ପୁଣି ଇମ୍ଫା ପ୍ଲାଣ୍ଟ ଆଗରେ ଆନ୍ଦୋଳନ: ବିରୋଧୀ କହିଲେ, ସରକାରଙ୍କ ପ୍ରରୋଚନାରେ ଚାଲିଛି

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫାରେ ପୁଣି ତେଜିଛି ଆନ୍ଦୋଳନ। ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଲା କରିଥିବା ଅଭିଯୋଗ କରି ଆଜିଠୁ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ବି ଦେଇଛନ୍ତି। ତେବେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଥିବା ବେଳେ ପୁନର୍ବାର ଏଭଳି ଆନ୍ଦୋଳନ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିବା ସନ୍ଦେହ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ […]

imfa

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 09:23 PM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫାରେ ପୁଣି ତେଜିଛି ଆନ୍ଦୋଳନ। ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଲା କରିଥିବା ଅଭିଯୋଗ କରି ଆଜିଠୁ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ବି ଦେଇଛନ୍ତି। ତେବେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଉଥିବା ବେଳେ ପୁନର୍ବାର ଏଭଳି ଆନ୍ଦୋଳନ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିବା ସନ୍ଦେହ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ପ୍ରରୋଚନାରେ ଏହି ଆନ୍ଦୋଳନ ଚାଲିଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ଆନ୍ଦୋଳନ ଯୋଗୁଁ ଥେରୁବାଲି ଇମ୍ଫାରେ ପୁଣି ଅଚଳାବସ୍ଥା ଦେଖା ଦେଇଛି। ଆନ୍ଦୋଳନକାରୀ କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ନା କେହି ଭିତରକୁ ଯାଇ ପାରୁଛନ୍ତି, ନା ଆସି ପାରୁଛନ୍ତି। କାରଖାନାରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ତ୍ରିପାକ୍ଷିକ ବୈଠକରେ ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ମାତ୍ର ଦେଢ଼ମାସ ବ୍ୟବଧାନରେ ପୁଣି କାରଖାନାରେ ଏ ଅଚଳବସ୍ଥା ଯୋଗୁଁ ପେଟପାଟଣା ଚିନ୍ତାରେ ପଡିଛନ୍ତି ଶ୍ରମିକ।

ସୂଚନାଯୋଗ୍ୟ, ଏପ୍ରିଲ ୨୩ରୁ ମେ ୧୦ ପର୍ଯ୍ୟନ୍ତ ଇମ୍ଫା ଆଗରେ ଚାଲିଥିଲା ଧାରଣା, ଆନ୍ଦୋଳନ। ଏହା ଭିତରେ ଦେଖିବାକୁ ମିଳିଥିଲା ଆତଙ୍କରାଜ। ଦାବି ପୂରଣ ଆଳରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଅରାଜକତାକୁ ନେଇ ଦୀର୍ଘ ୧୮ ଦିନ ଧରି ବନ୍ଦ ରହିଥିଲା ଥେରୁବାଲି ପ୍ଲାଣ୍ଟ। ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ହଟିଥିଲା। ୧୧ ତାରିଖରୁ ପୁଣି ସ୍ୱାଭାବିକ ହୋଇଥିଲା କାରଖାନାରେ ସ୍ଥିତି। ହେଲେ ମାତ୍ର ଦେଢ଼ ମାସ ପରେ ପୁଣି ପୂର୍ବ ସ୍ଥିତି। ଇମ୍ଫା କର୍ତ୍ତୃପକ୍ଷଙ୍କ କହିବା କଥା, ଗତ ମାସରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଦାବି ପୂରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହୋଇ ନଥିଲା। ହେଲେ ଯେଉଁ ସବୁ ଦାବି ପୂରଣ ପାଇଁ କଂପାନୀ ରାଜି ହୋଇଥିଲା, ସେସବୁକୁ ପୂରଣ କରିବା ପାଇଁ କାମ ଆରମ୍ଭ ହୋଇଯାଇଛି। ଆନ୍ଦୋଳନକାରୀଙ୍କ ଦାବି ମୁତାବକ ଆମ୍ବୁଲାନ୍ସ ପାଇଁ ଅର୍ଡର ଦିଆଯାଇଛି, ଏହା ଜୁଲାଇ ମାସରେ ଆସିବ। ସେଭଳି କିଛି ଗାଁରେ ଆଲୋକୀକରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦାବି ପୂରଣ ଲାଗି ପ୍ରକ୍ରିୟା ଚାଲିଛି। ଏନେଇ କଂପାନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଛି। ଏହାସତ୍ତ୍ୱେ ଯଦି ଆନ୍ଦୋଳନ କରାଯାଉଛି, ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି।

ଅନ୍ୟପକ୍ଷରେ ଇମ୍ଫା ଆଗରେ ପୁଣି ଆନ୍ଦୋଳନକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ବିରୋଧୀ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏହା ରାଜନୈତିକ ଆକ୍ରୋଶ ହୋଇପାରେ। ଯେଉଁମାନେ ଧାରଣାରେ ବସିଥିଲେ ସେମାନେ ଆଲୋଚନା ନିଷ୍ପତ୍ତି ଅନୁସାରେ ରହିଲେ ନାହିଁ। ଏ ଦେଖିବା ସରକାର ଓ ଜିଲ୍ଲାପାଳଙ୍କ କାମ। ପୁଣି ଥରେ କମ୍ପାନୀ ବନ୍ଦ କରିବା ପଛରେ ସରକାରଙ୍କ ହାତ ଅଛି କି ?”

ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି, “ଏପରି ଆନ୍ଦୋଳନ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ହେଉଛି। ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏସବୁ ହେଉଛି।”

ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ କହିଛନ୍ତି, “କମ୍ପାନୀ ଆଗୁ ଆସି ଆଦିବାସୀ ଭାଇମାନଙ୍କ ଦାବି ମାନି ନେବା ଉଚିତ। ଦାବି ପୂରଣ ନକଲେ ନିଶ୍ଚିତ କ୍ଷୋଭ ବଢ଼ିବ।”

ଶିଳ୍ପ ସଂସ୍ଥା ବିରୋଧରେ ଆନ୍ଦୋଳନ କିଛି ନୂଆ କଥା ନୁହେଁ। ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଢେଙ୍କାନାଳ ସ୍ଥିତ ଭୂଷଣ ପ୍ଲାଣ୍ଟରେ ମଧ୍ୟ ଶ୍ରମିକ ଆନ୍ଦୋଳନ ହୋଇଥିଲା। ହେଲେ ପ୍ରଶାସନର ତତ୍କାଳ ହସ୍ତକ୍ଷେପ ପରେ ସେହିଦିନ ହିଁ ସମସ୍ୟାର ସମାଧାନ ହୋଇଥିଲା। ତେବେ ଇମ୍ଫା କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଆଭିମୁଖ୍ୟରୁ ଏହା ଯେ ଆକ୍ରୋଶ ଏବଂ ଅଭିସନ୍ଧିମୂଳକ ଆନ୍ଦୋଳନ, ସେ ସନ୍ଦେହ ବଢିବାରେ ଲାଗିଛି।

Related story