ପିଜି ନାମଲେଖାରେ ଅନିୟମିତତା: ୨ ବିଶ୍ୱବିଦ୍ୟାଳୟ ଓ ୨୩ ଡିଗ୍ରୀ କଲେଜକୁ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଜି ନାମଲେଖାରେ ଅନିୟମିତତା ଓ ଷ୍ଟୁଡେଣ୍ଟସ୍ ଏକାଡେମିକ ମ୍ୟାନେଜମେଂଟ ସିଷ୍ଟମ(ସାମସ) ସର୍ତ୍ତାବଳୀକୁ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ସରକାର ୨ଟି ବିଶ୍ୱବିଦ୍ୟାଳୟ ଓ ୨୩ଟି ଡିଗ୍ରୀ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ପୂର୍ବରୁ ଚଳିତମାସ ୭ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୧୯ଟି ଡିଗ୍ରୀ କଲେଜକୁ ନାମଲେଖାରେ ଅନିୟମିତତା ପାଇଁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଉଚ୍ଚଶିକ୍ଷା ବିଭାଗର ସୂତ୍ର ଅନୁସାରେ, ଉଭୟ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ(ପିଜି) ନାମଲେଖା ପାଇଁ […]

high

Ordigital Desk
  • Published: Wednesday, 18 January 2023
  • , Updated: 18 January 2023, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଜି ନାମଲେଖାରେ ଅନିୟମିତତା ଓ ଷ୍ଟୁଡେଣ୍ଟସ୍ ଏକାଡେମିକ ମ୍ୟାନେଜମେଂଟ ସିଷ୍ଟମ(ସାମସ) ସର୍ତ୍ତାବଳୀକୁ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ସରକାର ୨ଟି ବିଶ୍ୱବିଦ୍ୟାଳୟ ଓ ୨୩ଟି ଡିଗ୍ରୀ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ପୂର୍ବରୁ ଚଳିତମାସ ୭ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୧୯ଟି ଡିଗ୍ରୀ କଲେଜକୁ ନାମଲେଖାରେ ଅନିୟମିତତା ପାଇଁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ।

ଉଚ୍ଚଶିକ୍ଷା ବିଭାଗର ସୂତ୍ର ଅନୁସାରେ, ଉଭୟ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ(ପିଜି) ନାମଲେଖା ପାଇଁ ଇ-ଆଡମିଶନ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଥିବାବେଳେ ସାମସ୍ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦିତ ହେଉଛି । ତେବେ କିଛି କଲେଜ ଓ ବିଶ୍ୱବିଦ୍ୟାଳୟ ଇ-ଆଡମିଶନ ସର୍ତ୍ତାବଳୀକୁ ଉଲ୍ଲଘଂନ କରିବା ସହ ୨୦୨୨-୨୩ ଶିକ୍ଷାବର୍ଷରେ ଇ-ଆଡମିଶନ ପ୍ରକ୍ରିୟାରେ ସାମିଲ ନଥିବା ଛାତ୍ରଛାତ୍ରୀଙ୍କ ନାମକୁ ସାମସରେ ସାମିଲ କରିବା ପାଇଁ ବିଭାଗକୁ ଅନୁରୋଧ କରିଥିବାରୁ ଏଭଳି ଅନିୟମିତତାର ସନ୍ଦେହ ଉପୁଜିଛି । ଇ-ଆଡମିଶନ ପ୍ରକ୍ରିୟାକୁ ଅଣଦେଖା କରି ଛାତ୍ରଛାତ୍ରୀମାନେ ସିଧାସଳଖ ଏସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଅଭିଯୋଗ ହେଉଛି । ଏହି ଶିକ୍ଷାନୁଷ୍ଠାନ ମଧ୍ୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସାମିଲ ଅଛି।

ଏହି କାରଣରୁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ସାମସ୍ ପୋର୍ଟାଲ ମାଧ୍ୟମରେ ନାମ ନଲେଖାଇଥିବା ଛାତ୍ରଛାତ୍ରୀମାନେ ଇ-ଆଡମିଶନ ନିୟମର ସିଧାସଳଖ ଉଲ୍ଲଘଂନ କରିଛନ୍ତି ଓ ଏହା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର କୁପରିଚାଳନାକୁ ଉଜାଗର କରୁଛି । ଏହା ମଧ୍ୟ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଭଳି ସାମସ୍ ବା ଇ-ଆଡମିଶନ ପ୍ରକ୍ରିୟା ବାହାରେ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା ଜାନୁୟାରୀ ୨୦ତାରିଖ ସୁଦ୍ଧା ନିଜର ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାମସରେ ଛାତ୍ରଛାତ୍ରୀଙ୍କ ଆଡମିଶନ ସଂକ୍ରାନ୍ତ ତଥ୍ୟ ଠିକ୍ ଭାବେ ଅପଡେଟ୍ କରିନଥିବା ଅଭିଯୋଗରେ ଜାନୁୟାରୀ ୭ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୯ଟି କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା।

Related story