‘ଫୋନି’ ବୁଡ଼ାଇଲା କୁଳ ବେଉସା, ଜଗା ପାଇଁ କୁଡୁଆ ଚିନ୍ତା

ପୁରୀ: ବାତ୍ୟା ଫୋନି ଅନେକ ଲୋକଙ୍କ କୁଳ ବେଉସାକୁ ଛାରଖାର କରିଦେଇଛି। ବିଶେଷ କରି ପୁରୀ ଜିଲ୍ଲାରେ କୌଳିକ ବୃତ୍ତି କରି ପରିବାରର ଭରଣ ପୋଷଣ କରୁଥିବା ଲୋକଙ୍କ ଅଣ୍ଟା ଫୋନି ମାଡ଼ରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ବାତ୍ୟା ଫୋନି ପୁରୀର କୁମ୍ଭକାର ସେବାୟତଙ୍କ କୁଳ ବେଉସାକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ଏବଂ ପୂଜା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗରଙ୍କ […]

was

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 09:43 PM IST

ପୁରୀ: ବାତ୍ୟା ଫୋନି ଅନେକ ଲୋକଙ୍କ କୁଳ ବେଉସାକୁ ଛାରଖାର କରିଦେଇଛି। ବିଶେଷ କରି ପୁରୀ ଜିଲ୍ଲାରେ କୌଳିକ ବୃତ୍ତି କରି ପରିବାରର ଭରଣ ପୋଷଣ କରୁଥିବା ଲୋକଙ୍କ ଅଣ୍ଟା ଫୋନି ମାଡ଼ରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି।

ବାତ୍ୟା ଫୋନି ପୁରୀର କୁମ୍ଭକାର ସେବାୟତଙ୍କ କୁଳ ବେଉସାକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ଏବଂ ପୂଜା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗରଙ୍କ କୁମ୍ଭାରଶାଳକୁ ବାତ୍ୟା ଫୋନି ନିଶ୍ଚିହ୍ନ କରିଦେଇଛି। ଫଳରେ ଆଗକୁ ସେମାନେ କେମିତି କୁଡୁଆ ତିଆରି କରିବେ ଏବେ ସେ ଚିନ୍ତା ଖାଲି କୁମ୍ଭକାରଙ୍କୁ ନୁହେଁ, ଜିଲ୍ଲା ପ୍ରଶାସନକୁ ବି ଘାରିଛି। ପ୍ରତିଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେବା ପାଇଁ ଲକ୍ଷ ଲକ୍ଷ କୁଡ଼ୁଆ ଲୋଡ଼ା ହୁଏ। ଏବେ ଏତେ ସଂଖ୍ୟକ ମହାପ୍ରସାଦ କୁଡ଼ୁଆ କେଉଁଠୁ ଆସିବ, ତା’କୁ ନେଇ ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ପୁରୀରେ କାଳିଆ ଦର୍ଶନ ପରେ ଆନନ୍ଦ ବଜାରରୁ ଅଗଣିତ ଭକ୍ତ କୁଡ଼ୁଆରେ ମହାପ୍ରସାଦ ପାଉଥିଲେ। ସେହିପରି ଜଗନ୍ନାଥଙ୍କ ନୀତିକାନ୍ତିରେ ମଧ୍ୟ କୁଡ଼ୁଆର ବ୍ୟବହାର ହେଉଥିଲା। ଏବେ କୁଡ଼ୁଆ ନ ମିଳିଲେ କ’ଣ ହେବ, ତା’କୁ ନେଇ ସମସ୍ୟା ଉପୁଜିଛି।

୩ ତାରିଖ ସକାଳେ ପୁରୀରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ଫୋନିରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଥିବା କୁମ୍ଭକାର ମାନେ ବର୍ଷ ତମାମ ଶ୍ରୀମନ୍ଦିରକୁ ମାଟି ହାଣ୍ଡି ଓ କୁଡୁଆ ଯୋଗାଉଥିଲେ। ହେଲେ ବାତ୍ୟା ଫୋନି ପ୍ରାୟ ୩ ଶହ କୁମ୍ଭକାର ପରିବାରର କୌଳିକ ବୃତ୍ତିକୁ ପୁରା ଛାରଖାର କରି ଦେଇଛି। କୁମ୍ଭାର ଶାଳ ଭାଙ୍ଗି ଚୁରମାର ହୋଇଯାଇଛି।। ହାଣ୍ଡି ଓ କୁଡୁଆ ଗଢୁଥିବା କୁମ୍ଭାର ଚକ ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି। ସେହିପରି ପୂର୍ବରୁ ନିର୍ମାଣ ହୋଇ ରଖା ଯାଇଥିବା ଅସଂଖ୍ୟ କୁଡ଼ୁଆ ମଧ୍ୟ ନଷ୍ଟ ହୋଇଯାଇଛି। ଫଳରେ ସମଗ୍ର କୁମ୍ଭାରପଡ଼ାର ଶହ ଶହ କୁମ୍ଭକାର ପରିବାର ଏବେ ଜୀବିକାହୀନ ହୋଇ ପଡ଼ିଛନ୍ତି ।

ବାତ୍ୟା ଫୋନିରେ କୁମ୍ଭାରପଡ଼ା କୁମ୍ଭକାରଙ୍କ କ୍ଷୟକ୍ଷତିର ପରିମାଣ ପ୍ରାୟ ୬ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଆଗକୁ ରଥଯାତ୍ରା ଆସୁଥିବାରୁ ତାକୁ ଦୃଷ୍ଟିରେ ରଖି ଅଧିକ ବ୍ୟବସାୟ ଅଶାରେ ଅକ୍ଲାନ୍ତ ପରିଶ୍ରମ ସହ କୁମ୍ଭାକାର ପରିବାର ଅଧିକ ଅର୍ଥ ନିବେଶ କରି କୁଡ଼ୁଆ ସବୁ ଗଢ଼ି ଥିଲେ। ହେଲେ ଫୋନି ବାତ୍ୟା ସବୁ କିଛି ଓଲଟପାଲଟ କରିଦେଇଛି। ଗୋଟିଏ ପଟେ ନିଜ ଚୁଲିଚାଳ ଉଡ଼ିଯାଇଥିବା ବେଳେ ବେଉସାକୁ ନେଇ ମଧ୍ୟ ଗ୍ରାମବାସୀ ଚରମ ସଙ୍କଟରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ କୁମ୍ଭକାର ନିଯୋଗ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି।

Related story