ଭଞ୍ଜନଗର( ରାଜେଶ କୁମାର ପଣ୍ଡା): ଅବାଧରେ ଚାଲିଛି ମଦ ବିକ୍ରି, ତାକୁ ବନ୍ଦ କରିବାକୁ କେହି ନାଁ ଧରୁ ନାହାନ୍ତି। ହେଲେ ଗଞ୍ଜେଇ ଚାଷ କରି ଆମେ ପରିବାର ପୋଷୁଥିବା ବେଳେ ତାକୁ ପୋଡ଼ି ଦେଉଛନ୍ତି। ଆମେ ଏବେ କ’ଣ ଖାଇବୁ, କିପରି ବଞ୍ଚିବୁ। ଆଜି ପୁଲିସ୍ ସମ୍ମୁଖରେ ଏପରି ଯୁକ୍ତି ବାଢ଼ିଥିଲେ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଖଜୁରିପଦାର ଉପାନ୍ତ ଅଞ୍ଚଳବାସୀ।
ଖଜୁରିପଦାର ପ୍ରାୟ ୫୦ ଏକରରୁ ଅଧିକ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ୍। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ଆରକ୍ଷୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଆସ୍କା ଏସ୍ଡିପିଓ, ୪ ଥାନା ଅଧିକାରୀଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସେମାନଙ୍କ ସହ ଧରାକୋଟା ତହସିଲଦାର, ଅବକାରୀ ଅଧିକାରୀ, ବିଦ୍ୟୁତ୍ ବିଭାଗ ଅଧିକାରୀ, ବନ ବିଭାଗ ଅଧିକାରୀ ମଧ୍ୟ ଏହି ଚଢ଼ଉରେ ସାମିଲ ହୋଇଥିଲେ।
ମାତ୍ର ପୁଲିସ୍କୁ ଦେଖି ଉତ୍ତ୍ୟକ୍ତ ଗ୍ରାମବାସୀ ତାତି ଯାଇଥିଲା। ଫୋର୍ସ ଗଞ୍ଜେଇ ଗଛ ଉପାଡିବାକୁ ଯିବା ବେଳେ ଗ୍ରାମବାସୀଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ସରକାର ମଦ ବିକ୍ରି ବନ୍ଦ କରୁ ନ ଥିବା ବେଳେ ଗଞ୍ଜେଇ ଗଛ ନଷ୍ଟ କାହିଁକି କରୁଛନ୍ତି ବୋଲି ଉପସ୍ଥିତ ଅଧିକାରୀଙ୍କୁ ଗ୍ରାମବାସୀ ପଚାରିଥିଲେ।
ଉତ୍ତ୍ୟକ୍ତ ଗ୍ରାମବାସୀ କହିଛନ୍ତି “କୌଣସି ରୋଜଗାର ପନ୍ଥା ନ ଥିବା ବେଳେ ଜଙ୍ଗଲ ଜମିରେ ଚାଷ କରି ବଞ୍ଚୁଛୁ। ମୌଳିକ ସୁବିଧାର ନାଁ ଗନ୍ଧ ନାହିଁ। ୬ ବର୍ଷ ହେଲା ଦାବି ଜଣାଇ ଆସୁଥିଲେ ବି ତାହା ପୂରଣ ହେଉନି। ଏପରି ସ୍ଥିତିରେ ଗଞ୍ଜେଇ ଗଛ ପୋଡ଼ି ଦେଲେ କିପରି ବଞ୍ଚିବୁ ।“ । ଏ ଗ୍ରାମବାସୀଙ୍କ ସହ ପ୍ରଶାସନିକ ଅଧିକାରୀ ଦୀର୍ଘ ସମୟ ଆଲୋଚନା କରିବା ପରେ ସେମାନେ ଗଛ ପୋଡ଼ିବାକୁ ରାଜି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଗଞ୍ଜେଇ ନଷ୍ଟ ପ୍ରକ୍ରିୟା।