ଦେବେନ୍ଦ୍ର ପୃଷ୍ଟି
ରାସନ ହିତାଧିକାରୀମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ରାସନ ଉଠାଇବାର ସୁଯୋଗ ଓ ସୁବିଧା ଦେବା ସକାଶେ କେନ୍ଦ୍ର ସରକାର ଯେଉଁ ‘ଏକ ରାଷ୍ଟ୍ର ଏକ ରାସନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ଅନେକ ଦୃଷ୍ଟିରୁ ସ୍ୱାଗତଯୋଗ୍ୟ। ତେବେ, ସାଧାରଣ ବଣ୍ଟନ ବିଭାଗ ଅଧୀନରେ ପରିଚାଳିତ ସରକାରୀ ସୁଲଭ ମୂଲ୍ୟ ଦୋକାନ ବା ଗାଁର ଡିଲରମାନେ ଏହି କାର୍ଯ୍ୟକ୍ରମକୁ କିପରି ପରିଚାଳନା କରିବେ ତାହା ଏହା କାର୍ଯ୍ୟକାରୀ ହେଲା ପରେ ହିଁ ଜଣାପଡ଼ିବ।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଗୋଟିଏ ରାଜ୍ୟର ରାସନ ହିତାଧିକାରୀମାନେ କେବଳ ସେମାନଙ୍କ ସ୍ଥାନରେ ହିଁ ରାସନ ଉଠାଇ ପାରୁଛନ୍ତି। ଯେଉଁମାନଙ୍କର ରାସନ କାର୍ଡ଼ ଯେଉଁଠି ହୋଇଛି ଓ ଯେଉଁ ଡିଲରଙ୍କ ପାଖରେ ହୋଇଛି ସେମାନେ କେବଳ ସେହି ଡିଲରଠାରୁ ହିଁ ରାସନ ଉଠାଇ ପାରୁଛନ୍ତି। ହିତାଧିକାରୀ ଜଣକ ସେ ସ୍ଥାନ ଛାଡ଼ି ଅସ୍ଥାୟୀ ଭାବେ ଅନ୍ୟ କୌଣସି ସ୍ଥାନରେ ଅବସ୍ଥାନ କଲେ ନୂଆ ସ୍ଥାନରୁ ସେ ରାସନ ଉଠାଇ ପାରୁନାହିଁ। କାରଣ ନୂଆ ସ୍ଥାନରେ ଥିବା ଡିଲର ବା ସରକାରୀ ସୁଲଭ ମୂଲ୍ୟ ଦୋକାନରେ ସେହି ଆଗନ୍ତୁକର ନାମ ହିତାଧିକାରୀ ତାଲିକାରେ ନାହିଁ କି ତା’ ପାଖରେ ଥିବା ରାସନ କାର୍ଡ଼ ସେହି ଦୋକାନ ସହିତ ସଂଯୁକ୍ତ ହୋଇନାହିଁ। ତେଣୁ ଅନେକ ସମୟରେ ଗରୀବ ହିତାଧିକାରୀମାନେ କାର୍ଡ଼ ଥାଇ ମଧ୍ୟ ରାସନ ଉଠାଇପାରୁ ନାହାନ୍ତି। ସେମାନେ ରାସନ ନଉଠାଇଲେ ସେହି ରାସନ ସଂପୃକ୍ତ ଡିଲର ବା ସୁଲଭ ମୂଲ୍ୟ ଦୋକାନର ଅତିରିକ୍ତ ଲାଭରେ ପରିଣତ ହେଉଛି। କାରଣ କହି ରାସନ ନଉଠାଇଲେ ବଳି ପଡ଼ୁଥିବା ଚାଉଳ ଓ ଗହମ ଆଦିକୁ ସରକାରୀ ଗୋଦାମକୁ ଫେରସ୍ତ ଦେବାର ବ୍ୟବସ୍ଥା ଏଯାଏଁ ହୋଇନାହିଁ।
