ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ୯ ନମ୍ୱରରେ; ପ୍ରତି ତିନି ଜଣରେ ଜଣେ ଗରିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟ ସରକାର କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି। ଏହା ସତ୍ତ୍ୱେ କମୁନି ପେଟର ଦୁଃଖ। ଏବେବି ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି ଗରିବ। ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ୯ମ ସ୍ଥାନରେ ଥିବା ବେଳେ ପ୍ରତି ତିନି ଜଣରେ ଜଣେ ଗରିବ ରହିଛନ୍ତି। ଅର୍ଥାତ୍ ରାଜ୍ୟର ୨୯.୩୫ ପ୍ରତିଶତ ଲୋକ ଗରିବ ରହିଥିବା ନୀତି ଆୟୋଗର ସଦ୍ୟତମ ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରୁ ଜଣାପଡ଼ିଛି। ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ […]

Poor

Manoranjan Sial
  • Published: Friday, 26 November 2021
  • , Updated: 26 November 2021, 09:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟ ସରକାର କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି। ଏହା ସତ୍ତ୍ୱେ କମୁନି ପେଟର ଦୁଃଖ। ଏବେବି ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି ଗରିବ। ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ୯ମ ସ୍ଥାନରେ ଥିବା ବେଳେ ପ୍ରତି ତିନି ଜଣରେ ଜଣେ ଗରିବ ରହିଛନ୍ତି। ଅର୍ଥାତ୍ ରାଜ୍ୟର ୨୯.୩୫ ପ୍ରତିଶତ ଲୋକ ଗରିବ ରହିଥିବା ନୀତି ଆୟୋଗର ସଦ୍ୟତମ ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରୁ ଜଣାପଡ଼ିଛି।

ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ ଓଡ଼ିଶାର ୩ ପଛୁଆ ଜିଲ୍ଲା-  ନରବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ସ୍ଥିତି ଆହୁରି ଖରାପ ରହିଛି। ନବରଙ୍ଗପୁରର ୫୯.୩୨% ଲୋକ ଗରିବ ହୋଇଥିବା ବେଳେ ମାଲକାନଗିରିର ୫୮.୭୧% ଓ କୋରାପୁଟର ୫୧.୧୪% ଲୋକଙ୍କ ଆର୍ଥିକ ଅବସ୍ଥା ଅତି ଦୟନୀୟ ରହିଛି। ପ୍ରଥମ ଥର ଲାଗି ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଦାରିଦ୍ର୍ୟ ରିପୋର୍ଟରେ କେବଳ କ୍ଷୁଧା ବା ଅନାହାରକୁ ମାନଦଣ୍ଡ ହିସାବରେ ନିଆଯାଇନି। ଗରିବର ସଂଜ୍ଞା ନିର୍ଦ୍ଧାରଣ ଲାଗି  ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବିଜୁଳି ବ୍ୟବହାର, ସ୍ୱଚ୍ଛ ଇନ୍ଧନ ବ୍ୟବହାରକୁ ମଧ୍ୟ ବିଚାରକୁ ନିଆଯାଇଛି। ଓଡ଼ିଶାର ୧୬ଟି ଜିଲ୍ଲାର ଦାରିଦ୍ର୍ୟ ହାର ଜାତୀୟ ହାରଠାରୁ ଉପରେ ରହିଛି। ଏମିତିକି ଖଣିଜ ପଦାଥ ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୧.୭୮ ପ୍ରତିଶତ ଲୋକ ଗରିବ।

ନୀତି ଆୟୋଗର ନୂଆ ମାନଦଣ୍ଡ ଅନୁସାରେ ଏବେ ଦେଶର ପ୍ରତି ୪ ଜଣରେ ଜଣେ  ଅର୍ଥାତ ୨୫.୦୧ ପ୍ରତିଶତ ଗରିବ ଅଛନ୍ତି। ବିହାର ଦେଶର ସବୁଠୁ ଗରିବ ରାଜ୍ୟ ହୋଇଥିବା ବେଳେ ଏଠାରେ ୫୧.୯୧ ପ୍ରତିଶତ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ  ନୁହେଁ। କେରଳରେ ଗରିବଙ୍କ ସଂଖ୍ୟା ସବୁଠୁ କମ୍‌। ଏଠାରେ ଗରିବଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ମାତ୍ର ୦.୭୧ ପ୍ରତିଶତ।

ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ୨୨ ବର୍ଷର ଶାସନ ସତ୍ତ୍ୱେ ନବୀନ ସରକାରର ଦୂରଦୃଷ୍ଟି ଅଭାବ ଏବଂ ଦୀର୍ଘ ମିଆଦୀ ଯୋଜନାର ବିଫଳତା ଯୋଗୁ ରାଜ୍ୟର ଏ  ସ୍ଥିତି ବୋଲି କହିଛି ବିଜେପି। ସେପଟେ କଂଗ୍ରେସ କହିଛି, ବିଜେଡି ସରକାରର ସବୁ ଯୋଜନା ଦଳୀୟ ଭିତ୍ତିରେ ହେଉଛି। ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁନି। ନୀତି ଆୟୋଗ ରିପୋର୍ଟ ତା’ର ଉଦାହରଣ ବୋଲି ଦଳ କହିଛି। ତେବେ ଦାରିଦ୍ର୍ୟ ଦୂରୀକରଣ ଲାଗି ସରକାର ଉଦ୍ୟମ ଜାରି ରଖିଥିବା ବିଜେଡି ସଫେଇ ଦେଇଛି।

Related story