ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ପୁଣି ଘାରିଛି ପଙ୍ଗପାଳ ଭୟ। ଜୁନ୍ ୧ରେ ପଙ୍ଗପାଳ ଦଳ ମଧ୍ୟପ୍ରଦେଶରୁ ଛତିଶଗଡ଼ କରେୟା ଜିଲ୍ଲା ଭରତପୁର ଅଞ୍ଚଳକୁ ଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ। ଏହାପରେ ଗୋଟିଏ ଦିନରେ ପୁଣି ଉକ୍ତ ଦଳ ମଧ୍ୟପ୍ରଦେଶକୁ ଫେରି ଯାଇଥିଲେ। ତେବେ ପୁଣି ଥରେ ଏହି ପଙ୍ଗପାଳ ଦଳ ଛତିଶଗଡ଼ରେ ପ୍ରବେଶ କରିଛନ୍ତି।
ଛତିଶଗଡ଼ର କରେୟା ଜିଲ୍ଲା ଭରତପୁର ବ୍ଲକ୍ ଅନ୍ତର୍ଗତ ଡଙ୍ଗୋରିଟୋଲି ଅଞ୍ଚଳରେଏହି ଦଳ ଏବେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ କରେୟା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ କୀଟନାଶକ ସିଞ୍ଚନ କରାଯାଉଛି।
କରେୟା ଜିଲ୍ଲାଠାରୁ ସୁନ୍ଦରଗଡ଼ର ଦୂରତା ମାତ୍ର ୩୨୦ କି.ମି.। ତେଣୁ ଏହି ପଙ୍ଗପାଳ ଦଳ ସୁନ୍ଦରଗଡ଼ ଜିଲ୍ଲା ମୁହାଁ ହେଲେ ସ୍ଥିତି ଉଦ୍ବେଗଜନକ ରହିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ଏବେ ଓଡ଼ିଶା ଚାଷୀଙ୍କୁ ଚିନ୍ତା ଘାରିଛି।