ଭୁବନେଶ୍ୱର(ଓଡ଼ିଶା ରିପୋଟ): ଡ୍ରାଇଭର ହୋଇ ଘରେ ରହିଥିଲା। ବିଶ୍ୱାସ କରି ନିଜ ଘରର ଚାବି ଦେଇଥିଲେ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଅବସର ବେଉରିଆ। ହେଲେ ତାଙ୍କ ବିଶ୍ୱାସରେ ବିଷ ଦେଲା ଡ୍ରାଇଭର ସୁମନ। ସମସ୍ତେ ଶୋଇଯିବା ପରେ ଠାକୁରଙ୍କ ବେକରୁ ଗହଣା ଚୋରି କରିନେଥିଲା। ଏବେ ସେ ପୁଲିସ ପଞ୍ଝାରେ ପଡ଼ିଛି। ପୁଲିସ ତାକୁ ଗିରଫ କରିବା ସହିତ ୨୨ଟି ସୁନା ଚେନ୍ ଜବତ କରିଛି। ସୁମନ ଘର ଗଞ୍ଜାମରେ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଶ୍ରୀ ବେଉରିଆଙ୍କ ଘରେ ଗାଡ଼ି ଚାଳକ ଭାବେ କାମ କରୁଥିଲେ।
ଚାକିରିରୁ ଅବସର ପରେ ରାଷ୍ଟ୍ରଦୂତ ଅବସର ବେଉରିଆ ସହିଦ୍ ନଗର ଥାନା ଅଞ୍ଚଳରେ ଥିବା ନିଜ ଘରେ ରହୁଥିଲେ। ଘରେ ଶ୍ରୀ ବେଉରିଆ, ତାଙ୍କ ପତ୍ନୀଙ୍କ ବ୍ୟତୀତ ମାଳି ଓ ଗାଡ଼ି ଚାଳକ ସୁମନ୍ ରୁହନ୍ତି। କିଛିଦିନ ତଳେ ଶ୍ରୀ ବେଉରାଙ୍କ ଘରୁ ଚୋରି ହୋଇଥିଲା। ଏନେଇ ସେ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘରର ଝରକା ବା କବାଟ ଭଙ୍ଗା ଯାଇନଥିବାରୁ କୌଣସି ପରିଚିତ ଲୋକ ଚୋରି କରିଥିବା ପୁଲିସ ସନ୍ଦେହ କରିଥିଲା। ଏହା ପରେ ପୁଲିସର ସନ୍ଦେହୀ ଆଖି ଯାଇଥିଲା ଡ୍ରାଇଭର ସୁମନ ଉପରକୁ। ତା’ପରେ ପୁଲିସ ତାକୁ ନେଇ ପଚରାଉଚରା କରିଥିଲା। ମରାଥନ ପଚରାଉଚରା ପରେ ସେ ଚୋରି କରିଥିବା ସ୍ୱୀକାର କରିଥିଲା। ଘରେ ସମସ୍ତେ ଶୋଇପଡ଼ିବାର ସୁଯୋଗ ନେଇ ସୁମନ ଠାକୁରଙ୍କ ଦେହରେ ଲାଗିଥିବା ସୁନା ଅଳଙ୍କାର ଚୋରି କରିଥିବା ମାନିଥିଲା। ଏହା ପରେ ପରେ ତାଙ୍କ ଘରୁ ଚୋରି ହୋଇଥିବା ୨୨ ସୁନା ଚେନ୍ ଜବତ କରିଛି।
ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ପୁଲିସ ତାହା ଉପରେ ତଦନ୍ତ କରୁଛି।