କାଲିଠୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀ ସହରବାସୀ, କେଉଁ ୱାର୍ଡର ଲୋକେ କେତେବେଳେ ଦର୍ଶନ କରିପାରିବେ ଜାଣନ୍ତୁ

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରତୀକ୍ଷାର ଅନ୍ତ ଘଟିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ। କିନ୍ତୁ ଅଗଷ୍ଟ୨୩ ତାରିଖରୁ ସମସ୍ତେ ପାଇବେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱାର୍ଡୱାରୀ ପୁରୀ ସହର ବାସିନ୍ଦା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପୁଣି ୱାର୍ଡୱାରୀ ଦର୍ଶନ ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ୭ଟାରୁ ସାଢ଼େ ୧୦ଟା, ୧୧ଟାରୁ ସାଢ଼େ ୨ଟା ଓ ୩ଟା […]

PuriTemple

Jitendra Garnayak
  • Published: Sunday, 15 August 2021
  • , Updated: 15 August 2021, 01:22 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପ୍ରତୀକ୍ଷାର ଅନ୍ତ ଘଟିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ। କିନ୍ତୁ ଅଗଷ୍ଟ୨୩ ତାରିଖରୁ ସମସ୍ତେ ପାଇବେ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱାର୍ଡୱାରୀ ପୁରୀ ସହର ବାସିନ୍ଦା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପୁଣି ୱାର୍ଡୱାରୀ ଦର୍ଶନ ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ୭ଟାରୁ ସାଢ଼େ ୧୦ଟା, ୧୧ଟାରୁ ସାଢ଼େ ୨ଟା ଓ ୩ଟା ୩୦ରୁ ୭ଟା- ଏହି ଭଳି ତିନି ପର୍ଯ୍ୟାୟରେ ମିଳିବ ଦର୍ଶନ ଅନୁମତି।

ପ୍ରଥମ ଦିନ ଅର୍ଥାତ୍ ଆସନ୍ତାକାଲି ସକାଳ ୭ଟାରୁ ସାଢ଼େ ୧୦ଟା ମଧ୍ୟରେ ୩,୧୫ ଓ ୧୮ ନମ୍ବର ୱାର୍ଡର ଲୋକେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହା ପରେ ଦିନ ୧୧ଟାରୁ ୬ ଓ ୯ ନମ୍ବର ୱାର୍ଡ ଓ ଦିନ ୩ଟା ୩୦ରୁ ୧୧,୧୨ ଏବଂ ୧୪ ନମ୍ବର ୱାର୍ଡର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳି।

୧୭ ତାରିଖ ସକାଳ ୭ଟାରୁ ୧ ଓ ୪ ନମ୍ବର ୱାର୍ଡ ବାସିନ୍ଦାଙ୍କୁ, ଦିନ ୧୧ଟାରୁ ୫ ନମ୍ବର ୱାର୍ଡ ଓ ୩ଟା ୩୦ରୁ ୭ ଏବଂ୧୦ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳି। ୧୮ ତାରିଖ ସକାଳ ୭ଟାରୁ ୮, ୧୩ ଓ ୧୯ ନମ୍ବର ୱାର୍ଡ, ଦିନ ୧୧ଟାରୁ ୨୩ ଓ ୨୪ ନମ୍ବର ୱାର୍ଡ ଏବଂ ୩ଟା ୩୦ରୁ ୨,୧୬ ଓ୧୭ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ସୁଯୋଗ ମିଳିବ।

୧୯ ତାରିଖ ସକାଳ ୭ଟାରୁ ୨୧ ଓ ୨୨ ନମ୍ବର ୱାର୍ଡ, ଦିନ ୧୧ଟାରୁ ୨୦ ଓ ୨୫ ନମ୍ବର ୱାର୍ଡ ଏବଂ ୩ଟା ୩୦ରୁ ୨୬ ଓ୨୮ ନମ୍ବର ୱାର୍ଡର ଲୋକେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ୨୦ତାରିଖ ସକାଳ ୭ଟାରୁ ୨୭ ଓ ୩୦ ନମ୍ବର ୱାର୍ଡ, ଦିନ ୧୧ଟାରେ ୩୧ ନମ୍ବର ୱାର୍ଡ ଏବଂ ୩ଟା ୩୦ରୁ ୨୯ ଓ ୩୨ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଏବେ ପୁରୀ ପୌରପାଳିକା ପକ୍ଷରୁ ସହରବାସୀଙ୍କୁ ଚିରୁକୁଟି ଦିଆଯାଉଛି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ଜଣ ସଦସ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନକୁ ବ୍ୟବସ୍ଥିତ କରିବା ପାଇଁ କିଓସ୍କ ଓ ବ୍ୟାରିକେଡ୍‌ ପ୍ରସ୍ତୁତ କରାଯାଇଛି। ସେଠାରେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ।

ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ କୋଭିଡ୍ ଗାଇଡ୍‌ଲାଇନ୍ ରହିଛି। ଭକ୍ତମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଶ୍ରୀମନ୍ଦିର ଭିତରକୁ ଫୁଲ, ତୁଳସୀ ପତ୍ର, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। ସେହିପରି ଶ୍ରୀମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ପାନ,ଗୁଟଖା ଖାଇବା ଉପରେ କଟକଣା ଲଗାଯାଇଛି। ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଓ ପଲିଥିନ ନେଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଖାଇପାରିବେ ନାହିଁ। ସପ୍ତାହାନ୍ତ ଶଟଡାଉନରେ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ସେହିପରି ଆଗକୁ ଆସୁଥିବା ପର୍ବପର୍ବାଣୀ ସମୟରେ ଶ୍ରୀମନ୍ଦିର ବନ୍ଦ ରହିବ।

Related story