ମୋବାଇଲ୍‌ ଗେମ୍‌ ମାୟାରେ ବାୟା ଛାତ୍ର, ଘରେ ବୁଲାଇଲା କଳା କନା

ପାରାଦୀପ(ରମାକାନ୍ତ ନାୟକ): ମୋବାଇଲ୍‌ ଗେମ୍‌ ନିଶାରେ ପଡ଼ି ନିଜ ଘରେ କଳାକନା ବୁଲାଇଲା ଷଷ୍ଠ ଶ୍ରେଣୀ ଛାତ୍ର। ଦୁଇ ସପ୍ତାହ ମଧ୍ୟରେ ନଗଦ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ପଡୋଶୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଗହଣା, ମୋବାଇଲ ଓ ଲାପ୍‌ଟପ୍‌ ଉଦ୍ଧାର କରିଛି। ମାତ୍ର ଗେମ୍‌ ସମ୍ପର୍କରେ ପୁଲିସ କିଛି କହିନଥିବା […]

Free Fire Game

Manoranjan Sial
  • Published: Thursday, 01 April 2021
  • , Updated: 01 April 2021, 09:09 PM IST

ପାରାଦୀପ(ରମାକାନ୍ତ ନାୟକ): ମୋବାଇଲ୍‌ ଗେମ୍‌ ନିଶାରେ ପଡ଼ି ନିଜ ଘରେ କଳାକନା ବୁଲାଇଲା ଷଷ୍ଠ ଶ୍ରେଣୀ ଛାତ୍ର। ଦୁଇ ସପ୍ତାହ ମଧ୍ୟରେ ନଗଦ ୧୩ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ପଡୋଶୀଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପାରାଦୀପ ଆଦର୍ଶ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଗହଣା, ମୋବାଇଲ ଓ ଲାପ୍‌ଟପ୍‌ ଉଦ୍ଧାର କରିଛି। ମାତ୍ର ଗେମ୍‌ ସମ୍ପର୍କରେ ପୁଲିସ କିଛି କହିନଥିବା ଜଣାପଡ଼ିଛି।

ପାରାଦୀପ ବଡ଼ପଡିଆ ଅଞ୍ଚଳ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଚିଣ୍ଟୁ (ଛଦ୍ମ ନାମ) ସବୁ ବେଳେ ମୋବାଇଲ୍‌ ଗେମ୍‌ ‘ଫ୍ରି ଫାୟାର’ ଖେଳୁଥିଲା। ଯାହାକୁ ତାଙ୍କ ବାପା-ମାଆ ବିରୋଧ କରୁଥିଲେ। ଗେମ୍‌ ମାୟାରେ ବାୟା ହୋଇଥିବା ଚିଣ୍ଟୁ ବାପା-ମାଆଙ୍କୁ ଲୁଚି ପଡ଼ୋଶୀଙ୍କ ଘରକୁ ଚାଲି ଯାଇଥିଲା। ସେଠାରେ ତାଙ୍କ ମୋବାଇଲ୍‌ରେ ଫ୍ରି ଫାୟାର ଗେମ୍‌ ଖେଳୁଥିଲା।

ଗେମ୍‌ ଖେଳିବା ଭିତରେ ପଡ଼ୋଶୀ ଘରର ଜଣେ ନାବାଳକ ଚିଣ୍ଟୁକୁ ମୋବାଇଲ୍‌ କିଣିବାକୁ ପରାମର୍ଶ ଦେଇଥିଲା। ଆଉ ଏଥିପାଇଁ ଘରୁ ଟଙ୍କା ଆଣିବାକୁ କହିଥିଲେ। ତାଙ୍କ କଥାରେ ରାଜି ହୋଇଥିଲା ଚିଣ୍ଟୁ। ପରେ ଘରୁ ଲୁଚାଇ ୧୩ ହଜାର ଟଙ୍କା ଦେଇଥିଲା। ଯେଉଁ ଟଙ୍କାରେ ପଡ଼ୋଶୀ ପରିବାର ଲୋକ ମୋବାଇଲ୍‌ କିଣିଥିଲେ। ମାତ୍ର ଫ୍ରି ଫାୟାର୍‌ ଗେମ୍‌ ଖେଳିବାକୁ ଦେଲେନାହିଁ। ଲାପ୍‌ଟପ୍‌ କିଣିବାକୁ ପ୍ରବର୍ତ୍ତାଇଥିଲେ ପଡ଼ୋଶୀ। ଲାପଟପ୍‌ର ବଡ଼ ସ୍କ୍ରିନ୍‌ରେ ଗେମ୍‌ ଖେଳିଲେ ଭଲ ରୋଜଗାର ହେବ ବୋଲି ଲୋଭ ଦେଖାଇଥିଲେ।

ଗେମ୍‌ ମାୟାରେ ବାୟା ହୋଇଥିବା ଚିଣ୍ଟୁ ଅର୍ଥ ରୋଜଗାର ଲୋଭରେ ପଡ଼ି ଲାପ୍‌ଟପ୍‌ କଣିବା ପାଇଁ ଘରୁ ଟଙ୍କା ଚୋରି କରିବା ଆରମ୍ଭ କଲା। ଯେଉଁଦିନ ଟଙ୍କା ପାଇଲା ନାହିଁ, ସେଦିନ ବାକ୍‌ସରେ ଥିବା ସୁନା କାନଫୁଲ, ଚୁଡ଼ି, ଶଙ୍ଖା, ବ୍ରତ ଆଦି ସୁନା ଗହଣା ଚୋରି କରି ପଡ଼ୋଶୀଙ୍କୁ ଦେଇଥିଲା। ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଚିଣ୍ଟୁ ଦେଇଥିବା ସୁନା ଗହଣାରୁ କିଛି ବିକ୍ରି ହୋଇଥିବା ବେଳେ ଆଉ କିଛି ଗହଣା ଏକ ଘରୋଇ ବ୍ୟାଙ୍କରେ ବନ୍ଧକ ରଖାଯାଇଛି। ସେଥିରୁ ମିଳିଥିବା ଟଙ୍କାରେ ଲାପଟପ୍‌ କିଣା ଯାଇଥିଲା।

ଚିଣ୍ଟୁଙ୍କ ମାଆ ନିଜ ଗାଁକୁ ଯିବା ପାଇଁ ଗହଣା ବାକ୍ସ ଖୋଲିଥିଲେ। ଏହି ସମୟରେ ସୁନା ଗହଣା କିଛି ନଥିବା ସେ ଦେଖିବାକୁ ପାଇଲେ। ପରେ ପଚରାଉଚରା କରିବାରୁ ଚିଣ୍ଟୁ ପୂରା ଘଟଣା ସମ୍ପର୍କରେ ଜଣାଇଥିଲା। ଚିଣ୍ଟୁର ମାଆ ଏ ନେଇ ପାରାଦୀପ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି ପୁଲିସ ଚଢ଼ଉ କରି କିଛି ଗହଣା, ଲାପଟପ୍‌ ଓ ମୋବାଇଲ୍‌ ଉଦ୍ଧାର କରିଛି।

Related story