ମମିତାଙ୍କ ନିଖୋଜଠୁ ମୃତଦେହ ଠାବ ଯାଏ; କାଠଗଡ଼ାରେ ପୁଲିସ୍‌ର ତଦନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଛି ଗୋବିନ୍ଦ ସାହୁ ଓ ତା’ ସହଯୋଗୀ ରାଧେ। ତେବେ ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଯୋଡି ହୋଇଯାଇଥିବାରୁ ହୁଲ୍‌ସ୍ତୁଲ ହୋଇଛି ଗାଁରୁ ସହର। ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀଙ୍କୁ ବିଦା ଓ ଗିରଫ ଦାବିରେ ରାଜନୈତିକ ଦଳ ଗୁଡ଼ିକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଆଉ ଦାବି କରୁଛନ୍ତି, ଯେଉଁ ପୁଲିସ୍‌ ବିଭାଗ ମମିତା ହତ୍ୟା ମାମଲାରେ […]

Gobinda-and-Mamita

Manoranjan Sial
  • Published: Wednesday, 27 October 2021
  • , Updated: 27 October 2021, 09:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗିରଫ ହୋଇଛି ଗୋବିନ୍ଦ ସାହୁ ଓ ତା’ ସହଯୋଗୀ ରାଧେ। ତେବେ ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଯୋଡି ହୋଇଯାଇଥିବାରୁ ହୁଲ୍‌ସ୍ତୁଲ ହୋଇଛି ଗାଁରୁ ସହର। ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀଙ୍କୁ ବିଦା ଓ ଗିରଫ ଦାବିରେ ରାଜନୈତିକ ଦଳ ଗୁଡ଼ିକ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ଆଉ ଦାବି କରୁଛନ୍ତି, ଯେଉଁ ପୁଲିସ୍‌ ବିଭାଗ ମମିତା ହତ୍ୟା ମାମଲାରେ ତଦନ୍ତ କରୁଛି, ତାହାର ମୁଖ୍ୟ ହେଉଛନ୍ତି କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ଏପରି ସ୍ଥିତିରେ ତଦନ୍ତର ସ୍ୱଚ୍ଛତାକୁ ନେଇ ସନ୍ଦେହ କରୁଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। କେବଳ ସନ୍ଦେହ କରୁନାହାନ୍ତି, ପୁଲିସ୍‌ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।   

