ଜାଲ୍ ଧାନ ଜମି ପଞ୍ଜୀକରଣରେ ଅସାଧୁମେଣ୍ଟ, ବିଳମ୍ବରେ ଭାଙ୍ଗିଲା ସରକାରଙ୍କ ନିଦ

ବାଲେଶ୍ୱର/ଭଦ୍ରକ(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଚାଷ ଜମି କମୁଛି। ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି। ଏଥିରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ। ଦୁଇ ଜିଲ୍ଲାରେ ସନ୍ଦେହ ଘେରରେ ଥିବା ଲକ୍ଷାଧିକ ପ୍ଳଟ୍ ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ଜମିରେ ଆଦୌ ଧାନ ଚାଷ ହେଉନି। ହେଲେ ଧାନ ବିକ୍ରି ପାଇଁ ପଂଜିକରଣ ହୋଇଛି […]

land

  • Published: Wednesday, 14 December 2022
  • , Updated: 14 December 2022, 08:27 PM IST

ବାଲେଶ୍ୱର/ଭଦ୍ରକ(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ଚାଷ ଜମି କମୁଛି। ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି। ଏଥିରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ। ଦୁଇ ଜିଲ୍ଲାରେ ସନ୍ଦେହ ଘେରରେ ଥିବା ଲକ୍ଷାଧିକ ପ୍ଳଟ୍ ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ଜମିରେ ଆଦୌ ଧାନ ଚାଷ ହେଉନି। ହେଲେ ଧାନ ବିକ୍ରି ପାଇଁ ପଂଜିକରଣ ହୋଇଛି ଜମି। ଏଥିପାଥଁ ଦାୟି କିଏ ? ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅଜଣାତରେ ଏଭଳି ଜାଲିଆତି ହେବା ଅସମ୍ଭବ। ମଣ୍ଡିରେ ରାଜ କରୁଥିବା ଦଲାଲ ଓ ସରକାରୀ ଅଧିକାରୀଙ୍କ ଅସାଧୁମେଣ୍ଟ ଏହାର ମୂଳ କାରଣ ହୋଇଆସୁଛି।

୨୦୨୨-୨୩ ଖରିଫ ଧାନ ଫସଲ ସାଟେଲାଇଟ୍ ଭେରିଫିକେସନ୍‌ର ଷ୍ଟାଟସ ରିପୋର୍ଟ ଉପରେ ବାଲେଶ୍ୱରରେ ସନ୍ଦେହ ଘେରରେ ଥିବା ୮୧ ହଜାର ୭୧୭ ପ୍ଳଟ୍ ମଧ୍ୟରୁ ଏଯାଏଁ ୭୮ ହଜାର ୫୨୫ର ଯାଂଚ୍ ସରିଛି। ଏଥିରୁ ମାତ୍ର ୨ ହଜାର ୬୯୨ଟିରେ ଧାନ ଚାଷ ହୋଇଥିବା ବେଳେ ବଳକା ୭୫ ହଜାର ୮୩୩ ପ୍ଳଟ୍ ଜାଲ୍। ଅର୍ଥାତ, ଜମିରେ ଧାନ ଚାଷ ହୋଇନି; କିନ୍ତୁ ବିକ୍ରି ପାଇଁ ରେଜିଷ୍ଟ୍ରେସନ ହୋଇଛି ପ୍ଲଟ୍। ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ୍‌ ସାଟେଲାଇଟ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ପ୍ଲଟ୍ ନମ୍ବର ୮, ୬୦, ୬୧, ୨୫୮, ୫୬ ଏବଂ ୨୮୩ ଭଳି ଅନେକ ପ୍ଳଟ୍‌ ଜମାରୁ ଧାନ ଚାଷ ହୋଇନି। ହେଲେ ଧାନ ବିକିବା ପାଇଁ କିନ୍ତୁ ପଞ୍ଜୀକୃତ ହୋଇଛି ପ୍ଳଟ୍।

ଏବେ ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ। କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ। ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ। ସର୍ବେକ୍ଷଣ ପରେ ଜିଲ୍ଲା ସମବାୟ ସମିତିର ସହକାରୀ ନିବନ୍ଧକଙ୍କ ଠାରେ ଦାଖଲ ହୋଇଛି ଏହାର ତଥ୍ୟ।

ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ମଧ୍ୟ ରେକର୍ଡ ସଂଖ୍ୟକ ଚାଷୀ ପଂଜୀକରଣ କରିଛନ୍ତି। ଧାନ ବିକ୍ରି କରିବାକୁ ହେଲେ ସାଟେଲାଇଟ୍ ସର୍ବେକ୍ଷଣ ବେଳେ ଧରା ପଡିଛି ଜମି ଜାଲିଆତି। ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଡିସେମ୍ବର ୧୨ ତାରିଖ ସୁଦ୍ଧା ସନ୍ଦେହ ଘେରରେ ଥିବା ଜିଲ୍ଲାରେ ୧ ଲକ୍ଷ ୨ ହଜାର ୯୫୦ ପ୍ଳଟ୍ ମଧ୍ୟରୁ ମାତ୍ର ୭ ହଜାର ୪୪୪ ପ୍ଳଟରେ ହୋଇଛି ଧାନ ଚାଷ। ବଳକା ୯୫ ହଜାର ୫୦୬ ପ୍ଳଟ୍‌ ଜାଲ କରି ଚାଷ ଜମି ଦର୍ଶାଯାଇଛି। ଜିଲ୍ଲା ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୫୦ଟି ପ୍ଳଟ୍‌ ବ୍ଳକ୍ କରାଯାଇଥିବା ବେଳେ ଅନ୍ୟ ୯୦ ପ୍ରତିଶତ ଜାଲ ପ୍ଲଟ୍ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ।

ଚାଷ ଜମିରେ କେଉଁଠି ଫାର୍ମ ହାଉସ ହୋଇଛି ତ, ଆଉ କେଉଁଠି ଚାଲିଛି ମାଛ ଓ ପନିପରିବା ଚାଷ। ଅନେକ ସ୍ଥାନରେ ବିଲ ଅନାବାଦୀ ହୋଇ ପଡି ରହିଛି। ହେଲେ ଏସବୁ ଜମି ପୂର୍ବ ଖାତାଖତିଆନ୍ ଅନୁଯାୟୀ ଚାଷଜମି ଭାବେ ପଞ୍ଜୀକୃତ ହୋଇଆସୁଛି। ଫଳରେ ସେହି ଜମିର ମାଲିକଙ୍କ ନାଁରେ ଧାନ ବିକ୍ରି ପାଇଁ ଟୋକନ ଆସୁଛି। ଆଉ ଜମିର ମାଲିକାନା ନ ଥିବାରୁ ସରକାରଙ୍କ ଠାରେ ଧାନ ବିକିବାକୁ ପଞ୍ଜୀକରଣ କରିପାରୁନି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

କିଛି ବର୍ଷ ଧରି ହଜାର ହଜାର ଜମି ମାଲିକ ସମବାୟ ସମିତିରେ ଫଲ୍ସ ଚାଷ ଜମି ପଞ୍ଜିକରଣ କରି ଫାଇଦା ନେଉଥିଲେ। ଏବେ ବିଳମ୍ବରେ ହେଲେ ମଧ୍ୟ ନକଲି ପଞ୍ଜିକୃତ ଚାଷୀଙ୍କୁ ଧରିବା ପାଇଁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ହେଲେ ଏଥିରେ ସମ୍ପୃକ୍ତ ଥିବା ସମବାୟ ଅଧିକାରୀ, ରାଜସ୍ୱ ଓ ପାକ୍ସ କର୍ତ୍ତୃପକ୍ଷଙ୍କ ବିରୋଧରେ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବାର କଥା। କାରଣ ଏମାନଙ୍କ ଅଗୋଚରରେ ଜମିର କିସମ ବଦଳାଇବା ଓ ମଣ୍ଡିରେ ଫସଲ ବିକ୍ରି କରିବା ଅସମ୍ଭବ।

Related story