ସାଧାରଣ ବଣ୍ଟନ ବିଭାଗ ଜରିଆରେ ଯେଉଁମାନଙ୍କୁ ସୁଲଭ ମୂଲ୍ୟରେ ଚାଉଳ ଓ ଗହମ ଆଦି ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଏ ସେମାନେ ମୁଖ୍ୟତଃ ଗରୀବ ଶ୍ରେଣୀର ଲୋକ। ଉଭୟ ବିପିଏଲ ଓ ଏପିଏଲ ବର୍ଗଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାସନ କାର୍ଡ଼ ବ୍ୟବସ୍ଥା ହୋଇଛି। ଏହି କାର୍ଡ଼ରେ ଖାଦ୍ୟଶସ୍ୟ ବ୍ୟତିତ କିରୋସିନ୍ ମଧ୍ୟ ଯୋଗାଇ ଦିଆଯାଏ। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଗାଁର ଗରୀବ ଲୋକଟିଏ ନିଜ ଅଞ୍ଚଳରେ କାମଧନ୍ଦା ନପାଇଲେ ରୋଜଗାର ପାଇଁ ନିଜ ରାଜ୍ୟର କୌଣସି ସହର କିମ୍ବା ଅନ୍ୟ ରାଜ୍ୟକୁ ଚାଲିଯାଏ। କିଏ ଦାଦନ ଶ୍ରମିକ ଭାବେ ଦେଶାନ୍ତରୀ ହୁଏ ତ କିଏ ସାଧାରଣ ଶ୍ରମିକ ଭାବରେ। କିଏ କେଉଁ ସହରରେ ରାସ୍ତା କଡ଼ ଉଠା ଦୋକାନୀ ଭାବେ ଗୁଜୁରାଣ ମେଣ୍ଟାଏ ତ କିଏ ଫ୍ୟାକ୍ଟ୍ରି ଶ୍ରମିକ ଭାବେ ପରିବାର ପୋଷଣ କରେ। କିଏ ୱାଚମ୍ୟାନ୍, କିଏ ଦରୱାନ୍, କିଏ ଅଫିସ ପିଅନ ଓ କିଏ ପାଣି ପାଇପ୍ ମିସ୍ତ୍ରୀ ଭାବେ ବାହାରେ କାମ କରି ଦି’ ପଇସା ରୋଜଗାର କରନ୍ତି। ପଶ୍ଚିମ ଓଡ଼ିଶାର ଅନେକ ଲୋକ ବାହାରକୁ ଇଟାଭାଟିରେ କାମ କରିବାକୁ ଯାଇଥାନ୍ତି। ପୂର୍ବ ଓଡ଼ିଶାର ଅନେକ ଲୋକ ଅନ୍ୟ ରାଜ୍ୟର ସହରାଞ୍ଚଳରେ ପାଣି ପାଇପ୍ ମିସ୍ତ୍ରୀ, ଘରୋଇ ସହାୟକ ଓ ରୋଷେଇଆ ଭାବେ କାର୍ଯ୍ୟ କରିଥାନ୍ତି। ସେହିପରି ଦକ୍ଷିଣ ଓଡ଼ିଶାର ଅନେକ ଲୋକ ଗୁଜରାଟର ସୁରଟ ଭଳି ସହରରେ ସୁତାକଳରେ କାମ କରନ୍ତି। ଏପରି ଭାବରେ ବହୁ ରାଜ୍ୟର ବହୁ ଲୋକ ନିଜ ଗାଁଗଣ୍ଡା ଓ ସହର ଛାଡ଼ି ଅନ୍ୟ ରାଜ୍ୟର ଅନ୍ୟ ଇଲାକାରେ ଅସ୍ଥାୟୀ ଭାବେ ବସବାସ କରନ୍ତି। ସେମାନଙ୍କ ସାଙ୍ଗରେ ସେମାନଙ୍କର ଏକକ ପରିବାର ଥାଏ। କିନ୍ତୁ ନିଜ ଭିଟାମାଟିରେ ସେମାନଙ୍କର ବାପମା’ ଓ ପରିବାରର ଅନ୍ୟ ସଦସ୍ୟ ରହିଥାନ୍ତି। ସପରିବାର ସମସ୍ତେ ଅନ୍ୟ ଅଞ୍ଚଳରେ ଅସ୍ଥାୟୀ ବସତି ସ୍ଥାପନ କଲେ ବି ବର୍ଷର ନିର୍ଦ୍ଦିଷ୍ଟ ସମୟରେ ସେମାନେ ଭିଟାମାଟିକୁ ଫେରି କିଛି କାଳ ରହିଥାନ୍ତି।
