‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଗସ୍ତ ପାଇଁ ବାଲେଶ୍ୱରବାସୀ ହନ୍ତସନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଦିନିକିଆ ବାଲେଶ୍ୱର ଗସ୍ତ ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ପାଲଟିଛି । ନବୀନଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ବୋଲି ବିଜେଡି ଅଭିହିତ କରୁଥିବାବେଳେ ନବୀନଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଆଳରେ ପୁଲିସ ବାଲେଶ୍ୱରର କିଛି ଅଂଚଳରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି କରିଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ […]

Balasore

Ordigital Desk
  • Published: Thursday, 22 December 2022
  • , Updated: 22 December 2022, 07:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଦିନିକିଆ ବାଲେଶ୍ୱର ଗସ୍ତ ସ୍ଥାନୀୟ ଅଂଚଳବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ପାଲଟିଛି । ନବୀନଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ବୋଲି ବିଜେଡି ଅଭିହିତ କରୁଥିବାବେଳେ ନବୀନଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଆଳରେ ପୁଲିସ ବାଲେଶ୍ୱରର କିଛି ଅଂଚଳରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି କରିଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଲେଶ୍ୱରର ଷ୍ଟେସନ ଛକରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ଅଂଚଳକୁ ‘ନୋ ମ୍ୟାନ୍ ଜୋନ୍‌’ ଭାବେ ଘୋଷଣା କରି ସେଠାରେ ଥିବା ବିଭିନ୍ନ ଅଫିସ, ସରକାର ଓ ବେସରକାରୀ ସ୍କୁଲକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ମହିଳାଙ୍କ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ ନିଜ ସଭାରେ କଳା ଡ୍ରେସ, ସାଲ୍ ଓ ଓଢ଼ଣୀ ପକାଇ ଆସିଥିବା ମହିଳାଙ୍କ ଦେହରୁ ଏସବୁ କାଢ଼ିବାକୁ ସ୍ଥାନୀୟ ପୁଲିସ୍‌ ପଛାଇ ନଥିଲା।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କିଛି ଘଣ୍ଟାର ବାଲେଶ୍ୱର ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଯେଭଳି ଢଙ୍ଗରେ ସାଧାରଣ ଲୋକ ଓ ବିଭିନ୍ନ ଘରୋଇ ଏବଂ ସରକାରୀ ଅଫିସରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ହଇରାଣ ହେବାକୁ ପଡ଼ିଲା ତାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସହରର ବ୍ୟସ୍ତବହୁଳ ଏକ ବିରାଟ ଅଂଚଳକୁ ‘ନୋ ମ୍ୟାନ୍ ଜୋନ୍ ’ ଘୋଷଣା ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯିବା ସିଧାସଳଖ ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ମାନସିକତାକୁ ପଦାରେ ପକାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ କାହା ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ହଇରାଣ କରାଗଲା ଓ ଏକ ନିର୍ଦ୍ଦିଷ୍ଟ ଅଂଚଳକୁ ନୋ ମ୍ୟାନ୍ ଜୋନ୍ ଘୋଷଣା କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ ଅଂଚଳବାସୀଙ୍କ ମତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବନ୍ଦୋବସ୍ତ ହେବାରେ କିଛି ସମସ୍ୟା ନାହିଁ । କିନ୍ତୁ ଆଇକାର୍ଡ ଆଦି ଦେଖାଇବା ସତ୍ତ୍ୱେ ନିଜର ଅଫିସ ଓ ବ୍ୟାଙ୍କ ଆଦି ଯିବାକୁ ଦିଆନଯିବା, ରୋଡକୁ ଦୀର୍ଘ ସମୟ ଧରି ବନ୍ଦ କରି ରଖିବା, ସେହି ଅଂଚଳରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ସହ ବିଭିନ୍ନ ଦୋକାନ ଆଦିକୁ ମଧ୍ୟ ବନ୍ଦ କରିବା, କେଉଁ ମାନସିକତାର ଇଙ୍ଗିତ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଳା ବସ୍ତ୍ର ପରିଧାନ କରୁଥିବା ବ୍ୟକ୍ତି ଏପରିକି ମହିଳାମାନଙ୍କୁ ମଧ୍ୟ ତାଙ୍କର ସଭାକୁ ଯିବାକୁ ଦିଆଯାଉନଥିଲା । ତେବେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଲିସ ଏଭଳି ହିଟଲରୀ ମାନସିକତାରୁ ଓହରି ଥିଲା। ଏବେ ମୁଖ୍ୟମନ୍ତ୍ରୀ ପୁଣିଥରେ ଜିଲ୍ଲା ଗସ୍ତରେ ଯିବା ଆରମ୍ଭ କରିଥିବାବେଳେ ପୁଲିସ ସେହି ବ୍ରିଟିଶ ମାନସିକତା ପୋଷଣ କରି ମହିଳାଙ୍କ ଦେହରୁ ଜୋରଜବରଦସ୍ତ କଳା ପୋଷାକ କାଢ଼ିବା, ଦୋକାନବଜାର, ଶିକ୍ଷାନୁଷ୍ଠାନ ଓ ଅଫିସ ଆଦି ବନ୍ଦ କରିଦେବା ଏବଂ କାହାରିକୁ ସେହି ଅଂଚଳରେ ଯିବାକୁ ନଦେବା ଅତ୍ୟନ୍ତର ପରିତାପର ବିଷୟ ।

ସୂଚନାଯୋଗ୍ୟ, ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ତଥା ଓଡ଼ିଶାର ତଥାକଥିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଗସ୍ତରେ ଯାଇ ରିଜର୍ଭ ପୁଲିସ୍‌ ପଡ଼ିଆରେ ଗୋଟିଏ ସଭା କରିବା ସହ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

Related story