ବିଳମ୍ବରେ ହେବ ପଂଚାୟତ ନିର୍ବାଚନ, ସରକାର ବାଣ୍ଟିବେ ‘ବିଜୁ କାର୍ଡ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ତୃତୀୟ ଲହର ସଂକ୍ରମଣ ଆଶଙ୍କା ଓ ଅନ୍ୟାନ୍ୟ ପ୍ରଶାସନିକ କାରଣକୁ ଆଳ କରି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପଂଚାୟତ ନିର୍ବାଚନକୁ ଧାର୍ଯ୍ୟ ସମୟରେ କରାଇବେ ନାହିଁ। ପଂଚାୟତ ନିର୍ବାଚନ ପ୍ରକ୍ରିୟା ୨୦୨୦ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ସାରିବାର ସମୟସୀମା ଥିଲେ ମଧ୍ୟ ଏହାକୁ ୩ରୁ ୬ମାସ ଗଡ଼ାଇବାକୁ ଶାସକ ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରି ଗ୍ରାମାଂଚଳର ଲୋକଙ୍କ ପୁନଃ ଆସ୍ଥାଭାଜନ ହେବା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେଇଥିବା […]

bjd

Ordigital Desk
  • Published: Saturday, 24 July 2021
  • , Updated: 24 July 2021, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ତୃତୀୟ ଲହର ସଂକ୍ରମଣ ଆଶଙ୍କା ଓ ଅନ୍ୟାନ୍ୟ ପ୍ରଶାସନିକ କାରଣକୁ ଆଳ କରି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପଂଚାୟତ ନିର୍ବାଚନକୁ ଧାର୍ଯ୍ୟ ସମୟରେ କରାଇବେ ନାହିଁ। ପଂଚାୟତ ନିର୍ବାଚନ ପ୍ରକ୍ରିୟା ୨୦୨୦ ମାର୍ଚ୍ଚ ୧୦ତାରିଖ ସୁଦ୍ଧା ସାରିବାର ସମୟସୀମା ଥିଲେ ମଧ୍ୟ ଏହାକୁ ୩ରୁ ୬ମାସ ଗଡ଼ାଇବାକୁ ଶାସକ ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରି ଗ୍ରାମାଂଚଳର ଲୋକଙ୍କ ପୁନଃ ଆସ୍ଥାଭାଜନ ହେବା ନିମନ୍ତେ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ଓ ସାଂଗଠନିକ ବାଧ୍ୟବାଧକତା ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ପଂଚାୟତ ନିର୍ବାଚନର ପ୍ରଚାରକୁ ଜୋରଦାର କରାଇ ବିଜେଡି ନେତୃତ୍ୱ ଏବେ ଦଳ ଭିତରେ ସନ୍ତୁଳନ ରକ୍ଷା ପାଇଁ ଉଦ୍ୟମ କରିଛନ୍ତି। ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା କ୍ଷୀଣ ଓ ‘ବିନା ପ୍ରସବରେ ଫଲସ୍ ପେନ୍‌’ ବୋଲି ମନ୍ତ୍ରୀ ଆଶାୟୀ ଦଳୀୟ ନେତାମାନେ ଅବଗତ ହୋଇସାରିଛନ୍ତି। ତେବେ ଏସବୁ ମଧ୍ୟରେ ବିଜେଡି ନେତୃତ୍ୱ ଏବେ ଗ୍ରାମାଂଚଳରେ ସଂଗଠନକୁ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ପୁନଃ ଆସ୍ଥାଭାଜନ ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ସରକାରୀ ସୂତ୍ର ଅନୁସାରେ, ପଂଚାୟତ ନିର୍ବାଚନ ଧାର୍ଯ୍ୟ ସମୟରେ ହେବ ନାହିଁ। ୨୦୨୨ ମାର୍ଚ୍ଚ ୧୦ତାରିଖରେ ବର୍ତ୍ତମାନର ନିର୍ବାଚିତ ପଂଚାୟତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବାପରେ ହିଁ ପଂଚାୟତ ଗୁଡ଼ିକ ସରକାରଙ୍କ ଅଧୀନକୁ ଚାଲିଆସିବ ଓ ପ୍ରଶାସକଙ୍କୁ ନିଯୁକ୍ତି ଦେଇ ଗାଁ ଗହଳିରେ ବିକାଶମୂଳକ କାର୍ଯ୍ୟକୁ ୨-୩ମାସ ଧରି ବ୍ୟାପକ କରାଯିବ। ଆଉ ଖାସ୍ ସେଇଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷର ୪ମାସ ବିତିଯାଇଥିଲେ ସୁଦ୍ଧା ପଂଚାୟତଗୁଡ଼ିକୁ ସରକାରୀ ଅନୁଦାନ ଦିଆଯାଇପାରି ନାହିଁ । ବିଜେଡି କର୍ମୀମାନଙ୍କୁ ଛୋଟ ଛୋଟ ଠକା କାମ ବାଣ୍ଟି ସେମାନଙ୍କୁ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

ଗତ ଦେଢ଼ବର୍ଷର କରୋନା ମୁକାବିଲାକୁ ନେଇ ଗାଁ ଗହଳିରେ ଲୋକଙ୍କ ମଧ୍ୟରେ ସରକାର ଓ ପ୍ରଶାସନ ପ୍ରତି ଦେଖାଦେଇଥିବା ଆକ୍ରୋଶକୁ ପ୍ରଶମିତ କରିବାକୁ ସୁଯୋଗ ଅପେକ୍ଷାରେ ବିଜେଡି ସରକାର ରହିଛନ୍ତି। କରୋନା ମହାମାରୀବେଳେ ସାଧାରଣ ଲୋକଙ୍କୁ ଚିକିତ୍ସା ସୁବିଧା, ରୋଜଗାର ଓ ଅନ୍ୟାନ୍ୟ ସୁବିଧା ଦେବାରେ ପଂଚାୟତସ୍ତରରେ ନିର୍ବାଚିତ ପ୍ରତିନିଧିମାନେ ଅଧିକାଂଶ ସ୍ଥାନରେ ବିଫଳ ହୋଇଥିବାରୁ ପଂଚାୟତ ନିର୍ବାଚନ ଉପରେ ତା’ର ପ୍ରଭାବ ପଡ଼ିବାର ଆଶଙ୍କା ବିଜେଡି ନେତୃତ୍ୱ କରୁଛନ୍ତି। ଯେଉଁଥିପାଇଁ ପଂଚାୟତ ନିର୍ବାଚନ ତାରିଖକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ନକରି ଆଇନଗତ ସମସ୍ୟାର ଆଳ ଦେଖାଇ ପ୍ରାୟ ୬ମାସ ଗଡ଼ାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି।

ତେବେ ଏସବୁ ପୂର୍ବରୁ ବିଜେଡି ସରକାର ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସାମିଲ ହିତାଧିକାରୀ ପରିବାରଗୁଡ଼ିକୁ ଡେବିଟ୍ କାର୍ଡ ଆକାରର କାର୍ଡ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଯେଭଳି ଗାଁ ଗହଳିରେ ‘ବିଜୁ କୃଷକ କଲ୍ୟାଣ ଯୋଜନା’ ଓ ‘ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଡ ବାଣ୍ଟିଥିଲେ ଏବେ ସେହି ଢଙ୍ଗରେ ବ୍ୟାପକ ଭାବେ ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ର ହିତାଧିକାରୀମାନଙ୍କୁ କାର୍ଡ ବାଣ୍ଟିବେ । ‘ବିଜୁ କାର୍ଡ’ ନାଁରେ ଏହି କାର୍ଡରେ ଗରିବ ହିତାଧିକାରୀ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କୁ ୭ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସବୁବର୍ଗର ଲୋକଙ୍କୁ ମାଗଣାରେ ସମସ୍ତ ସରକାରୀ ହସ୍ପିଟାଲରେ ଚିକିତ୍ସା ଓ ଔଷଧ ସୁବିଧା ଦିଆଯାଉଥିବାବେଳେ ରାଜ୍ୟର ପ୍ରାୟ ୭୦ଲକ୍ଷ ଗରିବ ପରିବାରକୁ ଅତିରିକ୍ତ ଭାବେ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ବାର୍ଷିକ ୫ଲକ୍ଷ ଓ ୭ଲକ୍ଷ ଟଙ୍କାର ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ୧୮୩ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରିଛନ୍ତି ଓ ସେଠାରେ ୪୦୩୬ଟି ପ୍ରକାର ପ୍ୟାକେଜ୍ ହିସାବରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡଧାରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ଅର୍ଥ ବାଦ୍ ଅଧିକ ଆବଶ୍ୟକ ପଡ଼ିଲେ ସରକାରୀ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ମଧ୍ୟ ଅର୍ଥ ଗରିବ ହିତାଧିକାରୀଙ୍କୁ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦିଓ ଏବେ ଏହି ଚିକିତ୍ସା ପାଣ୍ଠି ବନ୍ଦ ରହିଛି।

ବିଜେଡି ନିଜର ବିଧାୟକମାନଙ୍କ ଭରସାରେ ପଂଚାୟତ ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁନଥିବା ତଥା ୨୦୧୭ ମସିହାର ତ୍ରୁଟିକୁ ଦୋହରାଇବାକୁ ଚାହୁଁନଥିବାରୁ ବିଜେଡି ରଣନୀତିକାର ଏବେ ସିଧାସଳଖ ଭୋଟରଙ୍କ ସହ ଯୋଡ଼ି ହେବାକୁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟର ମୋଟ ପ୍ରାୟ ୮୫ଲକ୍ଷ ଗ୍ରାମାଂଚଳ ପରିବାର ଥିବାବେଳେ ପଂଚାୟତ ନିର୍ବାଚନ ପୂର୍ବରୁ ଗାଁ ଗହଳିରେ ଶିବିରମାନ ଆୟୋଜନ କରି ପ୍ରାୟ ୭୦ଲକ୍ଷ ପରିବାର(ହିତାଧିକାରୀ)ଙ୍କୁ ଏହି ‘ବିଜୁ କାର୍ଡ’ ବାଣ୍ଟିବା ଓ ଆବଶ୍ୟକ ସ୍ଥଳେ ନୂଆ ହିତାଧିକାରୀଙ୍କୁ ମଧ୍ୟ ଏହି କାର୍ଡ ଦେବାକୁ ସରକାର ଲକ୍ଷ୍ୟ ରଖାଯାଇଛି। ତେଣୁ ବିଜୁ କାର୍ଡ ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡି ପାଇଁ ‘ଟ୍ରମ୍ପ୍ କାର୍ଡ’ ହେବ ବୋଲି ଆକଳନ କରାଯାଉଛି।

Related story