ଏହି ବର୍ଗର ଲୋକମାନଙ୍କର ନିଜ ଅଞ୍ଚଳରେ ରାସନ କାର୍ଡ଼ ହୋଇଥାଏ। ସେଠାରେ ଥିଲାବେଳେ ସେମାନେ ନିଜ ଡିଲର ବା ସରକାରୀ ସୁଲଭ ମୂଲ୍ୟ ଦୋକାନରୁ ରାସନ ଉଠାଇଥାନ୍ତି। କିନ୍ତୁ ରୋଜଗାର ଆଶାରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଗଲା ପରେ ସେମାନଙ୍କ ରାସନ କାର୍ଡ଼ କାମ ଦିଏ ନାହିଁ। ତେଣୁ ସେଠାରେ ସେମାନେ ଖୋଲା ବଜାରରୁ ରାସନ ଖର୍ଦ୍ଦି କରନ୍ତି। ଏହା ଫଳରେ ସେମାନେ ଅଧିକ ଖର୍ଚ୍ଚାନ୍ତ ହୁଅନ୍ତି। ଟଙ୍କିକିଆ ଚାଉଳ ନଉଠାଇପାରି ସେମାନେ ତିରିଶ ଟଙ୍କିଆ ବା ତା’ଠାରୁ ଅଧିକ ଦରରେ ଚାଉଳ/ଗହମ କିଣିବାକୁ ବାଧ୍ୟ ହୋଇଥାନ୍ତି। ଏହା ଫଳରେ ସେମାନଙ୍କ ନାଁ ହିତାଧିକାରୀ ତାଲିକାରେ ଥିଲେ ମଧ୍ୟ ସେମାନେ ସରକାରୀ ଯୋଜନାରୁ କୌଣସି ପ୍ରକାର ହିତ ବା ଲାଭ ପାଇପାରନ୍ତି ନାହିଁ। ଫଳରେ ସେମାନଙ୍କ ପାଇଁ ସରକାରୀ ଯୋଜନାର କୌଣସି ଅର୍ଥ ବହନ କରେନାହିଁ। ପ୍ରକାରାନ୍ତରେ ଏହି ଅସୁବିଧା ଯୋଗୁଁ ହିତାଧିକାରୀଙ୍କ ନାଁରେ ରାସନ ହଡ଼ପ ହୋଇଥାଏ।
ଏହି ଅସୁବିଧା ଦୂର କରିବାକୁ କେନ୍ଦ୍ର ସରକାର ସମଗ୍ର ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ’ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ନୂଆ ବର୍ଷରୁ ଏହା ଦେଶର ୧୨ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହି ୧୨ ରାଜ୍ୟ ହେଲେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିଆନା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ଗୋଆ, ଝାରଖଣ୍ଡ ଓ ତ୍ରିପୁରା। ଏଣିକି ଏହି ୧୨ଟି ରାଜ୍ୟର ରାସନ କାର୍ଡ଼ଧାରୀ ଏହି ୧୨ଟି ରାଜ୍ୟ ମଧ୍ୟରେ ଯେକୌଣସି ସ୍ଥାନରେ ରହିଥିଲେ ମଧ୍ୟ ସେଠାରେ ନିଜର ବାୟୋମେଟ୍ରିକ ପ୍ରମାଣ ଦେଇ ରାସନ ଉଠାଇ ପାରିବେ। ଇତିମଧ୍ୟରେ ଦେଶର ପ୍ରାୟ ସମସ୍ତ ରାସନ କାର୍ଡ଼ ହିତାଧିକାରୀଙ୍କ ଆଧାର-ସଂଯୁକ୍ତ ହୋଇସାରିଛି। ଆଧାରରେ ହିତାଧିକାରୀଙ୍କ ଅଙ୍ଗୁଳି ଚିହ୍ନ ଆଦି ରହିଛି। ନୂଆ ସ୍ଥାନରେ ନୂଆ ସୁଲଭ ମୂଲ୍ୟ ଦୋକାନରେ ସଂପୃକ୍ତ ହିତାଧିକାରୀ ନିଜର ପରିଚୟ ପ୍ରଦାନ ପୂର୍ବକ ଇଲେକ୍ଟ୍ରୋନିକ ପଏଣ୍ଟ ଅଫ୍ ସେଲ୍ ବା ଇପିଓଏସ୍ ଯନ୍ତ୍ରରେ ଅଙ୍ଗୁଳି ଛାପ ଦେଲେ ସେ ହିତାଧିକାରୀ ଭାବେ ସେହି ଯନ୍ତ୍ର ଚିହ୍ନଟ କରିବ ଓ ସେ ସେହି ଦୋକାନ ବା ଡିଲରଠାରୁ ରାସନ ଉଠାଇ ପାରିବେ। ସେହି ମାସ ପାଇଁ ସେ ରାସନ ଉଠାଇଥିବାର ରେକର୍ଡ଼ ଇଲେକ୍ଟ୍ରୋନିକ୍ ଫାଇଲ୍ରେ ରେକର୍ଡ଼ ହେବ। ତେଣୁ ସେ ଅନ୍ୟ କୌଣସି ସୁଲଭ ମୂଲ୍ୟ ଦୋକାନରୁ ସେହି ମାସ ପାଇଁ ଆଉ ଥରେ ରାସନ ଉଠାଇ ପାରିବେ ନାହିଁ। ଏହା ଫଳରେ ଦେଶର ସମସ୍ତ ହିତାଧିକାରୀ ଉପକୃତ ହେବା ସଙ୍ଗେ ସଙ୍ଗେ ରାସନ ହଡ଼ପକୁ ମଧ୍ୟ ରୋକି ହେବ।
ଆସନ୍ତା ଜୁନ୍ ମାସ ସୁଦ୍ଧା ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ବାଦ ପଡ଼ିଥିବା ରାଜ୍ୟଗୁଡ଼ିକ ସେହି ସମୟ ମଧ୍ୟରେ ଏଥିରେ ଯୋଡ଼ି ହେବେ। ଏବେ ବାଦ ପଡ଼ିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଓଡ଼ିଶା, ପଶ୍ଚିମ ବଙ୍ଗ, ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼, ଆସାମ, ତାମିଲନାଡ଼ୁ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ ଓ ଦିଲ୍ଳୀ ଏବଂ ଜାମ୍ମୁକାଶ୍ମୀର, ଲାଦାଖ, ଆଣ୍ଡାମାନ ନିକୋବର, ଦାମନ ଓ ଦିଉ ପରି କେନ୍ଦ୍ର ଶାସିତ ଅଞ୍ଚଳ। ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଯୋଜନା ଲାଗୁ ହେବା ପରେ ଜାମ୍ମୁକାଶ୍ମୀରର ରାସନ କାର୍ଡ଼ରେ ଓଡ଼ିଶାରେ ବି ରାସନ ଉଠାଇ ହେବ। ସେହିପରି ଓଡ଼ିଶାର ରାସନ କାର୍ଡ଼ରେ ଗୁଜରାଟରେ ମଧ୍ୟ ରାସନ ମିଳିବ। ଦେଶର ଯେକୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଲୋକ କାମଧନ୍ଦା ପାଇଁ ଦେଶର ଅନ୍ୟ ଯେକୌଣସି ଅଞ୍ଚଳରେ ଅସ୍ଥାୟୀ ଭାବେ ରହିଲେ ମଧ୍ୟ ନିଜ ରାସନରୁ ବଞ୍ଚିତ ହେବେ ନାହିଁ।
ତେବେ, ଏହି କାର୍ଯ୍ୟକ୍ରମ ନୂତନ ଭାବେ ଆଜିଠାରୁ କାର୍ଯ୍ୟକାରୀ ହେଉଥିବାରୁ ଏଥିରେ କ’ଣ ଅସୁବିଧା ବା ଦୋଷତ୍ରୁଟି ରହିଛି ତାହା ତୁରନ୍ତ ପଦାକୁ ଆସିବ ନାହିଁ। ମାସେ ଦି’ମାସ ପରେ ତାହା ଜଣାପଡ଼ିବ। ଏବେ ଆଶା କରାଯାଉ ଯେ ଏହି କାର୍ଯ୍ୟକ୍ରମ ସଫଳ ହେବ ଏବଂ ଗରୀବ ହିତାଧିକାରୀମାନେ ଏଥିରୁ ସୁଫଳ ପାଇବେ ଏବଂ ଦେଶର ଯେକୌଣସି ଅଞ୍ଚଳରେ ରହିଥିବା ହିତାଧିକାରୀମାନଙ୍କର ଖାଦ୍ୟ ନିରାପତ୍ତା ସୁରକ୍ଷିତ ରହିବ।