ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନାନୁମତିରେ ୧୦ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ(ବନ୍ଦ ରୁମ୍ ହେଉ ଅବା ବାହାରେ) ଏକ ସମୟରେ ଏକଜୁଟ ହେଲେ ସେମାନଙ୍କଠୁ ଅବା ସମ୍ପୃକ୍ତ କାର୍ଯ୍ୟକ୍ରମର ଆୟୋଜକଙ୍କଠୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ। ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର କୋଭିଡ-୧୯ ନିୟମାବଳୀ-୨୦୨୦ରେ ଚତୁର୍ଥ ସଂଶୋଧନ କରି ବିଭିନ୍ନ ନିୟମ ଉଲ୍ଲଘଂନ ନିମନ୍ତେ ଜୋରିମାନା ପରିମାଣକୁ ଏଭଳି ଭାବେ ବୃଦ୍ଧି କରିଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଦସ୍ତଖତରେ ଜାରି ବିଜ୍ଞପ୍ତି ଅନୁସାରେ ମହାମାରୀ ଆଇନ-୧୯୮୭ର ଧାରା ୨ ଓ ୩ ଅନ୍ତର୍ଗତ ପ୍ରଦତ୍ତ କ୍ଷମତାର ଉପଯୋଗ କରି ସ୍ୱାସ୍ଥ୍ୟ ବିଭାଗ ଗତକାଲି ଓଡ଼ିଶା କୋଭିଡ-୧୯ ରେଗୁଲେସନ-୨୦୨୦ରେ ଚତୁର୍ଥ ସଂଶୋଧନ କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ କୋଭିଡ ନିୟମାବଳୀ-୨୦୨୦ର ୪(କ,ଖ,ଗ,ଘ,ଙ,ଚ)ରେ ଧାରାରେ ବିଭିନ୍ନ ନିୟମ ଉଲ୍ଲଘଂନ ପାଇଁ ଜୋରିମାନା ଧାର୍ଯ୍ୟ କରିଛନ୍ତି।
ସଂଶୋଧିତ ନିୟମ ଅନୁସାରେ, ରାଜ୍ୟର କୌଣସି ସ୍ଥାନରେ ବିନା ଅନୁମତିରେ ଏକସଙ୍ଗେ ୧୦ଜଣରୁ ଅଧିକ ଲୋକ(ବନ୍ଦ ରୁମ୍ ହେଉ ଅବା ବାହାରେ) ଏକକଜୁଟ ହୋଇପାରିବେ ନାହିଁ। ଏକଜୁଟ ହେବା ନିମନ୍ତେ ଉପଯୁକ୍ତ କାରଣ ଦର୍ଶାଇ ସ୍ଥାନୀୟ ଜିଲ୍ଲାପାଳ ଅବା ମହାନଗର ନିଗମର କମିଶନରଙ୍କଠୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଏହି ନିୟମକୁ ଉଲ୍ଲଘଂନ କଲେ ସମ୍ପୃକ୍ତ ଆୟୋଜକ ଅବା ସାମିଲ ଲୋକଙ୍କଠୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ। ଏହି ଜୋରିମାନା ସମ୍ପୃକ୍ତ ଅଂଚଳର ଅତିରିକ୍ତ ବିଡିଓ,ଅତିରିକ୍ତ ତହସିଲଦାର,ପୁଲିସ୍ ଏସଆଇ ଓ ମ୍ୟୁନସିପାଲଟିର ଡେପୁଟି କମିଶନର ପାହ୍ୟାର ଅଧିକାରୀମାନେ ଆଦାୟ କରିପାରିବେ। ପୂର୍ବରୁ କୌଣସି ସ୍ଥାନରେ ୭ଜଣ ବ୍ୟକ୍ତି ଏକଜୁଟ ହେବା ଉପରେ କଟକଣା ରହିଥିଲା।
ସେହିପରି ମାସ୍କନପିନ୍ଧିଲେ ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ପ୍ରଥମ ଓ ଦ୍ୱିତୀୟ ଅପରାଧ ନିମନ୍ତେ ୧ହଜାର ଟଙ୍କା ଓ ପରବର୍ତ୍ତୀ ନିୟମ ଉଲ୍ଲଘଂନ ପାଇଁ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହି ଜୋରିମାନା ଆଦାୟ ପାଇଁ ବ୍ଲକସ୍ତରରେ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୁଲିସ ଏଏସଆଇ ଓ ୱାର୍ଡ ଅଫିସରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
ସେହିପରି ବିବାହ ଉତ୍ସବ ପାଇଁ ପ୍ରଥମେ ଲିଖିତ ଅନୁମତି ନେବାକୁ ପଡ଼ିବ। ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ବିବାହ ସମାରୋହରେ ସାମିଲ ହୋଇପାରିବେ ନାହିଁ। କୌଣସି ପରିସ୍ଥିତିରେ ବି ବିବାହ ପ୍ରୋସେସନ(ବର ଯିବାବେଳେ ପ୍ରୋସେସନ) ହୋଇପାରିବ ନାହିଁ। ନିୟମ ଉଲ୍ଲଘଂନ କଲେ ଆୟୋଜକଙ୍କଠୁ ୧ଲକ୍ଷ ଟଙ୍କା ଜୋରିମାନା ଓ ବିବାହରେ ସାମିଲ ହୋଇଥିବା ବ୍ୟକ୍ତିଙ୍କଠୁ ୨ରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ।
ସେହିପରି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଅବା ଅନ୍ତେଷ୍ଟି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏଥିପାଇଁ ସ୍ଥାନୀୟ ଥାନାକୁ ଟେଲିଫୋନ୍ ଅବା ଯେକୌଣସି ମାଧ୍ୟମରେ ଅବଗତ କରିବାକୁ ପଡ଼ିବ। ଅନ୍ତେଷ୍ଟି ସଂକ୍ରାନ୍ତ ସମସ୍ତ କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କ ସମାବେଶ ଉପରେ କଟକଣା ଜାରି ହୋଇଛି। ନିୟମ ଉଲ୍ଲଘଂନ କଲେ ଆୟୋଜକଙ୍କଠୁ ୫୦ହଜାର ଓ ସେଥିରେ ସାମିଲ ହେଉଥିବା ଲୋକଙ୍କଠୁ ୨ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।