ବିଜେଡି ଭୁଲିଗଲା ‘ପୋଲାଭରମ୍‌’, ସିଡବ୍ଲ୍ୟୁସି ରିପୋର୍ଟକୁ ନେଇ ବି ଚୁପ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶା ସୀମାରେ ଗୋଦାବରୀ ନଦୀରେ ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପକୁ ନେଇ ଗତ ଏକ ଦଶନ୍ଧି ଧରି ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବିଜେଡି ଗତ ପ୍ରାୟ ଏକ ବର୍ଷ ହେବ ନିରବ ବସିଛି। ଏପରିକି ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଯାଞ୍ଚ ପାଇଁ ଗତ ଡିସେମ୍ବର ୨୭ରୁ ୩୧ତାରିଖ ମଧ୍ୟରେ ଯାଇଥିବା ନ୍ୟାସନାଲ ୱାଟର କମିଶନ(ସିଡବ୍ଲ୍ୟୁସି)ଙ୍କ ଉଚ୍ଚସ୍ତରୀୟ କମିଟି ନିଜର ରିପୋର୍ଟ ଦେବାର ଏକମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ବିଜେଡି କିମ୍ବା ଓଡ଼ିଶା ସରକାର ସେହି ପ୍ରସଙ୍ଗରେ […]

zzz

Tapas Behera
  • Published: Thursday, 13 February 2020
  • , Updated: 13 February 2020, 10:28 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶା ସୀମାରେ ଗୋଦାବରୀ ନଦୀରେ ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପକୁ ନେଇ ଗତ ଏକ ଦଶନ୍ଧି ଧରି ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବିଜେଡି ଗତ ପ୍ରାୟ ଏକ ବର୍ଷ ହେବ ନିରବ ବସିଛି। ଏପରିକି ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ଯାଞ୍ଚ ପାଇଁ ଗତ ଡିସେମ୍ବର ୨୭ରୁ ୩୧ତାରିଖ ମଧ୍ୟରେ ଯାଇଥିବା ନ୍ୟାସନାଲ ୱାଟର କମିଶନ(ସିଡବ୍ଲ୍ୟୁସି)ଙ୍କ ଉଚ୍ଚସ୍ତରୀୟ କମିଟି ନିଜର ରିପୋର୍ଟ ଦେବାର ଏକମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ବିଜେଡି କିମ୍ବା ଓଡ଼ିଶା ସରକାର ସେହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି। ଯଦିଓ ସିଡବ୍ଲ୍ୟୁସି କମିଟି ପ୍ରକଳ୍ପ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦେଇଛନ୍ତି ତଥାପି ରିପୋର୍ଟରେ ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଯେଉଁ ଆପତ୍ତି ଉଠାଇଥିଲେ ସେ ନେଇ କୌଣସି ଉଲ୍ଲେଖ ନାହିଁ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନା ସରକାରଙ୍କ ବାରମ୍ବାର ଆପତ୍ତି ଯୋଗୁ କେନ୍ଦ୍ର ସରକାର ଗତ ଡିସେମ୍ବର ମାସ ୨୭ତାରିଖରେ ସିଡବ୍ଲ୍ୟୁସିର ଏକ ଉଚ୍ଚସ୍ତରୀୟ ଟେକନିକାଲ କମିଟିକୁ ପ୍ରକଳ୍ପ ଅଞ୍ଚଳକୁ ପଠାଇଥିଲେ। ସେମାନେ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା ସହ ଓଡ଼ିଶା ଭଳି ରାଜ୍ୟ ଉଠାଇଥିବା ଦିଗ ସମ୍ପର୍କରେ ମଧ୍ୟ ଯାଞ୍ଚ କରିଥିଲେ। କିନ୍ତୁ କମିଟି ୨୦୨୦ ଜାନୁୟାରୀ ୧୭ତାରିଖରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟକୁ ଯେଉଁ ରିପୋର୍ଟ ଦେଇଛି ସେଥିରେ ପ୍ରକଳ୍ପ କାର୍ଯ୍ୟ କିଭଳି ଶେଷ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ପରାମର୍ଶ ଦେଇଥିବାବେଳେ ଓଡ଼ିଶା ସରକାର ଉଠାଇଥିବା ଆପତ୍ତି ପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନାହାନ୍ତି । ଏପରିକି ୨୦୨୦ ମସିହା ବର୍ଷା ଋତୁ ପୂର୍ବରୁ ସ୍ପିଲୱେ କାର୍ଯ୍ୟ ଶେଷ କରିବା ଉପରେ କମିଟି ଗୁରୁତ୍ୱ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା କେନ୍ଦ୍ର ସରକାର ଦେବା ସହ ଚଳିତମାସ ସୁଦ୍ଧା ୮୬୧୪.୧୬କୋଟି ଟଙ୍କା(ଫେବୃୟାରୀରେ ୧୮୫୦କୋଟି ଟଙ୍କା) ପ୍ରଦାନ କରିସାରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ନିୟମିତ ବ୍ୟବଧାନରେ ଅର୍ଥ ପ୍ରଦାନ କରୁଥିବାବେଳେ ଓଡ଼ିଶା ସରକାର ନିରବ ବସିଛନ୍ତି । ଏପରିକି ପ୍ରକଳ୍ପ ଯୋଗୁ ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଜନଶୁଣାଣି କରିବା ନିମନ୍ତେ ଆନ୍ଧ୍ରପ୍ରଦେଶ ସରକାର ଗତ ୨୦୧୮ ଫେବୃୟାରୀ ୨୮ତାରିଖରେ ଓଡ଼ିଶା ସରକାରଙ୍କୁ ଚିଠି ଆବଶ୍ୟକ ଦସ୍ତାବିଜ ପ୍ରଦାନ କରିଥିଲେ । ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜନଶୁଣାଣି କରିନାହାନ୍ତି । ଏପରିକି ପୋଲାଭରମ ପ୍ରକଳ୍ପର ଡିଜାଇନ୍‌, ପଛୁଆ ପାଣି ଆସି ରାଜ୍ୟର ବହୁ ଅଞ୍ଚଳ ଜଳମଗ୍ନ ହେବା ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ଆଶଙ୍କା ଦର୍ଶାଇ ୨୦୦୭ ମସିହାରେ ଯେଉଁ ଓରିଜିନାଲ ସୁଟ୍ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ତା’ ଉପରେ ବି ଏପର୍ଯ୍ୟନ୍ତ ରହିତାଦେଶ ଆଣିବାରେ ଓଡ଼ିଶା ସରକାର ସକ୍ଷମ ହୋଇପାରିନାହାନ୍ତି ।

