ଏପ୍ରିଲ ୨୦ ବିଜେଡି ଚାଷୀ ସମାବେଶକୁ ବିରୋଧୀ ଦଳଙ୍କ ସମାଲୋଚନା

ଭୁବନେଶ୍ୱର: ରାଜ୍ୟରେ ଚାଷୀ ମୃତ୍ୟୁ ନେଇ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏପ୍ରିଲ ମାସର ଟାଣ ଖରାରେ ବିଜେଡି ଚାଷୀ ସମାବେଶ କରିବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ହଠାତ ବିଜେଡିର ଏହି କୃଷି ଓ କୃଷକ ସମାବେଶ ଆୟୋଜନ ପଛରେ ଉଦ୍ଦେଶ୍ୟ କ’ଣ? ଡହଡହ ଖରାରେ କାହିଁକି ଏ କର୍ମଶାଳା କରାଯାଉଛି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଜଳସଙ୍କଟ, ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇର ନୋଟିସ ଇତ୍ୟାଦି ପ୍ରସଙ୍ଗରେ ବିଜେଡି ବିରୋଧୀଙ୍କ ସମାଲୋଚନାର ଶରବ୍ୟ […]

amar_sameer_narashing

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 04:38 PM IST

ଭୁବନେଶ୍ୱର: ରାଜ୍ୟରେ ଚାଷୀ ମୃତ୍ୟୁ ନେଇ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଏପ୍ରିଲ ମାସର ଟାଣ ଖରାରେ ବିଜେଡି ଚାଷୀ ସମାବେଶ କରିବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ହଠାତ ବିଜେଡିର ଏହି କୃଷି ଓ କୃଷକ ସମାବେଶ ଆୟୋଜନ ପଛରେ ଉଦ୍ଦେଶ୍ୟ କ’ଣ? ଡହଡହ ଖରାରେ କାହିଁକି ଏ କର୍ମଶାଳା କରାଯାଉଛି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଜଳସଙ୍କଟ, ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇର ନୋଟିସ ଇତ୍ୟାଦି ପ୍ରସଙ୍ଗରେ ବିଜେଡି ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହୋଇଥିବା ବେଳେ ପୁଣି ଏହି ସମାବେଶକୁ ନେଇ କାଠଗଡାରେ ଛିଡା ହୋଇଛି ଶାସକ ଦଳ।

ଏପ୍ରିଲ୍‌ ୨୦ରେ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ବିଜେଡି କରିବ କୃଷି ଓ କୃଷକ ସମାବେଶ। ରାଜ୍ୟର କୋଣ ଅନୁକୋଣରୁ ଯୋଗ ଦେବେ ୧୦ ହଜାର କୃଷକ। ପୂର୍ବରୁ ସୋହେଲାରେ ବିଜେଡିର କୃଷକ ସମାବେଶ ଓ ବଲାଙ୍ଗିର,କଳାହାଣ୍ଡିରେ ଚାଷୀଙ୍କ ପାଇଁ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସାରିଛି।

ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଚାଷୀ ଆତ୍ମହତ୍ୟା ପାଇଁ ଏ ସରକାର ବିଚଳିତ ଓ ଭୟଭୀତ ହୋଇଯାଇଛି। ଲୋକେ ପିଇବାକୁ ପାଣି ପାଉ ନାହାନ୍ତି। ଏହାକୁ କପରି ସମାଧାନ କରାଯାଇପାରିବ ରାଜ୍ୟ ସରକାର ତା’ର ବାଟ ପାଉନାହାନ୍ତି। ତେଣୁ ବାଧ୍ୟ ହୋଇ ଏ ସରକାର କିଛି ନା କିଛି କାର୍ଯ୍ୟକ୍ରମ ହାତକୁ ନେଉଛି। କିନ୍ତୁ ସେଥିରେ ସେମାନେ ସଫଳ ହେବେ ନାହିଁ।”

ବିଜେଡି ଚାଷୀ ସମାବେଶ ପ୍ରସଙ୍ଗରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଏ ସରକାର କର୍ମଶାଳାର ଅର୍ଥ ବୁଝିଛନ୍ତି ତ ? କର୍ମଶାଳା ସଂଖ୍ୟାରେ କରାଯାଏ ନାହିଁ। ଓଡ଼ିଶାରେ କ’ଣ ପ୍ରଥମଥର ପାଇଁ କର୍ମଶାଳା କରାଯାଉଛି? ତା’ପରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବିଜେଡିର ଏହି ଚାଷୀ ସମାବେଶ କଟା ଘା’ରେ ଚୂନ ଦେଲା ପରି ମନେ ହେଉଛି।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“କୌଣସି ଘଟଣାରୁ ଏହା ଦୃଷ୍ଟି ହଟାଇବାକୁ ଏହା କରା ଯାଉ ନାହିଁ। ଏହା ଏକ ସକାରାତ୍ମକ କାର୍ଯ୍ୟକ୍ରମ। ଚାଷୀମାନଙ୍କର ସମସ୍ୟା ସମ୍ପର୍କରେ ଶୁଣିବା ଓ ସେମାନଙ୍କୁ ସମାଧାନର ବାଟ ଦେବା ସରକାରୀ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଚିଟ୍‌ଫଣ୍ଡ ମାମଲାର ତଦନ୍ତ ତା’ ବାଟରେ ହେବ, ଜଳ ସଙ୍କଟ ମୁକାବିଲା ବି କରାଯିବ।”

ଏପ୍ରିଲ ୨୦ରେ ବିଜେଡିର ଚାଷୀ କର୍ମଶାଳାରେ ଚାଷୀଙ୍କ ସମସ୍ୟା, ରାଜ୍ୟ ସରକାର କୃଷକଙ୍କ ପାଇଁ ନେଇଥିବା ପଦକ୍ଷେପ ଓ ବିପର୍ଯ୍ୟୟ ମୁକାବିଲାରେ କେନ୍ଦ୍ର ସରକାରଙ୍କ ଅବହେଳା ମୁଖ୍ୟ ପ୍ରସଙ୍ଗ ରହିବ।

Related story