ଗୃହ ତୃତୀୟ ଦିନ ବି ଅଚଳ: କାମ ଦେଲାନି ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ଆଶ୍ୱାସନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବିରେ ଆଜି ତୃତୀୟ ଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ବାରମ୍ବାର ଗୃହ ମୁଲତବୀ ହୋଇଛି। ଏପରିକି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଗୃହ କାର୍ଯ୍ୟରେ ସାମିଲ ହୋଇ ୨ମାସ ପରେ ମମିତା ମେହେର ପ୍ରସଙ୍ଗରେ ମୁହଁ ଖୋଲି ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଥିଲେ ମଧ୍ୟ […]

Assembly

Ordigital Desk
  • Published: Friday, 03 December 2021
  • , Updated: 03 December 2021, 10:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବିରେ ଆଜି ତୃତୀୟ ଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ବାରମ୍ବାର ଗୃହ ମୁଲତବୀ ହୋଇଛି। ଏପରିକି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଗୃହ କାର୍ଯ୍ୟରେ ସାମିଲ ହୋଇ ୨ମାସ ପରେ ମମିତା ମେହେର ପ୍ରସଙ୍ଗରେ ମୁହଁ ଖୋଲି ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଥିଲେ ମଧ୍ୟ ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରାଇ ପାରି ନାହିଁ। ଉଭୟ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନାପସନ୍ଦ କରିବା ସହ ପ୍ରତ୍ୟାଖ୍ୟାନ କରିଛନ୍ତି।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ପ୍ରଥମ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ବିଜେପି ସଦସ୍ୟମାନେ ଆଜି ଅଭିନବ ଉପାୟରେ ବିଧାନସଭା ପରିସରରେ ଗଙ୍ଗା ଜଳ ଓ ଝୁଣା ଧୂଆଁ ବୁଲାଇ ତଥା ଗୋବର ପାଣି ପକାଇ ଝାଡ଼ୁରେ ଓଳାଇ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରିଥିବାବେଳେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ଭିତରେ ଓ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୃହମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭା ପରିସରକୁ ଅପବିତ୍ର କରିଥିବାରୁ ବିଜେପି ଏଭଳି ଢଙ୍ଗରେ ବିଧାନସଭାକୁ ଶୁଦ୍ଧି କରୁଛି ବୋଲି ବିଜେପି ବିଧାୟକମାନେ କହିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସରକାର ତୁରନ୍ତ ମମିତା ମେହେର ହତ୍ୟା ମାମଲାର ତଦନ୍ତ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ମାଧ୍ୟମରେ କରାନ୍ତୁ ।

ଅନ୍ୟପକ୍ଷରେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଜାରି ରଖିଥିଲେ । ତେବେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ଅନୁମତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ଗତ ଦୁଇମାସ ମଧ୍ୟରେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲି ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ଆଶ୍ୱାସନା ଦେଇଥିଲେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନଙ୍କୁ ଏହା ସନ୍ତୁଷ୍ଟ କରିପାରିନଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ବିରୋଧୀ ଦଳ ବିରୋଧ କରି ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଏବଂ ସିବିଆଇ ତଦନ୍ତ ଦାବି ଜିଦରେ ଅଟଳ ଥିବାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି ।

Related story