ହନି ଟ୍ରାପ୍ : ତଦନ୍ତ ଦାବି କଲା ବିଜେପି, ମୁହଁ ଖୋଲିଲେ କୁଲେସିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିଷ୍ଠିତ ରାଜନେତା, ବ୍ୟବସାୟୀ,ପୁଲିସ ଅଧିକାରୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟ୍ କରିବା ଅଭିଯୋଗରେ  କମିଶନରେଟ ପୁଲିସ ଅର୍ଚ୍ଚନା ନାଗ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ପରେ ତଦନ୍ତକୁ ନେଇ ସମ୍ପୂର୍ଣ୍ଣ ନିରବ ରହିଥିବାରୁ ବିଜେପି ପ୍ରଶ୍ନ ଉଠାଇଛି । ଅନ୍ୟପକ୍ଷରେ ଗିରଫ ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଘନିଷ୍ଠ ପାରିବାରିକ ସମ୍ପର୍କ ରହିଛି ତଥା ସେ […]

archita

archita

Ordigital Desk
  • Published: Saturday, 08 October 2022
  • Updated: 08 October 2022, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିଷ୍ଠିତ ରାଜନେତା, ବ୍ୟବସାୟୀ,ପୁଲିସ ଅଧିକାରୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟ୍ କରିବା ଅଭିଯୋଗରେ  କମିଶନରେଟ ପୁଲିସ ଅର୍ଚ୍ଚନା ନାଗ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ପରେ ତଦନ୍ତକୁ ନେଇ ସମ୍ପୂର୍ଣ୍ଣ ନିରବ ରହିଥିବାରୁ ବିଜେପି ପ୍ରଶ୍ନ ଉଠାଇଛି । ଅନ୍ୟପକ୍ଷରେ ଗିରଫ ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ଘନିଷ୍ଠ ପାରିବାରିକ ସମ୍ପର୍କ ରହିଛି ତଥା ସେ ଏକାଧିକ ଥର ତାଙ୍କ ଘରକୁ ଯାଇଥିବା ନେଇ ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ ଚନ୍ଦ୍ର କୁଲେସିକା ସ୍ୱୀକାର କରିଛନ୍ତି ।

ରାଜ୍ୟ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ସୋସିଆଲ ମିଡିଆ ମାଧ୍ୟମରେ ଏହି ହନି ଟ୍ରାପ୍ ଘଟଣାରେ ପୁଲିସ ଅଧିକାରୀମାନଙ୍କ ସମ୍ପୃକ୍ତି ଓ ଗୃହ ବିଭାଗ ନିରବଦ୍ରଷ୍ଟା ରହିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ବିଗତ ୩ଦିନ ଧରି ଓଡ଼ିଶା ଗଣମାଧ୍ୟମରେ ଏକ ଖବର ମୁଖ୍ୟ ଶିରୋନାମା ପାଲଟିଛି । ଏହା ଓଡ଼ିଶା ପାଇଁ ଏକ ଅପମାନଜନକ ଖବର ରାଜ୍ୟରେ ଅଧିକାଂଶ ଅପରାଧ ଘଟଣାରେ ପ୍ରଥମେ ଗଣମାଧ୍ୟମର କ୍ୟାମେରା ଘଟଣାସ୍ଥଳକୁ ଯାଏ ଓ ପରେ ପୁଲିସ ପହଂଚି ବାଇଟ୍ ଦିଅନ୍ତୁ । କିନ୍ତୁ ଏହି ଘଟଣାରେ ବ୍ୟତିକ୍ରମ ଦେଖାଯାଇଛି । ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରବଦ୍ରଷ୍ଟା ସାଜିଛି । ଏହି ଘଟଣାରେ ଗିରଫ ହୋଇଥିବା ମହିଳାଙ୍କ ସ୍ୱାମୀ ନିଜକୁ ବିଜେଡିର କର୍ମୀ ବୋଲି ସୋସିଆଲ ମିଡିଆରେ ଦର୍ଶାଇଥିବା ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶ୍ରୀମତୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଚର୍ଚ୍ଚା ହେଉଛି ଭୁବନେଶ୍ୱରର କିଛି ବରିଷ୍ଠ ଥାନା ଅଧିକାରୀ ଛୁଟିରେ ଥିବାବେଳେ ଆଉ କିଛି ବରିଷ୍ଠ ଅଧିକାରୀମାନେ ଛୁଟିରେ ଯିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି ଏହା ସତ ହୋଇଥାଏ, ତେବେ ରାଜ୍ୟର ଆଇନଶୃଙ୍ଖଳା ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଓଡ଼ିଶାର ଗୃହ ବିଭାଗ ନିରବଦ୍ରଷ୍ଟା ନସାଜି ଘଟଣାର ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ସହ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।

