ପୋସ୍କୋକୁ ନେଇ ରାଜନୀତି: କଂଗ୍ରେସ ଓ ବିଜେପି ଟାର୍ଗେଟରେ ବିଜେଡି

ଭୁବନେଶ୍ୱର: ଦେଶର ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ହେବାକୁ ଥିବା ପେସ୍କା ପ୍ରକଳ୍ପ ଓଡ଼ିଶାରୁ ଚାଲିଯିବା ଏକପ୍ରକାର ନିଶ୍ଚିତ।  ଓଡ଼ିଶା ପ୍ରକଳ୍ପକୁ କମ୍ପାନୀ ପକ୍ଷରୁ ଫ୍ରିଜ୍ ଘୋଷଣା କରିବା ପରେ ସୃଷ୍ଟି ହୋଇଛି ଏହି ପରିସ୍ଥିତି। ଆଉ ଏହା ସହିତ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି। ଏଥିପାଇଁ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ରାଜ୍ୟ ସରକାର ଏନେଇ କେନ୍ଦ୍ର ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ […]

posco

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 03:24 PM IST

ଭୁବନେଶ୍ୱର: ଦେଶର ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ହେବାକୁ ଥିବା ପେସ୍କା ପ୍ରକଳ୍ପ ଓଡ଼ିଶାରୁ ଚାଲିଯିବା ଏକପ୍ରକାର ନିଶ୍ଚିତ।  ଓଡ଼ିଶା ପ୍ରକଳ୍ପକୁ କମ୍ପାନୀ ପକ୍ଷରୁ ଫ୍ରିଜ୍ ଘୋଷଣା କରିବା ପରେ ସୃଷ୍ଟି ହୋଇଛି ଏହି ପରିସ୍ଥିତି। ଆଉ ଏହା ସହିତ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି। ଏଥିପାଇଁ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ରାଜ୍ୟ ସରକାର ଏନେଇ କେନ୍ଦ୍ର ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ପୋସ୍କୋ ଓଡ଼ିଶାରୁ ଚାଲିଯିବା ପାଇଁ ସଂପୂର୍ଣ୍ଣ ଭାବେ ସରକାର ଦାୟୀ। ସବୁଠୁ ବଡ଼ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆଣିଛନ୍ତି ବୋଲି ନିଜକୁ ନିଜେ ବାଃ ବାଃ ଦେଇଥିବା ବିଜେଡି ସରକାରଙ୍କ ଅପାରଗତା ଏବେ ପଦାରେ ପଡ଼ି ଯାଇଛି। ସରକାରଙ୍କ ଅପାରଗତା ଯୋଗୁ ସବୁଠୁ ବଡ଼ ଏକ ପୁଞ୍ଜିନିବେଶର ସମ୍ଭାବନାରେ ପୂର୍ଣ୍ଣଛେଦ ପଡ଼ି ଯାଇଛି। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ। ସେମାନଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ତା’ସହିତ ରାଜ୍ୟର ଆର୍ଥିକ ଅବସ୍ଥାରେ ବି ଏହାର ପ୍ରଭାବ ପଡ଼ିବ। ବର୍ତ୍ତମାନ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନୁହେଁ। ରାଜ୍ୟ ୬୦ ହଜାର କୋଟି ଟଙ୍କାର ଋଣରେ ବୁଡ଼ି ରହିଛି। ରାଜସ୍ୱ ନିଅଣ୍ଟ ବି ଦେଖାଯାଇଛି। ପୋସ୍କୋ ହୋଇଥିଲେ ରାଜ୍ୟକୁ ରାଜସ୍ୱ ମିଳିଥାଆନ୍ତା। ପାରିପାର୍ଶ୍ୱିକ ଉନ୍ନତି ବି ହୋଇଥାଆନ୍ତା। ସ୍ଥାନୀୟ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇଥାଆନ୍ତା।

ସେହିପରି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଯଦି ପୋସ୍କୋ ଓହରି ଯିବା ପାଇଁ କାହାକୁ ଦାୟୀ କରାଯାଏ, ତା’ହେଲେ ସେଥିପାଇଁ କେବଳ ରାଜ୍ୟର ବିଜେଡି ସରକାର ହିଁ ଦାୟୀ। ବାସ୍ତବ ସ୍ଥିତିକୁ ଉପଲବ୍ଧି ନକରି ସରକାର ଏହି ନିଷ୍ପତ୍ତି ନେଇଥିଲେ। କଂଗ୍ରେସ ପ୍ରାରମ୍ଭରୁ ପୋସ୍କୋ ପ୍ରକଳ୍ପ ପାଇଁ ହୋଇଥିବା ସ୍ଥାନ ନିରୂପଣକୁ ବିରୋଧ କରାଯାଇଥିଲା। କାରଣ ପୂର୍ବରୁ କଂଗ୍ରେସ ସରକାରଙ୍କ ଅମଳରେ ଉକ୍ତ ସ୍ଥାନରେ ସାରକାରଖାନା ଓ ଆୟୁସି ପ୍ରତିଷ୍ଠା କରିବାକୁ ଅନୁମତି ଦେଇ ନଥିଲେ। ସରକାର କରି ଯଦି ନଦୀ ଆରପାଖରେ ପ୍ରକଳ୍ପ ସ୍ଥାପନ କରିବା ପାଇଁ ପୋସ୍କୋକୁ କହି ଥାଆନ୍ତେ ତା’ହେଲେ ଏତେ ବେଳକୁ କଂପାନୀ ଉତ୍ପାଦନ ଆରମ୍ଭ କରି ସାରନ୍ତାଣି। କିନ୍ତୁ ଅନ୍ଧ ଭାବେ ଶୀତତାପନିୟନ୍ତ୍ରିତ କଠୋରୀରେ ବସି ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାର ପରିଣାମ ଏବେ ସମସ୍ତେ ଦେଖୁଛନ୍ତି।

ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି ଯେ ସରକାରଙ୍କ ଅପାରଗତା ଓ ଅଦୂରଦର୍ଶିତା ପାଇଁ ଆଜି ପୋସ୍କୋ ଓଡ଼ିଶା ପ୍ରକଳ୍ପରୁ ଓହରିବାକୁ ନିଷ୍ପତ୍ତି ନେଇଛି। ଗୋଟିଏ ଶିଳ୍ପ ପ୍ରତିଷ୍ଠା ନେଇ ଯେଉଁ ନିଷ୍ଠା ଓ ପ୍ରତିବଦ୍ଧତା ରହିବା କଥା ତାହା ଏ ସରକାରଙ୍କ ପାଖରେ ଆଜି ନାହିଁ କି ପୂର୍ବରୁ ବି କେବେ ନଥିଲା। ଏତେବଡ଼ ପୁଞ୍ଜିନିବେଶ ରାଜ୍ୟରୁ ଚାଲିଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଗୋଟିଏ ପୁଞ୍ଜିନିବେଶ ସର୍ବଦା ଗୋଟିଏ ଅଞ୍ଚଳର ବିକାଶରେ ସହଯୋଗ ହୋଇଥାଏ। ସେହିପରି ଏକ କଂପାନୀ ପୁଞ୍ଜିନିବେଶରୁ ଓହରି ଗଲେ ଏହାର ପ୍ରତିକୂଳ ପ୍ରଭାବ ପଡ଼େ। ପୋସ୍କୋ ପ୍ରତିଷ୍ଠା ହୋଇଥିଲେ ରାଜ୍ୟ ବହୁମାତ୍ରାରେ ଉପକୃତ ହୋଇଥାଆନ୍ତା।

ଅନ୍ୟପକ୍ଷରେ ଶାସକ ବିଜେଡି ଏନେଇ କେନ୍ଦ୍ର ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଛି। ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ପୋସ୍କୋ ଓଡ଼ିଶା ପ୍ରକଳ୍ପରୁ ଓହରି ନାହିଁ। ସାମୟିକ ଭାବେ ଏହାକୁ ସ୍ଥଗିତ ରଖିଛି। ତେବେ ଏନେଇ କଂପାନୀ ପକ୍ଷରୁ ସରକାରଙ୍କ ସହିତ ଯୋଗାଯୋଗ କରାଯାଇ ନାହିଁ। ସରକାର ବି ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି ଏହି ଖବର। ଏଣୁ କଂପାନୀ ପକ୍ଷରୁ କୌଣସି ଯୋଗାଯୋଗ ନହେଲା ପର୍ଯ୍ୟନ୍ତ ଏନେଇ କିଛି କହି ହେବ ନାହିଁ। ତେବେ ଏଭଳି ପରିସ୍ଥିତି ସୃଷ୍ଟି ହେବା ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଖଣି ନୀତିକୁ ଦାୟୀ କରାଯାଉଛି। କିଛି ଗଣମାଧ୍ୟମରେ ମଧ୍ୟ ଏହା କୁହାଯାଇଛି। ଏହା ବି ଗୋଟିଏ ସମ୍ଭାବ୍ୟ କାରଣ ହୋଇପାରେ। କାରଣ କଂପାନୀ ଏକ କ୍ୟାପଟିଭ୍ ଖଣି ଚାହୁଁଥିଲା। କିନ୍ତୁ ସରକାରଙ୍କ ନୂଆ ଖଣି ଆଇନ ଏଥିରେ ବାଧକ ସାଜିଥିଲା।

ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ଏ ପ୍ରସଙ୍ଗରେ ବିଜେଡିକୁ ଦାୟୀ କରିବା ପୂର୍ବରୁ କଂଗ୍ରେସ ଓ ବିଜେପି ଆଇନାରେ ନିଜ ମୁହଁ ଦେଖିବା ଉଚିତ୍। ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ନହୋଇପାରିବା ପଛରେ କିଏ ବାଧକ ସାଜିଥିଲା ତାହା ସେମାନେ କୁହନ୍ତୁ। ଯଦି ପୋସ୍କୋ ଓହରିଯିବା ନେଇ ସେମାନେ ଏତେ ଦୁଃଖିତ, ତା’ହେଲେ ଏହା ବିରୋଧରେ ଯାଇ ଆନ୍ଦୋଳନ କରୁଥିଲେ କାହିଁକି। ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ଓ କଂଗ୍ରେସ।

Related story