲେ। ସେହି ସମୟରେ ନାବାଳିକାକୁ ୧୭ ବର୍ଷ ହୋଇଥିଲା। ସେଠାରେ ଉଭୟ ପତିପତ୍ନୀ ପରି ରହିଥିବା ବେଳେ ଏବେ ଯୁବତୀ ଜଣକ ୭ ମାସର ଗର୍ଭବତୀ ଅଛନ୍ତି। ଇତି ମଧ୍ୟରେ ବର୍ଷେ ବିତି ଯାଇଥିବା ବେଳେ ନାବାଳିକା ଜଣକ ସାବାଳିକା ହୋଇ ସାରିଛନ୍ତି।

ମାତ୍ର ଝିଅ ଅପହରଣ ନେଇ ନାବାଳିକାଙ୍କ ମା’ ଗୋଛାପଡ଼ା ଥାନାରେ କରିଥିବା ଅଭିଯୋଗ ଏବେ ତାଙ୍କ ଘର ଉଜାଡ଼ି ଦେଇଥିବା ଝିଅ କହିଛନ୍ତି। ଗୋଛାପଡ଼ା ଥାନା ପୁଲିସ ଉଭୟଙ୍କୁ ମଧ୍ୟପ୍ରଦେଶରୁ ଫୁଲବାଣୀ ଆଣିବା ପରେ ଉଭୟଙ୍କ ଡାକ୍ତରୀ ମାଇନା କରିଛି।

ଯୁବତୀ ଜଣକ ୭ ମାସର ଗର୍ଭବତୀ  ସତ୍ତ୍ୱେ ନିଜ ବାପ ଘରକୁ ଫେରିବାରୁ ମନା କରି ଦେଇଛନ୍ତି। ତେଣୁ ଥଇଥାନ ପାଇଁ ତାଙ୍କୁ କନ୍ଧମାଳ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଥିବା ବେଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଗୋଛାପଡ଼ା ଥାନାଧିକାରୀ ସୂଚନା ଦେଇଛନ୍ତି।

Related story