୧: ସ୍କ୍ରିପଟେଡ୍‌ ଏଫ୍‌ଆଇଆର୍‌ 

ମମିତା ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ କେଗାଁ ଥାନାରେ ଦିଆଯାଇଥିବା ଏତଲା ସ୍କ୍ରିପଟେଡ୍‌ ଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଦ୍ୱାରା ପ୍ରସ୍ତୁତ ଏତଲାକୁ ଥାନାରେ ଦେଇଥିଲେ ପରିବାର ଲୋକ। କିନ୍ତୁ ଏହା କେ.ଗାଁ ଥାନା ଅଧୀନରେ ଆସୁନଥିବା କହି ପୁଲିସ୍‌ ଏତଲା ରଖିନଥିଲା।
୨: ହାଜତରେ ନରଖି କାହିଁକି ବାରାକ୍?
କେ.ଗାଁ ଥାନା ପୁଲିସ୍‌ ଏତଲା ନରଖିବା ପରେ ସିନ୍ଧେଇକେଲା ଥାନାରେ ମମିତାଙ୍କୁ ଗୋବିନ୍ଦ ସାହୁ ଅପହରଣ କରିଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ। ଏହାପରେ ପୁଲିସ୍‌ ଗୋବିନ୍ଦକୁ ଅଟକ ରଖି ବିଭିନ୍ନ ସ୍ଥାନରେ ଚାରି ଦିନ ଧରି ପଚରାଉଚରା କରିଥିଲା। ତେବେ ଗୋବିନ୍ଦକୁ ଟିଟିଲାଗଡ଼ ନିଆଯାଇଥିବା ବେଳେ ସେଠାରେ ତାକୁ ବାରାକ୍‌ରେ ରଖାଯାଇଥିଲା। ଜଣେ ଅଭିଯୁକ୍ତକୁ ହାଜତରେ ନରଖି କାହିଁକି ବାରାକ୍‌ରେ ରଖାଯାଇଥିଲା?
୩: ସନ୍ଦେହରେ ପାଓ୍ୱାର୍‌ କଟ୍‌ ଓ ଗୋବିନ୍ଦଙ୍କ କାନ୍ଥ ଡ଼ିଆଁ
ଅକ୍ଟୋବର ୧୭ ତାରିଖ ସଂଧ୍ୟାରେ ପାଓ୍ୱାର୍‌ କଟ୍‌ର ସୁଯୋଗ ନେଇ ଗୋବିନ୍ଦ ବାରାକ କାନ୍ଥ ଡେଇଁ ଚମ୍ପଟ ମାରିଥିବା କୁହାଯାଉଛି। ସୂଚନା ଅନୁସାରେ ପୂର୍ବରୁ ଏକ ଦୁର୍ଘଟଣାରେ ଗୋବିନ୍ଦର ଗୋଡ଼ରେ ଆଘାତ ଲାଗିଥିଲା। ତେଣୁ ଥାନାର ତାରବାଡ଼ ଘେରା ଉଚ୍ଚ ପାଚେରୀ ଡେଇଁବାରେ କିଭଳି ସକ୍ଷମ ହେଲା? ଏଥିରେ ତାକୁ କିଏ ସହଯୋଗ କରିଥିଲା? ସେହିଭଳି ବିଜୁଳି ଚାଲିଯିବା କେବଳ ଏକ ସଂଯୋଗ ଥିଲା, ନା ଗୋବିନ୍ଦକୁ ଫେରାର କରିବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା?
୪: କେମିତି ଠାବହେଲା କ୍ରାଇମ୍‌ ସ୍ପଟ୍?
ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହେବାର ଦିନକ ପରେ ନିର୍ମାଣଧୀନ ମହାଲିଙ୍ଗ ଷ୍ଟାଡିୟମରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟି ଖୋଳି ଦଗ୍ଧ ମୃତଦେହକୁ ଉଦ୍ଧାର କରିଥିଲା ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ଏ ସମ୍ପର୍କରେ ପୁଲିସ୍‌ ଜାଣିଲା କେମିତି? ଗୋବିନ୍ଦ ପୁଲିସ୍‌ ହେପାଜତରେ ଥିବା ବେଳେ ମୃତଦେହ ସଂପର୍କରେ କେମିତି ଟେର୍‌ ପାଇନଥିଲା? ଆଉ ଫେରାର ପରେ ପରେ କେମିତି କ୍ରାଇମ୍‌ ସ୍ପଟ୍‌ ସଂପର୍କରେ ଜଣାପଡ଼ିଗଲା?
୫: ମୋଷ୍ଟଓ୍ୱାଣ୍ଟେଡ୍ ଘୋଷଣା ଓ ଆଖୁବାଡ଼ିରୁ ଗିରଫ
ଦେହାବଶେଷ ମିଳିବା ପରେ ପରେ ଗୋବିନ୍ଦକୁ ମୋଷ୍ଟଓ୍ୱାଣ୍ଟେଡ୍‌ ଘୋଷଣା କରିଥିଲା ବଲାଙ୍ଗିର ପୁଲିସ୍‌। ପରେ ତା’ ସଂପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଥିଲା। ଏହାର କିଛି ସମୟ ପରେ ପୁରସ୍କାର ରାଶି ୧ ଲକ୍ଷ ଟଙ୍କାକୁ ବଢ଼ାଇ ଥିଲା ପୁଲିସ୍‌। ପୁରସ୍କାର ଘୋଷଣା ହେବାର କିଛି ସମୟ ପରେ ଭଉଣୀ ଘର ଆଖୁବାଡିରୁ ଗୋବିନ୍ଦକୁ ଗିରଫ କରାଯିବା ନାନା ପ୍ରଶ୍ନ ସୃଷ୍ଟି କରିଛି?
୬: ମନ୍ତ୍ରୀ ତଦନ୍ତ ପରିସରଭୁକ୍ତ ନହେବା
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଘନିଷ୍ଠ ସଂପର୍କ ଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏପରିକି ମମିତା ନିଖୋଜ ପରେ ସେ ମନ୍ତ୍ରୀଙ୍କ ସହ କଥା ହେବ ବୋଲି କହିଥିଲା। ଗୋବିନ୍ଦର ଏହି ଅଡ଼ିଓ କ୍ଳିପ୍‌ ପଦାକୁ ଆସିଥିଲା। ଏହା ସତ୍ତ୍ୱେ ମଧ୍ୟ ମନ୍ତ୍ରୀଙ୍କୁ ତଦନ୍ତ ପରିସଭୁକ୍ତ କରାନଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି?

ମଙ୍ଗଳବାର ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ଘରକୁ ଯାଇଥିଲେ। ସେମାନେ ମମିତାଙ୍କ ବାପା ଓ ମାଆଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ବେଳେ ମମିତାଙ୍କ ବାପା ଏତଲା କଥା କହିଥିଲେ। ପରେ ପ୍ରତିନିଧି ଦଳ ମହାଲିଙ୍ଗ ଗସ୍ତ କରିଥିଲା। ଏହା ପରେ ଏଭଳି ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଯାହାର ଉତ୍ତର କାହା ପାଖରେ ନାହିଁ।

Related story