ଅନାହାରରେ ଆଦିବାସୀ ମହିଳାଙ୍କ ଜୀବନ ଗଲା, ସ୍ୱୀକାର କରନ୍ତୁ ସରକାର: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନାଜନିତ ଲକଡାଉନବେଳେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି। ଏହା ରାଜ୍ୟରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ଗରିବ କଲ୍ୟାଣ ଯୋଜନାର ଅସଲ ରୂପକୁ ପଦାରେ ପକାଇବା ସହ ପ୍ରଶାସନିକ ଅବହେଳା ଏଥିପାଇଁ ମୁଖ୍ୟ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନୟାଗଡ଼ ଜିଲ୍ଲାସ୍ଥିତ କାଳିଆମ୍ବ […]

niranjan

Manoranjan Sial
  • Published: Thursday, 16 July 2020
  • , Updated: 16 July 2020, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କରୋନାଜନିତ ଲକଡାଉନବେଳେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି। ଏହା ରାଜ୍ୟରେ ଚାଲିଥିବା ଖାଦ୍ୟ ସୁରକ୍ଷା ଓ ଗରିବ କଲ୍ୟାଣ ଯୋଜନାର ଅସଲ ରୂପକୁ ପଦାରେ ପକାଇବା ସହ ପ୍ରଶାସନିକ ଅବହେଳା ଏଥିପାଇଁ ମୁଖ୍ୟ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନୟାଗଡ଼ ଜିଲ୍ଲାସ୍ଥିତ କାଳିଆମ୍ବ ଗାଁର ୪୬ ବର୍ଷୀୟା ଦୁଃଖି ଜାନୀଙ୍କର ଅନାହାରରେ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ମୃତ୍ୟୁକୁ ସଭ୍ୟ ସମାଜରେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ। ଦୁଃଖି ଜାନୀଙ୍କ ମୃତ୍ୟୁ ଜୁନ୍ ୨୪ ତାରିଖରେ ଘଟିଥିଲେ ମଧ୍ୟ ପ୍ରଶାସନିକସ୍ତରରେ କୌଣସି ତତ୍ପରତା ପ୍ରକାଶ ନପାଇବା ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ବିଷୟରେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମକର୍ତ୍ତା ଉକ୍ତ ଗାଁକୁ ଯାଇ ଯେଉଁ ତଥ୍ୟ ଉନ୍ମୋଚନ କଲେ ସେଥିରୁ ଜଣାଗଲା ଯେ ଉକ୍ତ ମହିଳା ମୃତ୍ୟୁ ପୂର୍ବରୁ ତିନିଦିନ ଖାଇବାକୁ ନପାଇ ଭୋକଉପାସରେ ଥିଲେ। ତାଙ୍କୁ ପିଡିଏସ୍‌ରୁ ଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ମିଳୁନଥିଲା। ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୬ ରେ ମିଳିଥିବା କାର୍ଡ଼ରେ ଯଦିଓ ସେ ୧୦କିଲୋ ଚାଉଳ ମାଗଣା ପାଇବା ପାଇଁ ହକ୍‌ଦାର ଥିଲେ ବି ତାଙ୍କୁ ଏହା ମିଳୁନଥିଲା। ସେ ଜଣେ ଅଣକୁଶଳୀ ଶ୍ରମିକ ଭାବରେ ମନରେଗା ଯୋଜନାରେ କାମ ପାଇବା କଥା। ଏଥିରେବି ତାଙ୍କୁ ହତାଦାର କରାଯାଇଥିଲା। କେନ୍ଦ୍ରୀୟ ଯୋଜନା ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଜନଧନ ଯୋଜନାରେ ବି ତାଙ୍କୁ କୌଣସି ପ୍ରକାର ସହାୟତା ମିଳୁନଥିଲା। ଯାହାର ପରିଣାମସ୍ୱରୂପ ଶେଷକୁ ସେହି ନିରୀହ ଆଦିବାସୀ ମହିଳାଙ୍କର କ୍ଷୁଧା ଓ ଅନାହାର ଯୋଗୁଁ ମୃତ୍ୟୁ ଘଟିଲା। ଏଭଳି ଦୁଃଖଦାୟକ ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକାର କରି ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ନଦେଲେ ଆଦିବାସୀ ଅଂଚଳରେ ଦିନକୁ ଦିନ ଏ ଅନାହାର ମୃତ୍ୟୁ ବୃଦ୍ଧି ପାଉଛି ଏବଂ ପାଇବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି।

Related story