ସରକାରଙ୍କୁ ଟାର୍ଗେଟ କଲା ବିଜେପି, କହିଲା- କାଶୀପୁରରେ ହଇଜା ମଣିଷକୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ଆଜି ହୁଲସ୍ଥୁଲ ହୋଇଛି ବିଧାନସଭା । ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି  । ମୋହନ ମାଝୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କାଶୀପୁରରେ ଝାଡାବାନ୍ତିରେ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କହୁଥିବା ବେଳେ ସରକାର ୯ ଜଣଙ୍କର ମୃତ୍ୟୁ ଘଟିଥିବା […]

odisha assembly

  • Published: Tuesday, 26 July 2022
  • , Updated: 26 July 2022, 01:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ଆଜି ହୁଲସ୍ଥୁଲ ହୋଇଛି ବିଧାନସଭା । ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି  ।

ମୋହନ ମାଝୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କାଶୀପୁରରେ ଝାଡାବାନ୍ତିରେ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା କହୁଥିବା ବେଳେ ସରକାର ୯ ଜଣଙ୍କର ମୃତ୍ୟୁ ଘଟିଥିବା କହୁଛନ୍ତି। ଅନ୍ୟ ୫ ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି । ଯଦି ସେମାନଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି,  ତେବେ ସେମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ମୋହନ ମାଝୀ ଦାବି କରିଛନ୍ତି ।

ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁ କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିସାରିଲାଣି । ଉତ୍କଳ ଆଲୁମିନା  ଓ୍ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁ ଥୁବାରୁ ଏପରି ହେଉଥିବା ମୋହନ ମାଝୀ କହିଛନ୍ତି । ଏ ନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ୍ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏଥିସହ ସେ କହିଛନ୍ତି, କାଶୀପୁରରେ ଡ୍ରେନେଜ ବ୍ୟବସ୍ଥା ନାହିଁ। ପିଇବା ପାଣି ବ୍ୟବସ୍ଥା ନ ଥିବାରୁ ଲୋକେ ଦୂଷିତ ପାଣି ପିଉଛନ୍ତି। ସୁଷମ ଖାଦ୍ୟ ଖାଇବାକୁ ପାଉ ନାହାନ୍ତି। କାଶୀପୁରରେ ଲୋକଙ୍କ ଘର ସାମନାରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। ତଳେ ପାଇପ୍‌ କନେକସନ୍‌ ବ୍ୟବସ୍ଥା କରାଯାଇଛି। ପାଇପ ଅଛି, ଷ୍ଟାଣ୍ଡପୋଷ୍ଟ ଅଛି, କିନ୍ତୁ ତାହାକୁ ସଂଯୋଗ କରାଯାଇ ନାହିଁ। ହଇଜା ଏଠାରେ ଆପେଆପେ ହୋଇନି । ଏହା ମଣିଷକୃତ । ଏହା ସରକାରଙ୍କ ଅବହେଳାରୁ ହୋଇଛି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି, ଝାଡ଼ାବାନ୍ତି ଦ୍ୱାରା ଅବିଭକ୍ତ କୋରାପୁଟରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।  କାଶୀପୁରରେ ୧୪ ଏବଂ ଗତକାଲି ଦସମନ୍ତପୁରରେ ୩ ଜଣ ପ୍ରାଣ ହରାଇଛନ୍ତି । ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି। ଯେଉଁ ଏଗ୍ରିମେଣ୍ଟ ହୋଇଥିଲା କମ୍ପାନୀ ତାହା ପାଳନ କରୁନାହିଁ । ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କରିଛନ୍ତି ତାରା । ଏଥିସହ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଯେତେବେଳେ ଖବର ପାଇଲୁ ଯେ କାଶୀପୁରରେ ହଇଜା ବ୍ୟାପିଛି, ତୁରନ୍ତ ୮ଟି ଟିମ୍‌ କରାଯାଇ ଡାକ୍ତର ପଠାଗଲା। ମୁଁ ବି ସେଠାକୁ ଯାଇଥିଲି। ଘଟଣାର ସମୀକ୍ଷା କରିଥିଲି। ସ୍ୱାସ୍ଥ୍ୟ ବିଭାଗ ସଜାଗ ଅଛି, ଝାଡ଼ାବାନ୍ତି ନିୟନ୍ତ୍ରଣରେ ଅଛି। ତୀକ୍ଷଣ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ମେଡିସିନ ମହଜୁଦ ରଖାଯାଇଛି। ହଇଜା କିପରି ନ ବ୍ୟାପିବ ସେଥିନିମନ୍ତେ କଡ଼ା ପଦକ୍ଷେପ ନିଆଯାଉଛି।

Related story