ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ରେଳଷ୍ଟେସନରେ ଗତକାଲି ଅସମ୍ଭାଳ ଭିଡ ଥିବା ବେଳେ ଘଟିଛି ଅଘଟଣ । ନିଜ ଝିଅ ଘରକୁ ଯିବାକୁ ଆସିଥିବା ଜଣେ ମହିଳା କିନ୍ତୁ ଷ୍ଟେଶନରେ ହିଁ ଆଖି ବୁଜିଲେ। ଅସମ୍ଭାଳ ଭିଡ଼ ଭିତରେ ମହିଳାଜଣକ ତଳେ ପଡ଼ି ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ମହିଳାଜଣକ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ ବୋଲି ଜଣାଯାଇଛି।
ଗତକାଲି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଉତ୍ସବ ଥିବା ବେଳେ ହଜାର ହଜାର ଭକ୍ତ ପୁରୀ ଆସିଥିଲେ। ଏଥିନିମନ୍ତେ ପୁରୀ ରେଳଷ୍ଟେସନରେ ଅତ୍ୟଧିକ ଭିଡ ଲାଗିରହିଥିବା ବେଳେ ପ୍ରାୟ ୮ରୁ ୧୦ ହଜାର ଯାତ୍ରୀ ଷ୍ଟେଶନରେ ଉପସ୍ଥିତ ଥିଲେ। ଏହି ସମୟରେ କୁନିମଣି ନାୟକ ନିଜର ଜଣେ ସମ୍ପର୍କୀୟଙ୍କ ସହ ଷ୍ଟେଶନକୁ ଯାଇଥିଲେ। ସେ ପୁରୀ-ଦୁର୍ଗ ଟ୍ରେନରେ ସମ୍ବଲପୁରରେ ଥିବା ନିଜ ଝିଅ ଘରକୁ ଯିବାକୁ ଷ୍ଟେଶନକୁ ଆସିଥିଲେ।
ମାତ୍ର ଅସମ୍ଭାଳ ଭିଡ଼ ଭିତରେ ସେ ତଳେ ପଡ଼ି ଯାଇଥିବା ବେଳେ ଆଉ ଉଠି ପାରି ନ ଥିଲେ। ସେଠାରେ ଉପସ୍ଥିତ ଜିଆରପି କର୍ମୀ ଓ ଅନ୍ୟମାନେ ତୁରନ୍ତ ତାଙ୍କୁ ପୁରୀ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପୁରୀ ମେଡିକାଲର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।