ପୁଅର ମୃତଦେହକୁ କାନ୍ଧରେ ବୋହି ଦେଢ଼ କି.ମି. ଚାଲିଲା ବାପା

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ଡାକ୍ତରଖାନାରେ ଆଖି ବୁଜିଲା ପୁଅ। ହେଲେ ମୃତଦେହକୁ  ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ନିରୁପାୟ ହୋଇ ଡାକ୍ତରଖାନାରୁ ପୁଅର ମୃତଦେହକୁ ଦେଢ଼ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ, ରାୟଗଡ଼ା ସଦର ମହକୁମା ହରିଜନ ସାହିର ସୁରଧର ବେନିଆଙ୍କ ୯ବର୍ଷର ପୁଅ ଆକାଶଙ୍କ ଗତକାଲି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

Rayagada

Tapaswini Nayak
  • Published: Monday, 21 March 2022
  • , Updated: 21 March 2022, 09:13 AM IST

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ଡାକ୍ତରଖାନାରେ ଆଖି ବୁଜିଲା ପୁଅ। ହେଲେ ମୃତଦେହକୁ  ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ନିରୁପାୟ ହୋଇ ଡାକ୍ତରଖାନାରୁ ପୁଅର ମୃତଦେହକୁ ଦେଢ଼ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା। ଏଭଳି ହୃଦୟବିଦାରକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ।

ମିଳିଥିବା ସୂଚନା ଅନୁସାରେ, ରାୟଗଡ଼ା ସଦର ମହକୁମା ହରିଜନ ସାହିର ସୁରଧର ବେନିଆଙ୍କ ୯ବର୍ଷର ପୁଅ ଆକାଶଙ୍କ ଗତକାଲି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।

ପୁଅର ମୃତଦେହକୁ ଘରକୁ ଆଣିବା ପାଇଁ ଡାକ୍ତରଖାନା ପକ୍ଷରୁ ମହାପ୍ରୟାଣ ଗାଡ଼ି ମିଳି ନଥିଲା। ଗାଡ଼ି ଭଡ଼ା କରି ମୃତଦେହ ଆଣିବା ପାଇଁ ସୁରଧରଙ୍କ ପାଖରେ ଆର୍ଥିକ ସମ୍ବଳ ମଧ୍ୟ ନଥିଲା। ଶେଷରେ ପୁଅର ମୃତଦେହକୁ ବାପା ଦେଢ଼ କିଲୋମିଟର  କାନ୍ଧରେ ବୋହି ଘରକୁ ଆଣିଥିଲେ। ପଛରେ ମା’ ଓ ପରିବାର ଲୋକେ କାନ୍ଦିକାନ୍ଦି ଚାଲିଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରାୟଗଡ଼ା ଜିଲ୍ଲାପାଳ ସରୋଜ ମିଶ୍ର କହିଛନ୍ତି, ମୃତଦେହ ନେବା ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡ଼ି ରହିଛି। କ’ଣ ପାଇଁ ଏପରି ଘଟଣା ଘଟିଲା ତଦନ୍ତ କରାଯିବ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।  ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

 

Related story