ପୋଲାଭରମକୁ ରାଜନୀତିକ ପ୍ରସଙ୍ଗ କରି ସେଥିରୁ ଫାଇଦା ନେବାକୁ ଶାସକ ବିଜେଡି ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ଏବେ ଅସମ୍ଭବ ନିରବତା ଅବଲମ୍ବନ କରିଛି । ବିଶେଷକରି ୨୦୧୮ ଜୁନ୍ ମାସରେ ବିଜେଡି ନିଜର ରାଜନୀତିକ ଫାଇଦା ପାଇଁ ଦଳର ୪ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,ସୌମ୍ୟରଞ୍ଜନ ପଟ୍ଟନାୟକ,ଦେବୀପ୍ରସାଦ ମିଶ୍ର ଓ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ଏକ ଷ୍ଟିଅରିଂ କମିଟି ଗଠନ କରି ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯିବ ସେଥିପାଇଁ ଦଳକୁ ପରାମର୍ଶ ଦେବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି କମିଟି କେବଳ କାଗଜକଲମରେ ସୀମିତ ରହିଗଲା । ଏପରିକି ୨୦୧୮ ନଭେମ୍ବର ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପୋଲାଭରମ ପ୍ରକଳ୍ପ କାର୍ଯ୍ୟରେ ହସ୍ତକ୍ଷେପ ପାଇଁ ଅନୁରୋଧ କଲେ ।

ବିଜେଡି ମଧ୍ୟ ସେତେବେଳେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ତୁମ୍ଭିତୋଫାନ କଲା । ମାତ୍ର ଏବେ ସେହି ପ୍ରସଙ୍ଗ ଉପରେ ଦଳ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି । ଏପରିକି ସିଡବ୍ଲ୍ୟୁସି କମିଟି ତାଙ୍କର ପଞ୍ଚମ ସୁପାରିସ୍ ରିପୋର୍ଟ ଦେଇଥିବାବେଳେ ଦଳ ଓ ସରକାର କାହିଁକି ଚୁପ୍ ବସିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ସୂଚନାଯୋଗ୍ୟ, ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବ ଓ ବହୁ ଆଦିବାସୀ ଲୋକ ବାସଚ୍ୟୁତ ହେବେ ବୋଲି ବିଜେଡି ଓ ରାଜ୍ୟ ସରକାର ଦାବି କରୁଛନ୍ତି ।

Related story