ରାଜଗାଙ୍ଗପୁର (ବିଶ୍ଵକେତନ ରାୟ):ଜେଲ୍ରେ ଗଞ୍ଜା! କଥାଟି ଅଡୁଆ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ପ୍ରକୃତ କଥା ହେଉଛି କୁକୁଡ଼ା ଲଢ଼େଉ ହେଉଥିବା ହାଟରେ ପୁଲିସ୍ ଚଢ଼ଉ କରି ୧୨ ଜଣଙ୍କୁ ଅଟକ ରଖିଥିବା ବେଳେ ୧୭ଟି ଗଞ୍ଜା ଜବତ କରିଛି। ଏଥିସହ ଲକ୍ଷାଧିକ ଟଙ୍କା ଜବତ କରିଛି ପୁଲିସ୍। ଆଜି ଏପରି ଖବର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଆସିଛି।
ଘଟଣାଟି ଏମିତି। ରାଜଗାଙ୍ଗପୁର ଥାନା ଜଉରୁମାଲ ପଞ୍ଚାୟତର ଲୁହାଖାନଠାରେ ବେଆଇନ୍ ଭାବେ କୁକୁଡ଼ା ଲଢେ଼ଇ ଚାଲିଥିଲା। ଏଥିରେ ବୀରମିତ୍ରପୁର ଓ ଝାରଖଣ୍ଡ ସୀମ ଡେଗା ଅଞ୍ଚଳର ଲୋକମାନେ ସାମିଲ ହୋଇ ନିଜ ନିଜ ଗଞ୍ଜାକୁ ଲଢ଼େଇ କରୁଥିଲେ। ଏ ସମ୍ପର୍କରେ ଖବର ପାଇ ରାଜଗାଙ୍ଗପୁର ଏସ୍ଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ଅଚାନକ ହାଟରେ ଚଢ଼ଉ କରିଥିଲା। ପୁଲିସ୍ ସେଠାରୁ ୨୭ ଜଣଙ୍କୁ ଜୁଆଡ଼ିଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କଠାରୁ ନଗଦ ଲକ୍ଷେ ୧୮ ହଜାର ଟଙ୍କା ଜବତ କରିଥିଲା। ଏଥିସହ ୧୩ଟି ବାଇକ, ଗୋଟିଏ ମହିନ୍ଦ୍ରା, ୧୯ଟି ମୋବାଇଲ ଓ ୧୭ଟି ଗଞ୍ଜା ଜବତ କରିଥିଲା।
ଦୁର୍ଗାପୂଜା ପାଖେଇ ଆସୁଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜମୁଛି ଜୁଆ ଖେଳ। ପୁଲିସ ମଧ୍ୟ ଜୁଆଡିଙ୍କୁ ସାବାଡ୍ କରିବାରେ ଲାଗି ପଡ଼ିଛି। ଏହି କ୍ରମରେ ଆଜି ରାଜଗାଙ୍ଗପୁର ଥାନା ପୁଲିସ କୁକୁଡ଼ା ଲଢ଼େଇ ଚାଲି ଥିବା ବେଳେ ଚଢ଼ଉ କରିଥିଲା।