ଏକ ନମ୍ବର ରାଜ୍ୟ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ନାରା ଦେଉଥିବା ବିଜେଡି ସରକାରରେ ନାରୀ ନିର୍ଯାତନା, ଶିଶୁ ଅପହରଣ ଓ ମହିଳା ଅପରାଧରେ ଓଡ଼ିଶା ସମଗ୍ର ଦେଶରେ ଶୀର୍ଷରେ ରହି ନିନ୍ଦିତ ହେବାରେ ଲାଗିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ, ଗିରଫ ମହିଳା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ତାଙ୍କର ସତ୍ୟବିହାରସ୍ଥିତ ଆଲିଶାନ୍ ଘରେ ବିଜେଡି ନେତା ଶ୍ରୀ କୁଲେସିକାଙ୍କ ଏକ ଫଟୋ ଭାଇରାଲ ହେଉଛି । ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ କୁଲେସିକା କହିଛନ୍ତି ଯେ, ଲାଞ୍ଜିଗଡ଼ର ଏକ ଜମିବାଡ଼ି ମାମଲାରେ ଉଭୟ ସ୍ୱାମୀ-ସ୍ତ୍ରୀ ତାଙ୍କ ପାଖକୁ ଆସିଥିଲେ । ସେବେଠୁ ଉଭୟଙ୍କୁ ଜାଣିଛନ୍ତି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସେ ଭଲ ଭାବେ ଜାଣନ୍ତି । ଜଗବନ୍ଧୁ ଛାତରୁ ପଡ଼ି ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ସେ ତାଙ୍କୁ ଦେଖା କରିଥିଲେ । କରୋନା ସମୟରେ ବି ତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି । ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ଓ ପାରିବାରିକ ସମ୍ପର୍କ ମଧ୍ୟ ରହିଛି ବୋଲି ଶ୍ରୀ କୁଲେସିକା କହିଛନ୍ତି ।

ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ପୁଲିସ ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ସମ୍ପର୍କରେ କିଛି ବି ସୂଚନା ଦେଇନଥିବାରୁ କମିଶନରେଟ ପୁଲିସର ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି । ପୁଲିସ ଏହି ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଘଟଣାକୁ ଚପାଇ ଦେବାକୁ ବସିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ଭୁବନେଶ୍ୱରର ସତ୍ୟବିହାରସ୍ଥିତ ଆଲିଶାନ ଘରର ପ୍ରତିଷ୍ଠା ଉତ୍ସବରେ ତତକାଳୀନ ବାଚସ୍ପତି ତଥା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟିଥିଲେ । ଶ୍ରୀ ପାତ୍ରଙ୍କ ସହ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଘନିଷ୍ଠ ସେହିପରି ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ମଧ୍ୟ ଜଗବନ୍ଧୁଙ୍କର ଘନିଷ୍ଠ ସମ୍ପର୍କ ଥିବା ସୋସିଆଲ ମିଡିଆରେ ଜାରି ଫଟୋକୁ ନେଇ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos