ପାରାଦୀପ: ପାରାଦୀପର ଅଠରବାଙ୍କୀ ଠାରେ ପାଇପ ଲାଇନରେ କଣା ସୃଷ୍ଟି ହୋଇଛି। ତେଣୁ ଦୁର୍ବୃତ୍ତମାନେ ଗତକାଲି ରାତିରେ ତେଲ ଚୋରି କରିଥିବା ଅନୁମାନ କରାଯାଉଛି। ପାଇପ ଲାଇନରେ କଣା ସୃଷ୍ଟି ହୋଇଥିବା ଯୋଗୁଁ ଶହଶହ ଲିଟର ତେଲ ଲିକ୍ କରି ନିକଟସ୍ଥ ନଦୀ ପାଣିରେ ମିଶୁଛି। ଖବର ଲେଖା ଯିବା ସୁଦ୍ଧା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ।
କିଛି ଦିନ ତଳେ ଦୁର୍ବୃତ୍ତମାନେ ପାଇପ ଲାଇନ କଣା କରି ତେଲ ଚୋରି କରିବା ପାଇଁ ଉଦ୍ୟମ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏହା ସ୍ଥାୟୀ ପ୍ରତିକାର କରାଯାଉ ନ ଥିବା ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।
ପାରାଦୀପ ନାଗରିକ ମଞ୍ଚ ସଭାପତି ଶ୍ରୀକାନ୍ତ ରାୟ କହିଛନ୍ତି, “ଦୁର୍ବୃତ୍ତମାନେ ପାଇପ ଲାଇନରେ କଣା ସୃଷ୍ଟି କରୁଥିବାରୁ ସେହି ପାଣି ଯାଇ ମହାନଦୀରେ ମିଶୁଛି। ଜଳ ଦୂଷିତ ହେଉଛି। କିଛି ହେନ୍ତାଳ ବଣ ତେଲ ଜଳରେ ମିଶି ନଷ୍ଟ ହୋଇଗଲାଣି। ଦୂଷିତ ପାଣି ଯୋଗୁଁ କିଛି ଜଳ ଜୀବ ମରି ଭାସୁଛନ୍ତି। ବିଗତ ୧୫ ଦିନ ଭିତରେ ଦୁଇ ଥର ଏଭଳି ଘଟଣା ଘଟିଲାଣି। ଆଗାମୀ ଦିନରେ ଏହା ପାଇଁ ଉପଯୁକ୍ତ ପଦକ୍ଷେପ ନ ନିଆଯାଏ ତାହାହେଲେ ଜଳ ଜୀବ ସମ୍ପୂର୍ଣ୍ଣ ହ୍ରାସ ପାଇଯିବ। ପୋଲିସ ପ୍ରଶାସନ ଏଥିପାଇଁ ତତ୍ପର ହୁଅନ୍ତୁ ଓ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ।”