ନବରଙ୍ଗପୁର (ନବଘନ ବିଷୋୟୀ): ବନ୍ଧୁ ଭୁଲିଗଲା ମାନ ଓ ମର୍ଯ୍ୟାଦା! ମଦ ନିଶାରେ ବନ୍ଧୁଙ୍କ ପତ୍ନୀଙ୍କ ସହିତ ରଖିଲା ଅନୈତିକ ସମ୍ପର୍କ। ଧରାପଡ଼ିବା ପରେ ଖାଇଲେ ନିସ୍ତୁକ ମାଡ଼। ଖାଲି ସେତିକି ନୁହେଁ, ତାଙ୍କ ଯୌନାଙ୍ଗରେ ସିଗାରେଟ୍ ଚେଙ୍କ ଦେଲେ ବନ୍ଧୁ। ଆଉ ଏବେ ଭିଡିଓ ଭାଇରାଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍। ଚେଙ୍କ ଦେବା ଓ ମାଡ଼ ମାରିବା ଅଭିଯୋଗରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି।
ପୂରା ଘଟଣା ଏମିତି। ଗତ ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ମୈଦଲପୁର ଫାଣ୍ଡି ଅଞ୍ଚଳର ଦୁଇ ସାଙ୍ଗ ମିଶି ମଦ ପିଇଥିଲେ। ମଦ ପିଆ ସରିବା ପରେ ରମଣ(ଛଦ୍ମନାମ) କୌଣସି କାମରେ ବାହାରକୁ ଯାଇଥିଲେ। ଆଉ ବନ୍ଧୁ ପ୍ରତୀକ(ଛଦ୍ମନାମ) ତାଙ୍କ ଘରେ ରହିଥିଲେ। ବିଳମ୍ୱିତ ରାତିରେ ରମଣ ଘରକୁ ଫେରିଥିଲେ। ସେତେବେଳେ ତାଙ୍କ ପତ୍ନୀଙ୍କ ସହିତ ପ୍ରତୀକ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ।
ପତ୍ନୀ ଓ ବନ୍ଧୁଙ୍କୁ ଏପରି ଅବସ୍ଥାରେ ଦେଖି ବିଚଳିତ ହୋଇଥିଲେ ରମଣ। ଆଉ ସଙ୍ଗେ ସଙ୍ଗେ ପଡ଼ୋଶୀ ଓ ଅନ୍ୟ ସାଥୀଙ୍କୁ ଡାକିଥିଲେ। ଗାଁ ଲୋକେ ପ୍ରତୀକକୁ ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ଦେଇ ବାଡ଼ିରେ ପ୍ରବଳ ପିଟି ଥିଲେ। ଏପରିକି ତାଙ୍କ ଯୌନାଙ୍ଗରେ ସିଗାରେଟ୍ ଚେଙ୍କ ଦେଇଥିଲେ। ଯାହାର ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟି ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି।
ନିର୍ଯାତନାରେ ଶିକାର ହୋଇଥିବା ଯୁବକ ଏନେଇ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ମାମଲାରେ ଯଦି ଅନ୍ୟ କାହାରି ସମ୍ପୃକ୍ତି ଥାଏ, ତାହାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି।