ନବୀନ ନିବାସ ରାସ୍ତାରେ ଧାନ ଢାଳିଲା ୨ ଟ୍ରାକ୍ଟର ଓ ୩ ଭ୍ୟାନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣ୍ଡିରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାରିଆଡ଼େ ଅସନ୍ତୋଷ। କେଉଁଠି ରାସ୍ତାରୋକ ତ, କେଉଁଠି ଧାରଣା। କଟନୀ-ଛଟନୀ ଆଳରେ କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ ଯାଏଁ ଧାନ କଟା ଯିବାକୁ ନେଇ ଚାଷୀ ଖପ୍ପା। ଏଣେ ମିଲର୍ସଙ୍କ ମନମାନୀ ଓ ଦଲାଲ ରାଜରେ ରୋକ୍ ସହ ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ଦାବିରେ ଆଜି ନବୀନ ନିବାସ ଆଗରେ ଧାନ ଢାଳି ହୁଙ୍କାର ଦେଇଛି ନବନିର୍ମାଣ କୃଷକ ସଂଗଠନ। ଅଭିଯୋଗ ହୋଇଛି, ଧାନ ସଂଗ୍ରହ […]

farmer

  • Published: Monday, 09 January 2023
  • , Updated: 09 January 2023, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣ୍ଡିରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାରିଆଡ଼େ ଅସନ୍ତୋଷ। କେଉଁଠି ରାସ୍ତାରୋକ ତ, କେଉଁଠି ଧାରଣା। କଟନୀ-ଛଟନୀ ଆଳରେ କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ ଯାଏଁ ଧାନ କଟା ଯିବାକୁ ନେଇ ଚାଷୀ ଖପ୍ପା। ଏଣେ ମିଲର୍ସଙ୍କ ମନମାନୀ ଓ ଦଲାଲ ରାଜରେ ରୋକ୍ ସହ ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ଦାବିରେ ଆଜି ନବୀନ ନିବାସ ଆଗରେ ଧାନ ଢାଳି ହୁଙ୍କାର ଦେଇଛି ନବନିର୍ମାଣ କୃଷକ ସଂଗଠନ। ଅଭିଯୋଗ ହୋଇଛି, ଧାନ ସଂଗ୍ରହ ଆଳରେ ଚାଷୀଙ୍କ ଉପରେ ଜୁଲୁମ୍ ଚାଲିଛି।

ଆଜି ସମୟ ସକାଳ ପ୍ରାୟ ୮ଟା ହଠାତ୍ ପଳାସପଲ୍ଲୀ ଆଡୁ ମାଡ଼ି ଆସିଥିଲେ ସଂଗଠନର ଶତାଧିକ ସଦସ୍ୟ। ପୁଲିସ ଅଟକାଇବାରୁ ହେଲା ମୁହାଁମୁହିଁ ଓ ଗଡ଼ାପଡ଼ା। ତେଣେ ହଠାତ୍ ଫିଲ୍ମ ଷ୍ଟାଇଲ୍‌ରେ ନବୀନ ନିବାସ ରାସ୍ତାରେ ଏଣ୍ଟ୍ରି ମାରିଥିଲା ୨ଟି ଧାନବସ୍ତା ବୋଝେଇ ଟ୍ରାକ୍ଟର ସହ ୩ଟି ପିକ୍ଅପ୍ ଭ୍ୟାନ୍। କାଳବିଳମ୍ବ ନକରି, ଏସବୁ ଗାଡ଼ିରୁ ଧାନ ବସ୍ତା ଗଡ଼ାଇ ଚାଲିଥିଲେ ଆନ୍ଦୋଳନକାରୀ। ଯାହା ଦେଖି ପୁଲିସ୍‌ର ବି ଅକଲ ଗୁଡୁମ୍ ହୋଇଯାଇଥିଲା। ବସ୍ତା ଫାଟି ଏଣେତେଣେ ବିଞ୍ଚି ହୋଇ ପଡ଼ିଥିବା ଧାନକୁ ଗୋଟେଇ ସଫା କରିବାରେ ପୁଲିସ ଲାଗିପଡ଼ିଥିଲା। ତାସହ ନାରାବାଜି କରୁଥିବା ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା।

ନବନିର୍ମାଣ କୃଷକ ସଂଗଠନର ଦାବି କରିଛି, ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଧାନର ସଠିକ୍ ମୂଲ୍ୟ ଦେଇ ସରକାର ମଣ୍ଡିରୁ ସବୁ ଧାନ ଅବିଳମ୍ବେ କିଣନ୍ତୁ।

ଗୋଟାଏ ପଟେ ଏହି ଆନ୍ଦୋଳନ ଚାଲିଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଧାନ କିଣା ଅବ୍ୟବସ୍ଥାର ବାସ୍ତବ ଚିତ୍ର ନଜର ଆସିଛି। ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରସ୍ଥିତ ଲେଣ୍ଡୁ ହେଉ କି କାଶୀପୁର ସମବାୟ ସମିତି। ଚାଷୀଙ୍କ ଅଭିଯୋଗ ଏଫଏକ୍ୟୁ ଧାନ ସଂଗ୍ରହ ଆଳରେ ଛେନାରୁ ଚୋପା ଛଡ଼ାଇବା ନ୍ୟାୟରେ ଆରଏମ୍‌ସି ଏଠି ବଙ୍କା, କଞ୍ଚା ଓ ଅପରିପକ୍ୱ ଧାନକୁ ବାଛି ଅଲଗା କରୁଛି। କୁଇଣ୍ଟାଲ ପିଛା ୫ କେଜି କାଟି ରଖିୁଛି। ଯାହାକୁ ଘୋର ବିରୋଧ କରିଛନ୍ତି ମଣ୍ଡିକୁ ଧାନ ଧରି ଆସିଥିବା ଚାଷୀ। ତେଣେ ନିଜେ କାଶୀପୁର ସେବା ସମବାୟ ସମିତି ଆରଏମ୍‌ସି ଅଧିକାରୀ ବି ବୁଲେଇ ବଙ୍କେଇ ମାନିଛନ୍ତି। ପୂରା ଏଫଏକ୍ୟୁ ମାନର ଧାନ ଓଡ଼ିଶାରେ ଆଦୌ ମିଳେ ନାହିଁ।

ସେହିପରି ନୟାଗଡ଼ରେ ୨୩ ତାରିଖରୁ ମଣ୍ଡି ଖୋଲିଥିଲେ ବି ସବୁଠି କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ଧାନ କଟାଯିବାକୁ ନେଇ ପ୍ରତିବାଦ ଜୋର ଧରିଛି। ଏମିତିକି ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଚାଲିଥିଲେ ବି ସମାଧାନର ପନ୍ଥା ବାହାରି ପାରିନି। ସମାନ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା ଗଂଜାମ ଦିଗପହଣ୍ଡିରେ। ଚାଷୀ ସଂଘ ପକ୍ଷରୁ ରାଲି ସହ ବ୍ଲକ୍ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ମଣ୍ଡି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ସ୍ଥାନରେ ଚାଷୀ ଦଲାଲଙ୍କ ହାତରେ ନିଜ ଉତ୍ପାଦିତ ଫସଲକୁ ଟେକିଦେବାକୁ ବି କୁଣ୍ଠାବୋଧ କରୁନାହାନ୍ତି। ଯାହାର ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ବାଲଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱର ବ୍ଲକ୍ ଅଞ୍ଚଳରେ। ଜଳେଶ୍ୱରର ଚାଷୀ ଖଗେନ୍ଦ୍ର ପଟ୍ଟନାୟକଙ୍କ କହିବା କଥା, ସେ ନିଜର ୨ ଏକର ୭୮ ଡିସିମିଲ୍ ଜମିରେ ଅମଳ କରିଥିବା ଧାନକୁ ବିକିବାକୁ ନାଁ ପଞ୍ଜିକରଣ କରିଥିଲେ। ହେଲେ ଏଯାଏଁ ଟୋକନ୍ ନଆସିବାରୁ ବାଧ୍ୟ ହୋଇ ପଶ୍ଚିମବଙ୍ଗର ଧାନ ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକିବାକୁ ବାଧ୍ୟ ହେଲେ। ଦୈନିକ ଏଠାରୁ ଶହ ଶହ ଟ୍ରାକ୍ଟର ଓ ଟ୍ରକ୍ ଏମିତି ଧାନ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିଲେ ବି କାହାରି ନିଘା ନାହିଁ।

Related story