ଟ୍ରକ୍‌କୁ ପଛରୁ ପିଟିଲା ବସ୍‌; ହେଲ୍‌ପର ମୃତ

ସୋର/ବାଲେଶ୍ୱର (ଶଶିକାନ୍ତ ବେହେରା/ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ସହିତ ବସ୍‌ର ଧକ୍କା ହୋଇଛି। ଟ୍ରକ୍‌ଟି ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବସ୍‌ଟି ତା’ ପଛରେ ପିଟି ହୋଇଯାଇଥିଲା। ଏଥିରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମାନୁ ଟୁଡୁ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ।

helper
ମୃତ ମାନୁ ଟୁଡୁ

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଏକ ଟେଣ୍ଟ୍ ହାଉସ୍‌ର ଜିନିଷପତ୍ର ନେଇ ବାରିପଦା ଅଭିମୁଖେ ଯାଉଥିବା ବେଳେ ଚକା ଫାଟି ଯିବାରୁ ବାରିକପୁର ନିକଟରେ ଅଟକି ଥିଲା। ଡ୍ରାଇଭର ଚକା ବଦଳାଉଥିବା ବେଳେ ଭୁବନେଶ୍ୱରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ସାଇଶଙ୍କର ନାମକ ବସ୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା।

truck
ବସ୍ ଧକ୍କା ଦେବା ପରେ ଟ୍ରକ୍‌ଟି ଓଲଟି ପଡ଼ିଛି।

ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହେଲ୍‌ପର୍‌ଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ବସ୍‌ ଧକ୍କାରେ ଟ୍ରକ୍‌ଟି ରାସ୍ତାକଡ଼କୁ ଗଡ଼ି ଯାଇ ଓଲଟି ପଡ଼ିଥିଲା।

ହେଲ୍‌ପର୍ ମାନୁ ଟୁଡୁଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ବସ୍‌ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।