ଓଡ଼ିଶାରେ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ, ଷ୍ଟାଣ୍ଡବାଏରେ ଅନ୍ୟ ୧୭ଟି ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ମଧ୍ୟରେ କେନ୍ଦ୍ର ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ୯ଟି ଓ ଓଡ଼ିଶାରେ ଗୋଟିଏ ଏବଂ ପଶ୍ଚିମବଙ୍ଗରେ ୧୨ଟି ଏନଡିଆରଏଫ ଟିମକୁ ମୁତୟନ କରଯାଇଥିବାବେଳେ ଅନ୍ୟ ୨୯ଟି ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଛି । କେନ୍ଦ୍ର ଗୃହ ସଚିବ ଅଜୟ […]

NDRF

Ordigital Desk
  • Published: Tuesday, 10 May 2022
  • , Updated: 10 May 2022, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ମଧ୍ୟରେ କେନ୍ଦ୍ର ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ୯ଟି ଓ ଓଡ଼ିଶାରେ ଗୋଟିଏ ଏବଂ ପଶ୍ଚିମବଙ୍ଗରେ ୧୨ଟି ଏନଡିଆରଏଫ ଟିମକୁ ମୁତୟନ କରଯାଇଥିବାବେଳେ ଅନ୍ୟ ୨୯ଟି ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଛି ।

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ସହ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ସମୟରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଗୃହ ସଚିବଙ୍କୁ ଅବଗତ କରାଇଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରସ୍ତୁତି କରିଥିବା ନେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅବଗତ କରାଇଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ୯ଟିଏନଡିଆରଏଫ ଟିମକୁ ମୁତୟନ କରାଯାଇଥିବାବେଳେ ଅନ୍ୟ ୭ଟି ଟିମକୁ ସଜାଗ ରଖାଯାଇଛି । ସେହିପରି ଓଡ଼ିଶାରେ ଗୋଟିଏ ଟିମ୍ ମୁତୟନ ହୋଇଛି ଓ ବାକି ୧୭ଟି ଟିମ୍ ସଜାଗ ହୋଇ ରହିଛନ୍ତି । ପଶ୍ଚିମବଙ୍ଗରେ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଛି ଓ ଅନ୍ୟ ୫ଟି ଟିମ୍ ଷ୍ଟାଣ୍ଡବାଏରେ ରହିଛନ୍ତି । ଯଦି ଆବଶ୍ୟକ ପଡ଼େ ଅଧିକ ସଂଖ୍ୟକ ଟିମ୍ ରାଜ୍ୟଗୁଡ଼ିକରେ ମୁତୟନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାର ଅଧିକ ପ୍ରଭାବ ଓଡ଼ିଶାର ୫ଟି ଜିଲ୍ଲା ବିଶେଷକରି କୋରାପୁଟ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତିରେ ପଡ଼ିବାର ଥିବାରୁ ଏସବୁ ଜିଲ୍ଲାରେ ରାଜ୍ୟ ସରକାର ୨୦ଟି ଓଡ୍ରାଫ ଟିମକୁ ମୁତୟନ କରିସାରିଛନ୍ତି । ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମଧ୍ୟ ଅଗ୍ନିଶମ ବାହିନୀ ଟିମକୁ ପଠାଯାଇଛି । ଓଡ଼ିଶା ଉପକୂଳ ନିକଟରେ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ଏହି ଟିମ୍ ଗୁଡ଼ିକ ନିଜ ନିଜ ସ୍ଥାନରେ ମୁତୟନ ହୋଇସାରିଥିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବବତଃ ୧୩ତାରିଖ ସକାଳ ସୁଦ୍ଧା ଏହି ବାତ୍ୟା ଓଡ଼ିଶା ଉପକୂଳ ନିକଟ ଦେଇ ଅତିକ୍ରମ କରିବା ସହ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ଜଣାପଡ଼ିଛି ।

Related story