ପାଇକ ବିଦ୍ରୋହକୁ ‘ପ୍ରଥମ ସ୍ୱାଧୀନତା ଆନ୍ଦୋଳନ’ ମାନ୍ୟତା: ପ୍ରସ୍ତାବ ବିଚାରାଧୀନ, ଧର୍ମେନ୍ଦ୍ରଙ୍କ କୋର୍ଟରେ ବଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହକୁ ଦେଶର ସ୍ୱାଧୀନତା ପାଇଁ ପ୍ରଥମ ଲଢ଼େଇ ଭାବେ ମାନ୍ୟତା ଦେବା ପ୍ରସ୍ତାବ ଏବେବି କେନ୍ଦ୍ର ସରକାରଙ୍କ ପାଖରେ ବିଚାରଧୀନ ରହିଛି। ଦୀର୍ଘ ୩ବର୍ଷରୁ ଅଧିକ ଦିନ ଧରି ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରରେ ବିଚାରବିମର୍ଶ ଚାଲିଥିବାବେଳେ ଏବେ ଏହା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଚାରଧୀନ ରହିଛି। ସଂଯୋଗବଶତଃ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବେ ଓଡ଼ିଶା ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଆଜି […]

odisha-government-allot-10-hectare-land-for-Paika-Memorial

Ordigital Desk
  • Published: Tuesday, 10 August 2021
  • , Updated: 10 August 2021, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହକୁ ଦେଶର ସ୍ୱାଧୀନତା ପାଇଁ ପ୍ରଥମ ଲଢ଼େଇ ଭାବେ ମାନ୍ୟତା ଦେବା ପ୍ରସ୍ତାବ ଏବେବି କେନ୍ଦ୍ର ସରକାରଙ୍କ ପାଖରେ ବିଚାରଧୀନ ରହିଛି। ଦୀର୍ଘ ୩ବର୍ଷରୁ ଅଧିକ ଦିନ ଧରି ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରରେ ବିଚାରବିମର୍ଶ ଚାଲିଥିବାବେଳେ ଏବେ ଏହା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଚାରଧୀନ ରହିଛି। ସଂଯୋଗବଶତଃ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବେ ଓଡ଼ିଶା ବିଜେପିର ଚେହେରା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ରହିଛି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଆଜି ରାଜ୍ୟସଭାରେ ଲିଖିତ ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀ କହିଛନ୍ତି ଯେ, ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ଲଢ଼େଇ ଭାବେ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଅନୁରୋଧ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ସଂସ୍କୃତି ମନ୍ତ୍ରଣାଳୟର ହସ୍ତଗତ ହୋଇଛି। ଏହି ଅନୁରୋଧ ଉପରେ ଭାରତୀୟ ଐତିହାସିକ ଗବେଷଣା ପରିଷଦ(ଶିକ୍ଷା ମନ୍ତ୍ରଣାଳୟ ଅଧୀନ) ସହ ବିଚାରବିମର୍ଶ କରାଯାଇଛି ଓ ଏହା ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଚାରଧୀନ ରହିଛି ବୋଲି ସେ କହିଛନ୍ତି । ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ଲଢ଼େଇର ମାନ୍ୟତା ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଅବଶ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଓଡ଼ିଶାର ପ୍ରଭାବଶାଳୀ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟ କରୁଥିବାରୁ ଏହି ଆଶା ଏବେବି ଅତୁଟ ରହିଛି। ମାତ୍ର ୨୦୧୭ ଅଗଷ୍ଟ ୯ତାରିଖରେ ତତକାଳୀନ ରାଜ୍ୟସଭା ସାଂସଦ ଏଭି ସ୍ୱାମୀଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେତେବେଳର ସଂସ୍କୃତି ମନ୍ତ୍ରୀ ଡଃ ମହେଶ ଶର୍ମା ମଧ୍ୟ ସମାନ ଉତ୍ତର ଦୋହରାଇଥିଲେ। ସେତେବେଳେ ଡଃ ଶର୍ମା ଲିଖିତ ଉତ୍ତର ଦେଇ କହିଥିଲେ ଯେ, ସ୍ୱାଧୀନତାର ପ୍ରଥମ ଲଢ଼େଇ ମାନ୍ୟତା ଦେବା ପ୍ରସ୍ତାବ ଏବେ ମନ୍ତ୍ରଣାଳୟର ବିଚାରଧୀନ ରହିଛି । ଏହାସହିତ ଡଃ ଶର୍ମା ସେହିଦିନ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ପଷ୍ଟ କରିଥିଲେ ଯେ, ଭାରତ ସରକାର ଯେଉଁ ୪୦ଟି ଆନ୍ଦୋଳନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ସେହି ତାଲିକାରେ ପାଇକ ବିଦ୍ରୋହ ସାମିଲ ନଥିବାରୁ ଏହା ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ପେନସନ ଦିଆଯାଇପାରିବ ନାହିଁ ।

ସୂଚନାଯୋଗ୍ୟ, ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ପାଇକ ବିଦ୍ରୋହକୁ ନେଇ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ନିଜ ନିଜର ରାଜନୀତିକ ଫାଇଦା ନେବାକୁ ପ୍ରୟାସ କରିଥିଲେ । ରାଜ୍ୟ କ୍ୟାବିନେଟରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଲଢ଼େଇର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରାଯାଇ କେନ୍ଦ୍ର ସରକାରଙ୍କୁ ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ବିଜେପି ମଧ୍ୟ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଅର୍ଥ ବ୍ୟବସ୍ଥା ସହ ବଜେଟ୍ ଅଭିଭାଷଣରେ ଏହାକୁ ସ୍ଥାନ ଦେବାରେ ସକ୍ଷମ ହୋଇଥିଲା। ୨୦୧୭ ଜୁଲାଇ ୨୦ତାରିଖରେ ଦିଲ୍ଲୀଠାରେ ପାଇକ ବିଦ୍ରୋହ ସମାରୋହର ୨୦୦ବର୍ଷ ପୂର୍ତ୍ତି ପାଳନର ଶୁଭାରମ୍ଭ ମଧ୍ୟ ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଏସବୁ ସେତେବେଳେ ସମ୍ଭବପର ହୋଇଥିବାବେଳେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହୀ ସ୍ମାରକ ପ୍ରତିଷ୍ଠା ପାଇଁ ୨୦୧୯ ଡିସେମ୍ବର ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଇଣ୍ଡିଆନ ଅଏଲ ଏଥିପାଇଁ ୯୦କୋଟି ଟଙ୍କା ଅନୁଦାନ ରାଶି ଦେବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ଗତ ଦୁଇବର୍ଷ ଧରି ପାଇକ ବିଦ୍ରୋହକୁ ନେଇ ଦୁଇ ରାଜନୀତିକ ଦଳ ବିଜେଡି ଓ ବିଜେପି ଚୁପ୍ ବସିଥିବାବେଳେ ଆଗାମୀ ପଂଚାୟତ ନିର୍ବାଚନରେ ଏହା ପୁଣିଥରେ ଦୁଇ ଦଳ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିବାର ସମ୍ଭାବନା ରହିଛି ।

Related story