ମଦୁଆ ଡ୍ରାଇଭରକୁ ଅଧା ରାସ୍ତାରେ ମାଡ଼ି ବସିଲା ପୁଲିସ୍‌, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଯାତ୍ରୀଙ୍କ ଜୀବନ ସହ ଖେଳ। ମଦ ପିଇ ଦ୍ରୁତଗତିରେ ବସ୍‌ ଚଳାଇବା ଜଣେ ଡ୍ରାଇଭରଙ୍କୁ ମହଙ୍ଗା ପଡ଼ିଛି। ମଦୁଆ ଡ୍ରାଇଭରଙ୍କୁ ପୁଲିସ୍‌ ଅଧା ବାଟରେ ମାଡ଼ିବସିବା ସହ ୪୫ ଜଣଙ୍କ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏଥିସହ ମଦୁଆ ଡ୍ରାଇଭରକୁ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ୫୫ ନମ୍ବର ଜାତୀୟ ରାଜପଥ ଦେଇ କଟକରୁ ତାଳଚେର ଯାଉଥିଲା ନାୟକ ନାମକ ଗୋଟିଏ ଘରୋଇ ବସ। ଏଥିରେ ୪୫ ଜଣ […]

Driver

Hemant Lenka
  • Published: Thursday, 09 June 2022
  • , Updated: 09 June 2022, 03:49 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଯାତ୍ରୀଙ୍କ ଜୀବନ ସହ ଖେଳ। ମଦ ପିଇ ଦ୍ରୁତଗତିରେ ବସ୍‌ ଚଳାଇବା ଜଣେ ଡ୍ରାଇଭରଙ୍କୁ ମହଙ୍ଗା ପଡ଼ିଛି। ମଦୁଆ ଡ୍ରାଇଭରଙ୍କୁ ପୁଲିସ୍‌ ଅଧା ବାଟରେ ମାଡ଼ିବସିବା ସହ ୪୫ ଜଣଙ୍କ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏଥିସହ ମଦୁଆ ଡ୍ରାଇଭରକୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ୫୫ ନମ୍ବର ଜାତୀୟ ରାଜପଥ ଦେଇ କଟକରୁ ତାଳଚେର ଯାଉଥିଲା ନାୟକ ନାମକ ଗୋଟିଏ ଘରୋଇ ବସ। ଏଥିରେ ୪୫ ଜଣ ଯାତ୍ରୀ ଥିଲେ। ବସ୍‌ ଡ୍ରାଇଭର ଲିପୁନ ସ୍ୱାଇଁ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା। ସେମାନେ ବେପାରୁଆ ଗାଡ଼ି ଚାଳନାକୁ ଦେଖି ବିପଦ ଆଶଙ୍କା କରିଥିଲେ। ଏଥିସହ ଢେଙ୍କାନାଳ ଟାଉନ ଥାନାକୁ ଖବର ଦେଇଥିଲେ।

ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ବସ୍‌ଟି ଟାଉନ ଥାନା ଆଗରେ ପହଞ୍ଚିବା ପରେ ଏହାକୁ ପୁଲିସ୍ ଅଟକାଇଥିଲା। ଏଥିସହ ଡ୍ରାଇଭର ଲିପନ ସ୍ୱାଇଁ ମଦ୍ୟ ପାନ କରିଛି କି ନାହିଁ ବ୍ରିଦିଂ ମେସିନରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଲିପନ ସ୍ୱାଇଁ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଛି।

ଡ୍ରାଇଭର ଲିପୁନ ସ୍ୱାଇଁ କହିଛନ୍ତି, “ମୁଁ କାଲି ରାତିରେ ମଦ ପିଇଥିଲି। ଆଜି ସକାଳେ ମଦ ପିଇଥିଲେ ଆଲକହଲର ପରିମାଣ ୧୦୦% ବାହାରି ଥାଆନ୍ତା। କିନ୍ତୁ ମୋ ଦେହରୁ ୭୦% ଆଲକହଲ ରହିଛି। କାଲି ରାତିରେ ଆମ ଘର ପାଖରେ ଡ୍ରାମା ଚାଲିଥିଲା। ତେଣୁ ଭୋଜି ହୋଇଥିଲା। ଏତିକି ବେଳେ ମଦ ପିଇଥିଲି। ଆଜି ସକାଳ ୮.୩୦ରେ ମୁଁ କଟକରୁ ବସ୍‌ରେ ଚଢ଼ିଥିଲି। ମୁଁ କିଛି ବି ଭୁଲ କରିନି। ପୁଲିସ୍‌କୁ କିଏ ଅଭିଯୋଗ କରିବାରୁ ସେମାନେ ଯାଞ୍ଚ କରିଛନ୍ତି। ଆମ ଆଗ ଗାଡ଼ିର ଲୋକ ସମ୍ଭବତଃ ଅଭିଯୋଗ କରିଥିବେ। ମୁଁ ଆଦୌ ଗାଡ଼ି ଭୁଲଭାଲ ଚଳାଇନି।

ଗାଡ଼ି ଭୁଲ ଚଳାଇଥିଲେ ଯାତ୍ରୀମାନେ ବି ଅଭିଯୋଗ କରିଥାଆନ୍ତେ। ୭ ମାସ ହେଲେ ଏହି ଗାଡ଼ି ମୁଁ ଚଳାଉଛି। କାଲି ରାତି ୩ଟାରେ ଘରକୁ ଯାଇଥିଲି। ଭୋର ୫ଟାରୁ ଉଠି କାମ ସାରି ୮ଟା ବେଳକୁ ବସ୍‌କୁ ଆସିଥିଲି। କିଛି କାରଣ ନଥାଇ ମୋତେ ଅଟକ ରଖାଯାଇଛି।”

ଅନ୍ୟପକ୍ଷରେ ନାୟକ ବସ୍‌ରେ ତାଳଚେର ଯାଉଥିବା ଯାତ୍ରୀମାନଙ୍କୁ ଆଉ ଗୋଟିଏ ଗାଡ଼ିରେ ଟାଉନ ଥାନା ଆଇଆଇସି ସୁରକ୍ଷିତ ଭାବେ ପଠାଇ ଦେଇଛନ୍ତି। ଏବେ ପୁଲିସ୍‌ ଲିପୁନ ସ୍ୱାଇଁଙ୍କୁ ପଚରାପଚରା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

Related story