ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରି ମହାମାରୀ ସହ ଚାଲିଥିବା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ମୁଖ୍ୟ ଅସ୍ତ୍ର ହେଉଛି ପିପିଇ କିଟ୍ ଓ ମାସ୍କ । କୋଭିଡ ହସ୍ପିଟାଲରୁ ବାହାରୁଥିବା ଏପରି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଛି ସ୍ୱତନ୍ତ୍ର ଗାଇଡଲାଇନ । ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଡଲାଇନ୍ ଅନୁସାରେ ଏହାକୁ ଡିସପୋଜ କରିବା କଥା । କିନ୍ତୁ ବହୁ ସ୍ଥାନରେ ଏହାକୁ ବାହାରେ ସର୍ବସାଧାରଣ ସ୍ଥାନରେ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି। ଯାହାକି ସଂକ୍ରମଣକୁ ବଢ଼ାଇବା ଆଶଙ୍କାକୁ ବହୁ ମାତ୍ରାରେ ବଢ଼ାଇ ଦେଉଛି।
ଯଦି ଏସବୁ ସଠିକ୍ ଡିସପୋଜ କରା ନ ଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଏଡ଼ାଇବା କଷ୍ଟକର ବ୍ୟାପାର ହୋଇପଡ଼ିବ। ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।
ଗତକାଲି ଗଜପତିର ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ କୂଳ ସହ ମୁଖ୍ୟ ରାସ୍ତା କଡ ଓ ଶ୍ମଶାନ ନିକଟରେ ବ୍ୟବହୃତ ପିପିଇ କିଟ୍ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଏସବୁକୁ ନଷ୍ଟ କରାଯାଇଥିଲା । ସେହିପରି ନବରଙ୍ଗପୁର ସହରରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସହରରୁ ରିଜର୍ଭ ବାଟାଲିଅନ୍କୁ ଯାଉଥିବା ରାସ୍ତାକଡ଼ର ଏକ ପୋଲ ନିକଟରେ ପଡି ରହିଥିଲା କିଟ୍ । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା।