ବାତ୍ୟାର ସଠିକ୍ ଗତିପଥ ମିଳିନି, ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର, ବିଭିନ୍ନ ଏଜେନ୍ସୀ, ବିଭାଗ ଓ ଜିଲ୍ଲା ପ୍ରଶାସନମାନଙ୍କ ଦ୍ୱାରା ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତିପଥ ଓ ସଠିକ୍ ଦିଗ ସମ୍ପର୍କରେ ତଥ୍ୟ ମିଳିବା ପରେ ହିଁ ରାଜ୍ୟ ସରକାର ଅଧିକ ପ୍ରତିଷେଧକ ମୂଳକ ପଦକ୍ଷେପ […]

src-pradeep-jena

Ordigital Desk
  • Published: Thursday, 02 December 2021
  • , Updated: 02 December 2021, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର, ବିଭିନ୍ନ ଏଜେନ୍ସୀ, ବିଭାଗ ଓ ଜିଲ୍ଲା ପ୍ରଶାସନମାନଙ୍କ ଦ୍ୱାରା ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତିପଥ ଓ ସଠିକ୍ ଦିଗ ସମ୍ପର୍କରେ ତଥ୍ୟ ମିଳିବା ପରେ ହିଁ ରାଜ୍ୟ ସରକାର ଅଧିକ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଏହାସହିତ ବାତ୍ୟା ପରିସ୍ଥିତିର ମୁକାବିଲା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ୨୬୬ଟି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ସେବା ଟିମକୁ ପ୍ରସ୍ତୁତ ରଖାଯାଇଥିବା ସେ କହିଛନ୍ତି।

ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଲ୍ୟାଣ୍ଡଫଲ୍ ଆଦି ସମ୍ପର୍କରେ ଏବେ କିଛି ସ୍ପଷ୍ଟ ସୂଚନା ସରକାରଙ୍କ ପାଖରେ ନାହିଁ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆସନ୍ତାକାଲି ଏ ସମ୍ପର୍କରେ ବାସ୍ତବ ତଥ୍ୟ ପ୍ରଦାନ କରିବେ । ସେ ଆଜି ମଧ୍ୟ ଦୁଇଥର ଆଇଏମଡି ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ପାଣିପାଗ ମଡେଲ୍ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ନାନାଦି ପୂର୍ବାନୁମାନ କରିଛନ୍ତି। ମାତ୍ର ଆସନ୍ତାକାଲି ଆଇଏମଡି ପୂର୍ବାନୁମାନ ତଥ୍ୟ ଆଧାରରେ ରାଜ୍ୟ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ତେବେ ଏବେସୁଦ୍ଧା ରାଜ୍ୟ ସରକାର ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖିଛନ୍ତି ।

ଡିସେମ୍ବର ୩ ମଧ୍ୟରାତ୍ରିରୁ ଏହି ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ପରବର୍ତ୍ତୀ ସମୟରେ ଲ୍ୟାଣ୍ଡଫଲ୍ ବେଳେ ବୃଦ୍ଧି ପାଇବ । ଗଞ୍ଜାମ, ଗଜପତି, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ଓ ପ୍ରବଳ ପବନ ବୋହିବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିରେ ଏବେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କେବଳ ଚିଲିକାର କେତେକ ଅଂଚଳକୁ ଛାଡ଼ିଦେଲେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଫେରି ଆସିଥିବାର ସୂଚନା ମିଳିଛି । ଡିସେମ୍ବର ୩ରୁ ୫ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ମାଛ ଧରା ଉପରେ କଟକଣା ମତ୍ସ୍ୟସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି । ଅମାବାସ୍ୟା ଯୋଗୁ ଡିସେମ୍ବର ୩ ଓ ୪ରେ ଅଧିକ ଜୁଆର ଆସିବାର ଆଶଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି ।

ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆସନ୍ତାକାଲି ସୂଚନା ମିଳିବା ପରେ ଜିଲ୍ଲାପାଳମାନଙ୍କୁ ସେହି ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯିବ । ଆଜି ସନ୍ଧ୍ୟା ୭ଟାରେ ସେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ପ୍ରସ୍ତୁତିର ସମୀକ୍ଷା କରିବେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାର ସ୍କୁଲ, ପଂଚାୟତ ଗୃହ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୃହକୁ ଖୋଲା ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଲୋକମାନେ ଆବଶ୍ୟକ ପଡ଼ିଲେ ସେହି ସବୁ ଘରେ ଆଶ୍ରୟ ନେଇପାରିବେ । ଏହାବ୍ୟତୀତ ଆସନ୍ନପ୍ରସବା ମହିଳାମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ।

ଡିସେମ୍ବର ମାସରେ ପ୍ରଥମଥର ପାଇଁ ବାତ୍ୟା ଆସିଛି । ମୌସୁମୀ ପ୍ରାୟ ଏକ ମାସ ବିଳମ୍ବରେ ଓଡ଼ିଶା ଛାଡ଼ିଥିବାରୁ ଏହି ବାତ୍ୟା ଡିସେମ୍ବର ମାସରେ ଆସିଥାଇ ପାରେ ବୋଲି ଶ୍ରୀ ଜେନା କହିଛନ୍ତି । ଅବଶ୍ୟ ଏହାର ବୈଷୟିକ ଦିଗ କ’ଣ ଥିବ ତାହା ବିଶେଷଜ୍ଞମାନେ ମତ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଦ୍ୟୁତ ବିଭାଗ, ଟେଲିକମ୍ ବିଭାଗଗୁଡ଼ିକ ସହ ସମନ୍ୱୟ ରକ୍ଷା କରାଯାଇଛି । ବାତ୍ୟା ପରେ ବିଦ୍ୟୁତ ଓ ଟେଲିକମ୍ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଯେଉଁଠି ଟେଲିଫୋନ୍ ଟାୱାର କ୍ଷତିଗ୍ରସ୍ତ ହେବ ସେଠାରେ ଥିବା ଅନ୍ୟ କମ୍ପାନୀର ଟାୱାର ମାଧ୍ୟମରେ ଟେଲିଫୋନ୍ ସେବାକୁ ତତ୍କାଳ ବ୍ୟାହତ କରାଯିବ । ଏଥିପାଇଁ ଆଇଟି ସଚିବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟର ୧୦ଟି ଜିଲ୍ଲାରେ ଏବେ ୩୩ଟି ଓଡ୍ରାଫ ଟିମକୁ ମୁତୟନ କରାଯାଇଥିବାବେଳେ ବାକି ୨୭ଟିକୁ ରିଜର୍ଭ ରଖାଯାଇଛି । ସେହିପରି ୨୪ଟି ଏନଡିଆରଏଫ ଟିମ୍ ମୁତୟନ ଓ ୧୦ଟି ଟିମ୍ ରିଜର୍ଭ ଥିବାବେଳେ ୧୫୮ଟି ଅଗ୍ନିଶମ ସେବା ଟିମକୁ ମୁତୟନ ଓ ୧୪ଟି ଟିମକୁ ରିଜର୍ଭ ରଖାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Related story