ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ତମ୍ବିତୋଫାନ ଥମିବାର ନାଁ ଧରୁ ନାହିଁ। ଏହି ସମୟରେ ରାଜଧାନୀରେ ଥିବା ବେସିକ ସାଇନ୍ସ କଲେଜର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରଜଣଙ୍କୁ ସିନିୟରମାନେ ମାଡ଼ ମାରିବା ସହ ଉଠବସ୍ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ର ଜଣଙ୍କ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର।
ଛାତ୍ରଙ୍କ ଅଭିଯୋଗ ଅନୁସାରେ, କଲେଜର ୩ ଜଣ ସିନିୟର ଛାତ୍ର ତାଙ୍କୁ ମଦ ପିଇବାକୁ ପଇସା ମାଗିଥିଲେ। ହେଲେ ଛାତ୍ର ଜଣଙ୍କ ପଇସା ଦେବାକୁ ଅରାଜି ହେବାରୁ ତାଙ୍କୁ ସିନିୟରମାନେ ମାଡ଼ ମାରିବା ସହ ଉଠ୍ବସ୍ କରିଥିଲେ।
ଛାତ୍ର ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ରାଗିଂ ସଂପର୍କିତ କୌଣସି ଅଭିଯୋଗ ଆସିନି। ଆଣ୍ଟି ରାଗିଂ ସେଲରେ ବି କୌଣସି ଅଭିଯୋଗ ହୋଇନାହିଁ। କ୍ୟାମ୍ପସ ଭିତରେ ଏପରି ଘଟଣା ଘଟି ନାହିଁ। ଅଭିଯୋଗକାରୀ ଛାତ୍ରଙ୍କୁ ଡାକିଛୁ। ତାଙ୍କ ପାଖରୁ ଘଟଣା ବିଷୟରେ ପଚାରି ବୁଝିବୁ।
ସୂଚନାଯୋଗ୍ୟ, ଗତକାଲି ଦେବଗଡ଼ ଏଏନ୍ଏମ୍ ସେଣ୍ଟରର ଛାତ୍ରୀ କଳ୍ପନା କିସାନଙ୍କୁ ସିନିୟରମାନେ ରାଗିଂ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ ୩ ମାସ ହେବ ସିନିୟରମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଳ୍ପନା ଦେବଗଡ଼ CDMOଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ସହ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ମଧ୍ୟ ଫୋନ ଯୋଗେ ଜଣାଇଥିଲେ।